କ୍ୟାଣ୍ଟର୍‌ ଧକ୍କାରେ ୩ ମୃତ

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ କେ. ନୂଆଗାଁ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୮ ବର୍ଷର ଶିଶୁ କନ୍ୟା ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଜଣଙ୍କୁ ଗୁରୁତର ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଦିଗପହଣ୍ଡି ବ୍ଲକ୍‌ ଦ୍ୱାରଗାଁର ଲକ୍ଷ୍ମୀନାରାୟଣ ପ୍ରଧାନ(୬୩), ୮ ବର୍ଷର ଶିଶୁ କନ୍ୟା ଅଲିଭା ଓ କୋଳଥିଆ ଗ୍ରାମର ଆଦି କନ୍ୟାରୀ(୬୫)। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ଟାୟାର୍‌ ଜାଳି ରାସ୍ତାରୋକ କରିଥିଲେ। ଆଜି ଅପରାହ୍ନ୍‌ରେ ମା’ କାଳୀ ନାମକ ଏକ ଯାତ୍ରୀବାହୀ କ୍ୟାଣ୍ଟର୍‌ ଦିଗପହଣ୍ଡିରୁ ଚିକିଟି ଆସୁଥିଲା। ଅନ୍ୟ ପକ୍ଷରେ ଲକ୍ଷ୍ମୀନାରାୟଣ ପ୍ରଧାନ, ତାଙ୍କ ପତ୍ନୀ ନର୍ମଦା ଏବଂ ୮ ବର୍ଷର ନାତୁଣୀ ଅଲିଭାକୁ ଧରି ହୋଣ୍ଡା ସାଇନ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। କୋଳଥିଆ ଗ୍ରାମର ଜଣେ ବୃଦ୍ଧା ଆଦି କନ୍ୟାରୀ ରାସ୍ତା ପାର ହେଉଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଚାଳକ ଉଦ୍ୟମ କରିଥିଲେ ମଧ୍ୟ କ୍ୟାଣ୍ଟର୍‌ଟି ପ୍ରଥମେ ଆଦି କନ୍ୟାରୀଙ୍କୁ ଓ ତା ପରେ ଲକ୍ଷ୍ମୀ ନାରାୟଣଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଲକ୍ଷ୍ମୀନାରାୟଣ ଓ ଆଦି କନ୍ୟାରୀଙ୍କ ମୃତ୍ୟୁ ଘଟିଥିଲା। ଚିକିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲିଭାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର