କାର୍‌-ବାଇକ୍‌ ମୁହାଁମୁହିଁ : ପ୍ରସୂତିଙ୍କ ସମେତ ୩ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ୩ ଗାଡ଼ି

ସମ୍ବଲପୁର : ସମ୍ବଲପୁର-ସୋନପୁର ୧୫ ନଂ ରାଜ୍ୟ ରାଜପଥର ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ପତ୍ରାପାଲି ଛକରେ ଏକ ଇଣ୍ଡିକା କାର ଓ ଆପାଚି ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକମାନେ ହେଲେ ସମ୍ବଲପୁର ଜିଲ୍ଲା ଭତରାର ପବନ କୁମାର ବାଗ(୨୧), ନରେଶ ବିଶି(୨୧) ଓ ସୋନପୁର ଜିଲ୍ଲା ବିନିକାସ୍ଥିତ ନନ୍ଦନମାଲ ଗ୍ରାମର ହରିପ୍ରିୟା ସା’(୨୪)। ଆହତ ସୋନପୁର ଜିଲ୍ଲା ଭତରାର ମଧୁସୂଦନ ସେଠ(୨୦)ଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ, ଏହି ଘଟଣା ପରେ ଉତ୍ତ୍ୟକ୍ତ‌ ଲୋକେ ଦୁର୍ଘଟଣାଗ୍ରସ୍ତ ଇଣ୍ଡିକା କାର, ବାଇକ୍‌ ଓ ଛିଡ଼ା ‌ହୋଇ ଫଟୋ ଉଠାଉଥିବା ଜଣେ ବ୍ୟକ୍ତିଙ୍କ ଏକ ୱିଙ୍ଗର ଗାଡ଼ିକୁ ପୋଡ଼ି ଦେଇଛନ୍ତି। ସୂଚନା ପାଇ ଉଲୁଣ୍ଡା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସୋନପୁର ଜିଲ୍ଲା ଏସ୍‌ପି ଓ ଏଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ମିଳିଥିବା ସୂଚନା ମୁତାବକ, ସୋନପୁର ଜିଲ୍ଲା ବିନିକା ଥାନା ନନ୍ଦନମାଲର ରୁଦ୍ର ସା’ଙ୍କ ପତ୍ନୀ ହରିପ୍ରିୟାଙ୍କ ଗର୍ଭଯନ୍ତ୍ରଣା ହେବାରୁ ୪ ଦିନ ତଳେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ୨ ଦିନ ତଳେ ଅସ୍ତ୍ରୋପଚାର ମାଧ୍ୟମରେ ହରିପ୍ରିୟା ଏକ ଶିଶୁପୁତ୍ରକୁ ମଧ୍ୟ ଜନ୍ମ ଦେଇଥିଲେ। ସୋମବାର ଅପରାହ୍ନରେ ହରିପ୍ରିୟା ଓ ୨ ସନ୍ତାନକୁ ଇଣ୍ଡିକା କାରରେ ପଠାଇ ତାଙ୍କ ସ୍ବାମୀ ରୁଦ୍ର ପଛେ ପଛେ ବାଇକ୍‌ରେ ଯାଉଥିଲେ। ସେପଟେ, ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଭତରାର ୩ ଜଣ ଯୁବକ ଏକ ଆପାଚି ଆର୍‌ଟିଆର୍‌‌ ଗାଡ଼ିରେ ଉଲୁଣ୍ଡା ଥାନା କେଉଁଟିପାଲିର ଏକ ବରଯାତ୍ରୀ ଯାଇ ଘରକୁ ଫେରୁଥି‌ଲେ। ପତ୍ରାପାଲି ଛକରେ ଇଣ୍ଡିକା କାରଟି ଯାଉଥିବା ବେଳେ ଆପାଚି ଚଳାଉଥିବା ପବନ ବାଗ ଭାରସାମ୍ୟ ହରାଇ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ପବନ ଓ ନରେଶ ବିଶିଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟତମ ବାଇକ୍‌ ଆରୋହୀ ମଧୁସୂଦନ ସେଠ ଗୁରୁତର ଭାବେ ଆହତ ହୋଇଥିଲେ। ସେପଟେ, ଦୁର୍ଘଟଣା ପରେ ହରିପ୍ରିୟା କାର ମଧ୍ୟରେ ଚାପି ହୋଇଯାଇଥିଲେ। କିନ୍ତୁ କାରରେ ଥିବା ଦୁଇ ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣା ପରେ କାର୍‌ ଛାଡ଼ି ଡ୍ରାଇଭର ମଧ୍ୟ ଫେରାର ମାରିଥିଲା। ଏହି ଘଟଣା ପରେ ଉକ୍ତ ବରଯାତ୍ରୀରୁ ବସ୍‌ ଯୋଗେ ସମ୍ବଲପୁର ଫେରୁଥିବା ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଇଥିଲେ। ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ପବନ, ନରେଶ ଓ ହରିପ୍ରିୟାଙ୍କୁ ମୃତ ଗ୍ରହଣ ଘୋଷଣା କରିଥିଲେ। ଏହି ଘଟଣାରେ ଆହତ ହୋଇଥିବା ମଧୁସୂଦନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଇ ଦିଆଯାଇଛି। ଘଟଣା ପରେ ସ୍ଥାନୀୟ ଲୋକେ ଓ କିଛି ବରଯାତ୍ରୀ ମିଶି କାର ଓ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ସୋନପୁର ପଟରୁ ସମ୍ବଲପୁର ଆଡ଼କୁ ଆସୁଥିବା ଏକ ୱିଙ୍ଗର ଡ୍ରାଇଭର ଗାଡ଼ି ରଖି ଫଟୋ ଉଠାଉଥିଲେ। ନିଆଁ ଲଗାଉଥିବା ଲୋକେ ଏହି ଘଟଣାରେ ଉତ୍ତ୍ୟକ୍ତ ହୋଇ ଡ୍ରାଇଭରଙ୍କୁ ମାଡ଼ ମାରିବା ପରେ ୱିଙ୍ଗରରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର