କୁଟିଙ୍ଗାରେ ଆନ୍ଥ୍ରାକ୍ସ ବ୍ୟାପିଲା : ୪ ଦିନରେ ୩ ମୃତ, ୪ ଆକ୍ରାନ୍ତ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ ଅନ୍ତର୍ଗତ କୁଟିଙ୍ଗାରେ ବହୁ ଲୋକ ଆନ୍ଥ୍ରାକ୍ସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ୪ ଦିନ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ କାଡିଆ ମାଣ୍ଡିଙ୍ଗା (୬୬)ଙ୍କର ମୃତ୍ୟୁ ହୋଇଥିଲା। ଦିନକ ପରେ ପୁଣି ବିଭା ମାଣ୍ଡିଙ୍ଗାଙ୍କର ମୃତ୍ୟୁ ହୋଇଥିବାବେଳେ ମୋଇ ମାଣ୍ଡିଙ୍ଗା (୫୭) ଆକ୍ରାନ୍ତ ହୋଇଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମୋଇଙ୍କର ମୃତ୍ୟୁ ହୋଇଛି। ବର୍ତମାନ ଗାଁର ଲିଉ ମିଣିଆକା, ପବିତ୍ର କୁଳଦୀପ୍‌, ଫୁଲନ୍ତି ମିଣିଆକା ଓ ଲାକମୋ ମିଣିଆକା ପ୍ରମୁଖ ଗୁରୁତର ଅବସ୍ଥାରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। କେବଳ ଲୋକମାନେ ନୁହନ୍ତି, ଏଇ ରୋଗରେ ଗୋରୁଗାଈ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଇତିମଧ୍ୟରେ ୫ଟି ଗୋରୁଗାଈଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ତେବେ, ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳାଇଥିବା ଏହି ରୋଗକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ। ଗୋ-ମାଂସ ଖାଇବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ମାତ୍ର, ମୃତକ ଓ ଆକ୍ରାନ୍ତଙ୍କ ପରିବାର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ତେବେ ଯେଉଁ ୪ଜଣ ବର୍ତମାନ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଆନ୍ଥ୍ରାକ୍ସ ହୋଇଥିବା ସନ୍ଦେହ କରାଯାଇଛି। ଅନ୍ୟ ୩ ଜଣଙ୍କ ରୋଗ ଚିହ୍ନଟ ହୋଇ ନଥିବା ଡାକ୍ତର ଆଶିଷ ନୀଳମାଧବ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର