ବିଦ୍ୟୁତ୍‌ ଆଘାତରେ ୭ ହାତୀ ମୃତ୍ୟୁ ଘଟଣା : ୩ ସରକାରୀ କମର୍ଚାରୀ ଗିରଫ

ସର୍ତ୍ତମୂଳକ ଜାମିନ୍‌ରେ ଛାଡ଼ ପାଇଲେ

କଟକ/ଅନୁଗୁଳ/ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କମଳାଙ୍ଗଠାରେ ବିଦ୍ୟୁତ୍‌ ଆଘାତରେ ୭ଟି ହାତୀ ପ୍ରାଣ ହରାଇବା ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ବିଦ୍ୟୁତ୍‌ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଏବ˚ ବନ ବିଭାଗର ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ଗିରଫ କରାଯାଇଛି। ଗିରଫ କର୍ମଚାରୀମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ତେବେ ଅଦାଲତ ତିନି କର୍ମଚାରୀଙ୍କୁୁ ସର୍ତ୍ତମୂଳକ ଜାମିନ୍‌ରେ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କମଳାଙ୍ଗରେ ଗତ ୨୭ ତାରିଖରେ ବିଦ୍ୟୁତ୍‌ ଆଘାତରେ ୭ ହାତୀଙ୍କର ମୃତ୍ୟୁ ପରେ ରାଜ୍ୟ ସରକାର ଏହାର ତଦନ୍ତ ଦାୟିତ୍ବ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିଲେ। ହାତୀ ମୃତ୍ୟୁ ଯୋଗୁଁ ରେଞ୍ଜ ଅଧିକାରୀ ଗତ ୨୭ ତାରିଖରେ ଢେଙ୍କାନାଳ ଫରେଷ୍ଟ ରେଞ୍ଜ ଅଫିସ୍‌ରେ ଏକ ମାମଲା ରୁଜୁ କରିଥିଲେ। ଏହାକୁ ଭିତ୍ତିକରି ଏସିଏଫ୍‌ କଣ୍ଟାବଣିଆ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ରୁଜୁ କେସ୍‌ ନମ୍ବର ୨୩/୧୮, ଦଫା ୧୬୬/୪୨୯/୩୪ ଆଇପିସି, ଆର‌୍‌/ଡବ୍ଲ୍ୟୁ ସେକ୍ସନ ୧୪୬ ବିଦ୍ୟୁତ୍‌ ଆଇନ୍‌/ ୫୧ ବନ୍ୟଜନ୍ତୁ ସୁରକ୍ଷା ଆଇନ୧୯୭୨ଆଧାରରେ କ୍ରାଇମ୍‌ବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିଥିଲେ। କ୍ରାଇମ୍‌ ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ତତ୍ତ୍ବାବଧାନରେ ଏସ୍‌ପି ସନ୍ଦୀପ୍‌ ମଡକର ସାଇଣ୍ଟିିଫିକ୍‌ ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ନମୁନା ସ˚ଗ୍ରହ କରିଥିଲେ। ତଦନ୍ତ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ ପରେ ଦେଇଥିବା ରିପୋର୍ଟ ଅନୁଯାୟୀ, ମେରାମଣ୍ତଳୀ ବନ ବିଭାଗ ଏବ˚ ମେରାମଣ୍ତଳୀ ବିଦ୍ୟୁତ୍‌ ବିଭାଗ ଅଧୀନରେ ଥିବା କମଳାଙ୍ଗ ରାସ୍ତାରେ ଅନେକ ମାସ ହେଲା ୧୧ କେଭି ବିଦ୍ୟୁତ୍ ତାର ଝୁଲି ରହିଥିଲା। ସେଠାରେ ଏକ ପୋଲର ତଳ ଭାଗ ନଷ୍ଟ ହୋଇ ଗୋଟେ ପାଖକୁ ନଇଁ ଯାଇଥିଲା। ଗତ ୨୩ ତାରିଖରେ ପ୍ରାୟ ୨୫ଟି ହାତୀ କମଳାଙ୍ଗ ଗାଁ ନିକଟରେ ଥିବା ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୭ ତାରିଖରେ ୭ଟି ହାତୀ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛନ୍ତି। ଉଭୟ ବିଦ୍ୟୁତ୍‌ ଏବ˚ ବନ ବିଭାଗର ନିୟମ ପାଳନ କରାଯାଇନଥିବାରୁ ଏତେ ସ˚ଖ୍ୟକ ହାତୀଙ୍କର ମୃତ୍ୟୁ ଘଟିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ପରେ କ୍ରାଇମ୍‌ବ୍ରାଞ୍ଚ ଆଜି ମେରାମଣ୍ତଳି ସେକ୍ସନ ବିଦ୍ୟୁତ ବିଭାଗର ଚୁକ୍ତିଭିତ୍ତିକ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ତଳୀ ଫରେଷ୍ଟର ପ୍ରଭାକର ରଣା, ଫରେଷ୍ଟ ଗାର୍ଡ ଗିରୀଶ ଚନ୍ଦ୍ର ଦେହୁରୀଙ୍କୁ ଗିରଫ କରି ଢେଙ୍କାନାଳ ଏସ୍‌ଡିଜିଏମ୍‌ଙ୍କ କୋର୍ଟରେ ହାଜର କରାଇଥିଲେ। ଘଟଣାର ତଥ୍ୟ ନଷ୍ଟ କରିପାରିବେ ନାହିଁ, ମାମଲାକୁ ଆଧାର କରି କାହାକୁ ଧମକଚମକ ଦେଇପାରିବେ ନାହିଁ, ବିନା ଅନୁମତିରେ ଜିଲ୍ଲା ବାହାରକୁ ଯାଇପାରିବେ ନାହିଁ ଆଦି ବିଭିନ୍ନ ସର୍ତ୍ତ ରଖି ମାନ୍ୟବର କୋର୍ଟ ଆଜି ଗିରଫ କର୍ମଚାରୀମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର