ଶାବେରୀ ନଦୀରେ ଡଙ୍ଗା ବୁଡ଼ି ଘଟଣା : ୪୮ ଘଣ୍ଟା ପରେ ୩ ଜଣଙ୍କ ଶବ ଉଦ୍ଧାର

ପଡିଆ : ଗତ ଶୁକ୍ରବାର ଦିନ ପଡ଼ୋଶୀ ଛତିଶଗଡ଼ ରାଜ୍ୟର କେରଲାପାଲରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଶାବେରୀ ନଈରେ ଡଙ୍ଗା ଓଲଟି ୩ ଜଣ ନିଖୋଜ ହୋଇଯାଇଥିଲେ। ଆଜି ଅଗ୍ନିଶମ ବିଭାଗ ଓ ପୁଲିସ ପ୍ରଶାସନର ସହଯୋଗରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଦୀର୍ଘ ୪୮ ଘଣ୍ଟା ପରେ ଶାବେରୀ ନଦୀରେ ଘଟଣାସ୍ଥଳରୁ ପ୍ରାୟ ୧ ଶହ ମିଟର ଦୂରରେ ଥିବା ଏକ ପଥର ସନ୍ଧିରୁ ମଞ୍ଜୁ କାବାସି ଓ ମନିକା କାବାସିଙ୍କ ଶବ ମିଳିଥିବା ବେଳେ ଏମପିଭି-୬୬ ଗ୍ରାମ ନଦୀ ଘାଟଠାରୁ ୧ କିମି ଦୂର ତଳ ମୁଣ୍ଡରେ ଡଙ୍ଗା ଚାଳକ ରାଜୁ ପଡିଆମିର ଶବକୁ ଏକ ବୁଦା ଭିତରୁ ଉଦ୍ଧାର କରାଯାଇଛି।

ଗତ ଦୁଇଦିନ ଧରି ନିଖୋଜ ଥିବା ଏହି ତିନି ଜଣଙ୍କୁ ଖୋଜିବା ପାଇଁ ଶାବେରୀ ନଦୀ ତଟସ୍ଥ ଅଞ୍ଚଳରେ ୩ ରାଜ୍ୟର ପ୍ରଶାସନ ପଇଁତରା ମାରୁଥିଲେ। ଆଜି ସକାଳ ପ୍ରାୟ ୧୦ଟା ବେଳେ ଡଙ୍ଗା ବୁଡ଼ି ସ୍ଥାନର ତଳ ମୁଣ୍ଡରେ ଗ୍ରାମର କେହି ବୁଲୁଥିବା ବେଳେ ଶବର ଦୁର୍ଗନ୍ଧ ପାଇ ଗ୍ରାମବାସୀ ଓ ଅଗ୍ନିଶମ ଅଧିକାରୀଙ୍କୁ ଖବର କରିଥିଲେ। ପରେ ପଡ଼ିଆ ଅଗ୍ନିଶମ ଅଧିକାରୀ ବିରେନ୍ଦ୍ର କୁମାର ସିଂ, ଅଗ୍ନି ବିଭାଗ ଅଫିସର ଗୁପ୍ତେଶ୍ୱର ଦାସ ଏକ ଟିମ୍ ନେଇ ପଥର ସନ୍ଧିରେ ଦୁଇ ହାତ ଯୋଡାଯୋଡି ଅବସ୍ଥାରେ ଥିବା ଦୁଇ ଭଉଣୀଙ୍କୁ ଉଦ୍ଧାର କରିଥିଲେ। ସେହିପରି ଏମପିଭି-୬୬ ଗ୍ରାମର ନଦୀ ଘାଟରୁ ପ୍ରାୟ ୧ କିମି ତଳ ମୁଣ୍ଡକୁ ଜଣେ ବୃଦ୍ଧା ମାଛ ଧରିବାକୁ ଯାଇଥିବା ବେଳେ ନଦୀ ମଧ୍ୟରେ ଥିବା ବୁଦା ମୂଳରେ ଜଣେ ଯୁବକଙ୍କ ଶବ ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଅଗ୍ନିଶମ କର୍ମଚାରୀଙ୍କ ସହ ନଦୀକୁ ଯାଇ ଡଙ୍ଗା ଚାଳକ ରାଜୁ ପଡିଆମିର ଶବକୁ ଉଦ୍ଧାର କରିଥିଲେ। ପରେ ଡ଼େପୁଟି କଲେକ୍ଟର ପ୍ରମୋଦ କୁମାର ବେହେରାଙ୍କ ଉପସ୍ଥିତିରେ ତିନିଜଣଙ୍କ ଶବକୁ ଘଟଣାସ୍ଥଳରେ ହିଁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ପ୍ରଶାସନ ପକ୍ଷରୁ ଶବ ଦାହ ପାଇଁ ପ୍ରତ୍ୟକଙ୍କ ପିଛା ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଗତ ଶୁକ୍ରବାର ଦିନ ଛତିଶଗଡ଼କୁ ବଜାର କରିବାକୁ ଯାଇ ଏହି ତିନିଜଣ ଏକ ଦେଶୀ ଡଙ୍ଗା ଯୋଗେ ଗ୍ରାମକୁ ଫେରୁଥିବା ବେଳେ ମଝି ନଈରେ ଡଙ୍ଗା ଓଲଟି ୩ ଜଣ ନିଖୋଜ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର