ପରିବହନ ସଂସ୍ଥା କର୍ମଚାରୀଙ୍କୁ ଅପହରଣ : ୬ ଲକ୍ଷ ଟଙ୍କାରେ ମୁଣ୍ଡଜାମିନ, ରାଜଧାନୀରୁ ତିନି ଅପହର୍ତା ଗିରଫ, ବନ୍ଧୁକ, ଗାଡ଼ି, ‌ମୋବାଇଲ, ଲାପଟପ ଜବତ

ବ୍ୟାସନଗର : ବ୍ୟାସନଗର ସହରର ଏକ ପରିବହନ ସଂସ୍ଥାର ଦୁଇଜଣ କର୍ମଚାରୀଙ୍କୁ ଅପହରଣ କରିବା ଏବଂ ୬ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିବା ଘଟଣାରେ ଯାଜପୁରରୋଡ଼ ପୁଲିସ ୩ ଜଣଙ୍କୁ ଭୁବନେଶ୍ବରରୁ ଗିରଫ କରିଛି। ଅପହରଣରେ ବ୍ୟବହୃତ ଏକ ହୁଣ୍ଡାଇ ଆଇ ଟେନ୍ ଗାଡି (ଓଡି୦୨ଏଚ୍-୬୩୨୪) ଏବଂ ଚୋରାଇ ନେଇଥିବା ବୋଲେରୋ(ଓଡି୦୪ଏଲ୍-୯୪୫୬) ସହିତ ଲାପଟପ୍, ମୋବାଇଲ ଫୋନ୍, ବନ୍ଧୁକ ଏବଂ ଛୁରି ଆଦି ମାରଣାସ୍ତ୍ରକୁ ପୁଲିସ ଜବତ କରିଛି। ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗରର ଉମାପଦାରେ ବିହାର ରାଜ୍ୟର ରୋହିତ୍ କୁମାର ସିଂ ଜେଏମଡି ନାମରେ ଏକ ପରିବହନ ସଂସ୍ଥା ଖୋଲିଛନ୍ତି। ଏହି କାର୍ଯ୍ୟାଳୟରେ ସବ୍ୟସାଚୀ ସାହୁ ନାମକ ଜଣେ ଯୁବକ ଚାକିରି କରିଥିବାବେଳେ ତାଙ୍କୁ ନିକଟ ଅତୀତରେ କମ୍ପାନିରୁ ବହିଷ୍କାର କରାଯାଇଛି। ୧୪ ତାରିଖରେ ସେ ତିନି ଜଣ ସହଯୋଗୀଙ୍କ ସହ ଏଠାରେ ପହଞ୍ଚି ଉକ୍ତ କାର୍ଯ୍ୟାଳୟର ସୁରଯ କୁମାର ଓ ଆଦିତ୍ୟ ରାଜ ନାମକ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଜୋର ଜବରଦସ୍ତ ଅପହରଣ କରି ନେଇଥିଲେ। ଅପହରଣ ସମୟରେ କମ୍ପାନିର ଏକ ବୋଲେରୋ, ଲାପଟପ୍ ଓ ମୋବାଇଲ‌ ଚୋରି କରି ନେଇଥିଲେ। ଏନେଇ ପରିବହନ ସଂସ୍ଥାର ମାଲିକ ରୋହିତ କୁମାର ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଯାଜପୁର ରୋଡ଼ ପୁଲିସ ତଦନ୍ତ ଜାରି ରଖିଥିଲା। କୌଣସି ସୂତ୍ରରୁ ଖବର ପାଇ ଯାଜପୁର ରୋଡ଼ ପୁଲିସ ଭୁବନେଶ୍ବରର ଶୈଳଶ୍ରୀ ବିହାରରେ ଚଢ଼ଉ କରି ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ କେନ୍ଦୁଝର ଥାନା ଅନ୍ତର୍ଗତ ମାଗୁରଗଡିଆ ଗ୍ରାମର ଅକ୍ଷୟ କୁମାର ସାହୁଙ୍କ ଦୁଇ ପୁଅ ସବ୍ୟସାଚୀ ସାହୁ(୩୦) ଓ ତାଙ୍କ ସାନଭାଇ ସନ୍ଦୀପ କୁମାର ସାହୁ(୨୮)। ଏମାନେ ବର୍ତ୍ତମାନ ଭୁବନେଶ୍ୱର ୬ ନମ୍ବର ଫେଜ୍ ଏଚ୍ଆଇଜି -୮୯ଶୈଳଶ୍ରୀ ବିହାରରେ ରହୁଥିବା ପୁଲିସ ସୂଚନା ଦେଇଛି। ଅନ୍ୟ ସହଯୋଗୀ ଭୁବନେଶ୍ବର ନୀଳାଦ୍ରି ବିହାର, ପଣ୍ଡାପାର୍କ ନିକଟରେ ରହୁଥିବା ଆଳି ଥାନା ଅନ୍ତର୍ଗତ ଆଳି ପିଙ୍ଗଳର ବାବୁଲାଲ ବେହେରାଙ୍କ ପୁଅ ମାଙ୍ଗୁ (୨୩)। ଗିରଫ ତିନି ଜଣଙ୍କୁ ଆଜି ଯାଜପୁରରୋଡ ବିଚାର ବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା। ସେଠାରେ ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ସମସ୍ତଙ୍କୁ ରଗଡି ଉପ କାରାଗାରକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଓ ତଦନ୍ତକାରୀ ଅଧିକାରୀ ରାଜେଶ ସେଠୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର