ବାଲେଶ୍ୱର/ ବାହାନଗା : ବାଲେଶ୍ୱର ସହର ଉପକଣ୍ଠ ଖନ୍ତାପଡ଼ା ଥାନା ସେରଗଡ ଟୋଲଗେଟ୍ ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଗଙ୍ଗାଧର ଦାସ (୬୨), ତ୍ରିନାଥ ଦାସ (୪୦) ଓ ବାପି ମିଶ୍ର (୪୫)। ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବାବେଳେ ୧୦ରୁ ଅଧିକ ଆହତ ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ ଓ ଆହତମାନେ ପୁରୀ ବାଲିସାହି ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଗତକାଲି ରାତି ୧୧ଟା ସମୟରେ ପୁରୀ ବାଲିସାହି ଅଞ୍ଚଳର ଏକ ପରିବାର ଏବଂ ସେମାନଙ୍କ ସଂପର୍କୀୟ ମିଶି ୨୭ ଜଣ ଏକ ଟ୍ରାଭେଲର୍ (ଓଡି୦୨ଏୱାଇ-୬୩୧୬) ଗାଡ଼ିରେ ପିକ୍ନିକ୍ ପାଇଁ ମୟୂରଭଞ୍ଜ ଅଭିମୁଖେ ବାହାରିଥିଲେ। ସେମାନେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ବର ଓ କ୍ଷୀରଚୋରା ଗୋପିନାଥ ମନ୍ଦିର ସମେତ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବାକୁ ଯୋଜନା କରିଥିଲେ। ହେଲେ ବିଡ଼ମ୍ବନା, ଭୋର ସାଢ଼େ ୪ଟା ପାଖପାଖି ସେରଗଡ଼ ଟୋଲ୍ ପ୍ଲାଜା ନିକଟ ଜଗନ୍ନାଥ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ଠିଆ ହୋଇଥିବା ଏକ ଟ୍ରକ୍କୁ ପଛ ପଟୁ ଧକ୍କା ଦେଇଥିଲା ଟ୍ରାଭେଲର୍। ଯେଉଁଥିରେ ଗାଡ଼ିର ସାମ୍ନା ପଟ ଭାଙ୍ଗି ଚୂରମାର୍ ହୋଇଯାଇଥିଲା। ଦୁର୍ଘଟଣା ପରେ ଟ୍ରାଭେଲର୍ ଚାଳକ ସେଠାରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଗଙ୍ଗାଧର ଦାସ (୬୨) ଓ ତାଙ୍କ ପୁଅ ତ୍ରିନାଥ ଦାସ (୪୦)ଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପରେ ଚିକିତ୍ସାଧୀନ ଅବସ୍ଥାରେ ରୋଷେୟା ବାପି ମିଶ୍ର (୪୫)ଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ସୁରେନ୍ଦ୍ର ବେହେରା (୬୫), ଦାମୋଦର ଦାସ (୬୧), ରଶ୍ମିତା ଭୋଇ (୩୨), ସୁନା ଦାସ (୪୫), ଅମୂଲ୍ୟ ଦାସ (୨୨), ପ୍ରତାପ ଦାସ (୨୩), ସଂଜୁଲତା ଦାସ (୬୦)ଙ୍କ ସମେତ ୧୦ରୁ ଅଧିକ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଗୁରୁତର ମମତା ଦାସ (୩୨), ସରୋଜିନୀ ଦାସ (୪୫), ସଂଯୁକ୍ତା ଦାସ (୪୦)ଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏ ନେଇ ଖନ୍ତାପଡ଼ା ଥାନାରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଛି।
ଅନ୍ୟପକ୍ଷରେ, ବାଲେଶ୍ବର ଗସ୍ତରେ ଆସିଥିବା ଅବସରରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ଘଟଣାରେ ଦୁଃଖପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨୫ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/balasore-accident.jpg)