୩ ଶିଶୁଙ୍କ ସଲିଳ ସମାଧି

ଧାମନଗର/ଅସୁରାଳି/ବାସୁଦେବପୁର : ଭଦ୍ରକ ଜିଲ୍ଲା ଧାମନଗର ଓ ବାସୁଦେବପୁର ଅଞ୍ଚଳରେ ଆଜି ତିନିଟି ପୃଥକ ପୃଥକ ସ୍ଥାନରେ ତିନିଟି ଅଘଟଣ ଘଟିଛି। ନଦୀ ଓ ପୋଖରୀରେ ବୁଡ଼ିି ତିନି ଜଣ ଶିଶୁ ପ୍ରାଣ ହରାଇଛନ୍ତି।

ଧାମନଗର ବ୍ଲକ୍‌ର ଧୂଷୁରୀ ଅଞ୍ଚଳରେ ଉଛୁଳା କପାଳି ନଦୀ ଆଜି ଜଣେ ଶିଶୁର ପ୍ରାଣ ନେଇଛି। ମୃତ ଶିଶୁଟି ହେଉଛି ଧୂଷୁରୀ ଥାନା ଅଧୀନ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦପାଟଣା ପଣ୍ଡାସାହିର ଗଣେଶ ପଣ୍ଡାଙ୍କ ୩ ବର୍ଷର ପୁଅ ଅମୂଲ୍ୟ। ଆଜି ସକାଳ ପ୍ରାୟ ୯ଟା ବେଳେ ଗଣେଶଙ୍କ ମା’ ନାତି ଅମୂଲ୍ୟକୁ ସାଥିରେ ନେଇ ସ୍ଥାନୀୟ ପଡ଼ିଆକୁ ଛେଳି ବାନ୍ଧିବାକୁ ଯାଇଥିଲେ। ଜେଜେମା’ ଅମୂଲ୍ୟକୁ ଗାଁମୁଣ୍ଡରେ ଥିବା ଶ୍ୟାମଚାନ୍ଦଜିଉ ମନ୍ଦିରରେ ବସାଇ ଦେଇ ପଡ଼ିଆରେ ଛେଳି ବାନ୍ଧିବାକୁ କିଛି ଦୂରକୁ ଚାଲି ଯାଇଥିଲେ। ଏହାମଧ୍ୟରେ ଛୋଟ ପିଲାଟି ପାଖରେ ଥିବା କପାଳି ନଈକୂଳକୁ ଅଜାଣତରେ ଚାଲି ଯାଇଥିଲା। ଅସାବଧାନତାବଶତଃ ଅମୂଲ୍ୟ ନଦୀ ମଧ୍ୟରେ ପଡ଼ି ଯାଇଥିଲା। ଏହାର ପ୍ରାୟ ୩ ଘଣ୍ଟା ପରେ ଶ୍ରୀଗଙ୍ଗା ଗ୍ରାମର ଯୁବକ ସୁକେଶ ପାଣିଗ୍ରାହୀ ଓ କହ୍ନେଇ ମିଶ୍ର ନଦୀ ମଧ୍ୟରୁ ନିଖୋଜ ଶିଶୁପୁତ୍ର ଅମୂଲ୍ୟର ମୃତଦେହକୁ ଉଦ୍ଧାର କରିଥିଲେ।

ସେହିପରି ଚୁଡ଼ାମଣି ସାମୁଦ୍ରିକ ଥାନା ଆଡ଼ିିଆ ଗ୍ରାମର ଖଗେଶ୍ୱର ମଲ୍ଲିକଙ୍କ ୪ ବର୍ଷର ପୁଅ ରାଜା ଘର ପାଖରେ ଖେଳୁଥିବା ବେଳେ ଗତକାଲିଠାରୁ ନିଖୋଜ ହୋଇଥିଲା। ପରିବାର ପକ୍ଷରୁ ରାଜାକୁ ବହୁ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ପାଇନଥିଲେ। ଆଜି ସକାଳେ ଘରପାଖ ପୋଖରୀରେ ରାଜାର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ କାନ୍ଥି ଅଞ୍ଚଳର ସୂର୍ଯ୍ୟକାନ୍ତ କଳାଙ୍କ ପରିବାର ସ୍ଥାନୀୟ ଚୁଡ଼ାମଣି ଆଡ଼ିିଆ ଅଞ୍ଚଳର ବନ୍ଧୁଘରକୁ ବୁଲିବାକୁ ଆସିଥିଲେ। ସୂର୍ଯ୍ୟକାନ୍ତଙ୍କ ଦେଢ଼ବର୍ଷର ଶିଶୁକନ୍ୟା ସୁପର୍ଣ୍ଣା ଆଜି ସକାଳେ ଘରପାଖରେ ଖେଳୁଥିବା ବେଳେ ପାଖ ପୋଖରୀରେ ପଡ଼ିିଯାଇଥିଲା। ପରିବାର ଲୋକ ସଂଜ୍ଞାହୀନ ଅବସ୍ଥାରେ ଶିଶୁକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର