ଚିଲିକାରେ ବୁଡ଼ିଗଲେ ୧୬ ଯାତ୍ରୀ : ୩ ମୃତ  ୨ ନିଖୋଜ, ୧୧ ହସ୍ପିଟାଲ୍‌ରେ ଭର୍ତ୍ତି

ଖୋର୍ଧା : ଚିଲିକା ମଧ୍ୟରେ ଆଜି ଏକ ବଡ଼ଧରଣର ଅଘଟଣ ଘଟିଛି। କାଳିଜାଈରୁ ଦର୍ଶନ ସାରି ଫେରୁଥିବାବେଳେ ଏକ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ନିଖୋଜ ହୋଇଯାଇଛନ୍ତି। ରାତି ବିଳମ୍ବ ହେବାରୁ ଏହି ନିଖୋଜ ଯାତ୍ରୀଙ୍କୁ ଖୋଜିବା ସମ୍ଭବପର ହୋଇନାହିଁ। ରାତି ଯୋଗୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବନ୍ଦ ରଖାଯାଇଛି। ଅନ୍ୟପକ୍ଷରେ, ଉଦ୍ଧାର ହୋଇଥିବା ୧୧ ଜଣଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ବାଲୁଗାଁ ଜେଟିରୁ ଏକ ବେସରକାରୀ ଡଙ୍ଗାରେ ୧୬ ଜଣ ଯାତ୍ରୀ ମା’ କାଳିଜାଈଙ୍କ ଦର୍ଶନ ନିମନ୍ତେ ଚିଲିକା ଭିତରକୁ ଯାଇଥିଲେ। ଏହି ଡଙ୍ଗାରେ ନୟାଗଡ଼ ଶରଣକୁଳ ଅଞ୍ଚଳର ରବି ନାରାୟଣ ଦାସ, ତାଙ୍କ ସ୍ତ୍ରୀ ପ୍ରମୋଦିନୀ ଦାସ ଓ ଝିଅ ଶ୍ରଦ୍ଧାଞ୍ଜଳି ଏବଂ ରଣପୁରର ପ୍ରଦୀପ ମହାନ୍ତି, ତାଙ୍କ ଦୁଇ ଝିଅ ଓ ଦୁଇ ଝିଆରି; ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଭୀଷ୍ମ ପାତ୍ର, ବାଲୁଗାଁ ଅଞ୍ଚଳର କୈଳାସ ଚନ୍ଦ୍ର ପଟ୍ଟନାୟକଙ୍କ ଝିଅ ମୀରାଙ୍କ ସମେତ ୧୬ଜଣ ଯାତ୍ରୀ ଥିଲେ। ସେମାନେ ଦର୍ଶନ ସାରି ଅପରାହ୍ନ ୫ଟା ବେଳକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଡଙ୍ଗାଟି କାଳିଜାଈ ମନ୍ଦିରଠାରୁ ୨ କିଲୋମିଟର ଚାଲି ଆସିବା ପରେ ହଠାତ୍‌ ବର୍ଷା ଓ ଝଡ଼ ତୋଫାନ ହେବାରୁ ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଏହା ଦେଖି ନିକଟରେ ଥିବା ମତ୍ସ୍ୟଜୀବୀ ଓ ଅନ୍ୟ ଡଙ୍ଗାଗୁଡ଼ିକ ସେଠାରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଥିଲେ।  ଫଳରେ, ଏକ ବଡ଼ଧରଣର ଜୀବନହାନିକୁ ଏଡ଼ାଇ ଦିଆଯାଇପାରିଥିଲା। ତେବେ, ଉଦ୍ଧାର ବେଳକୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ମୃତକମାନେ ହେଲେ, ପ୍ରମୋଦିନୀ ଦାସ ଓ ତାଙ୍କ ଝିଅ ଶ୍ରଦ୍ଧାଞ୍ଜଳି ଦାସ (୮) ଏବଂ  ସୁଧାଂଶୁ ଦାସ (୯)। ଗୁରୁତରମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଅପରପକ୍ଷେ ନିଖୋଜ ୨ ଯାତ୍ରୀଙ୍କୁ ଠାବ କରିବା ପାଇଁ ବାଲୁଗାଁ ଓ ଟାଙ୍ଗୀ ଦମକଳବାହିନୀ, ନାଭାଲ ଏବଂ ଓଡ୍ରାଫ ଟିମ୍‌କୁ ନିୟୋଜିତ କରାଯାଇଛି। ତେବେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାଯାଇଛି। ଖବର ପାଇ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ 

ଭୁବନେଶ୍ୱର : ଡଙ୍ଗା ବୁଡ଼ି ୩ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ, ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଧର୍ମେନ୍ଦ୍ରଙ୍କ ଦୁଃଖପ୍ରକାଶ 

ଚିଲିକା ଡଙ୍ଗା ବୁଡ଼ି ଘଟଣାରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର