୩ ଜଣଙ୍କୁ ମାରିଦେଲା ଭାଲୁ

ମୃତକଙ୍କ ମଧ୍ୟରେ ଜଣେ ବନ କର୍ମଚାରୀ
୫ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
ମଣିଷମରା ଭାଲୁକୁ ପିଟି ପିଟି ମାରିଦେଲେ

କେନ୍ଦୁଝର : ସୋମବାର ସକାଳେ କେନ୍ଦୁଝର ସଦର ରେଞ୍ଜ ଅଞ୍ଚଳରେ ଏକ ବଣୁଆ ଭାଲୁର ଅତର୍କିତ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ବନ କର୍ମଚାରୀ ଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ମଣିଷମରା ଭାଲୁକୁ ନେଇ ସଂପୃକ୍ତ ଅଞ୍ଚଳରେ ହଇଚଇ ଖେଳି ଯାଇଥିଲା। ଭାଲୁକୁ କାବୁ କରିବା ଲାଗି ବନ ବିଭାଗର ସମସ୍ତ ପ୍ରୟାସ ବିଫଳ ହେବା ପରେ ଉତ୍ତ୍ୟକ୍ତ ଲୋକେ ଭାଲୁଟିକୁ ପିଟିପିଟି ମାରି ଦେଇଥିଲେ। ଭାଲୁ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ବନ ବିଭାଗର ଠିକା କର୍ମଚାରୀ ବିଦେଶୀ ମହାକୁଡ଼ (୪୦), ନବକିଶୋର ନାଏକ (୬୦) ଓ ନୀଳାଦ୍ରି ନାଏକ (୪୫)। ଗୁରୁତର ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ଏବଂ ଅନ୍ୟ ଦୁଇଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ଘଟିଥିବା ଏହି ଘଟଣା ଜିଲ୍ଲାବ୍ୟାପୀ ଆଲୋଡ଼ନ ଖେଳାଇ ଦେଇଛି।

ଘଟଣାଟି ଏମିତି: କେନ୍ଦୁଝର ସହରଠାରୁ ୧୫ କିଲୋମିଟର ଦୂର ରଘୁନାଥପୁର ପଞ୍ଚାୟତ ଖାଡ଼ିଆଡ଼ିହା ଗାଁ ଭାଲୁପାହାଡ଼ି ସାହିର ନବ କିଶୋର ନାଏକ (୬୦), ତାଙ୍କ ପୁଅ ଚନ୍ଦ୍ରଭାନୁ ନାଏକ (୪୦), ସେହି ଗ୍ରାମର ନୀଳାଦ୍ରି ନାଏକ (୪୫) ଓ ପିଅନ ନାଏକ (୪୨) ଆଜି ବଡ଼ିଭୋରରୁ ନିଜ ନିଜ ବଗିଚାକୁ ଯାଉଥିଲେ। ବଗିଚାରେ ସେମାନେ ପନିପରିବା ଚାଷ କରିଛନ୍ତି। ତେବେ ବଗିଚାରେ ପହଞ୍ଚିବା ପୂର୍ବରୁ ପୋଇପାଣି ସଂରକ୍ଷିତ ଜଙ୍ଗଲ ନିକଟରେ ଏକ ବିରାଟ ଭାଲୁ ଝପ୍‌ଟି ଆସି ସେମାନଙ୍କୁ ଆକ୍ରମଣ କରିଥିଲା। ଭାଲୁଟି ପ୍ରଥମେ ନୀଳାଦ୍ରି ନାଏକଙ୍କୁ ଧରି ପକାଇବା ଦେଖି ଅନ୍ୟମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଫଳରେ ଭାଲୁଟି ସମସ୍ତଙ୍କୁ କାମୁଡ଼ି ପକାଇବା ସହ ରାମ୍ପିବିଦାରି ରକ୍ତାକ୍ତ କରି ପକାଇଥିଲା। ଭିଡ଼ାଓଟରା ମଧ୍ୟରେ ଭାଲୁଟି ନୀଳାଦ୍ରିଙ୍କୁ ଛାଡ଼ି ବୃଦ୍ଧ ନବକିଶୋର (୬୦)ଙ୍କୁ ଏକ ଖାଲ ମଧ୍ୟକୁ ଘୋଷାଡ଼ି ନେଇଥିଲା। ଭାଲୁର ହିଂସ୍ର ରୂପ ଦେଖି ନବକିଶୋରଙ୍କୁ ଉଦ୍ଧାର କରିବାକୁ ଆଉ କେହି ସାହସ କରିନଥିଲେ। ଏହି ମଉକାରେ ଭାଲୁ ନବକିଶୋରଙ୍କୁ କାମୁଡ଼ି ଲହୁଲୁହାଣ କରି ପକାଇଥିଲା।

କ୍ଷତବିକ୍ଷତ ସତ୍ତ୍ୱେ ଅନ୍ୟମାନେ ବହୁ କଷ୍ଟରେ ନୀଳାଦ୍ରିଙ୍କୁ କିଛିଦୂରକୁ ଆଣି ବନ ବିଭାଗକୁ ଖବର ଦେଇଥିଲେ। ପରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ନବକିଶୋର ଏବଂ ଚନ୍ଦ୍ରଭାନୁଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ନବକିଶୋରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କିଛି ସମୟ ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ନୀଳାଦ୍ରିଙ୍କୁ ଭାଲୁ ମାରି ସାରିଥିଲା। ରକ୍ତମୁଖା ଭାଲୁକୁ ଘଉଡ଼ାଇବା ଲାଗି ବନ ବିଭାଗ କର୍ମଚାରୀ ବାଣ ଫୁଟାଇଥିଲେ। ଏତିକିବେଳେ ବନ ବିଭାଗର ଜଣେ ଠିକା କର୍ମଚାରୀ ବିଦେଶୀ ମହାକୁଡ଼ଙ୍କ ଉପରେ ଭାଲୁ ଝାମ୍ପିପଡ଼ି ତାଙ୍କୁ ଖଣ୍ଡେ ବାଟ ଘୋଷାଡ଼ି ନେଇଥିଲା। ଭାଲୁ କବଳରୁ ବିଦେଶୀଙ୍କୁ ରକ୍ଷା କରିବା ଲାଗି ବନ କର୍ମଚାରୀମାନେ ଅନ୍ୟ ଉପାୟ ନପାଇ ଫାଙ୍କା ଗୁଳି ଚଳାଇଥିଲେ। ହେଲେ ଭାଲୁ ଛାଡ଼ିନଥିଲା ବିଦେଶୀଙ୍କୁ। ନଖରେ ରାମ୍ପିବିଦାରି ପକାଇବା ବେଳେ ସେଠାରେ ଉପସ୍ଥିତ ଥିବା ଶହ ଶହ ଲୋକ ଠେଙ୍ଗାବାଡ଼ି ଧରି ଭାଲୁକୁ ଚାରିପଟୁ ଘେରି ଯାଇଥିଲେ ଏବଂ ସେଇଠି ପିଟିପିଟି ମାରି ଦେଇଥିଲେ। ଗୁରୁତର ଅବସ୍ଥାରେ ବିଦେଶୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ହେଁ ତାଙ୍କର ପ୍ରାଣହାନି ହୋଇ ସାରିଥିଲା।

ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରବୀନ୍ଦ୍ର ନାଏକ (୫୫), ଅଜିତ ନାଏକ (୧୮) ଓ ଚନ୍ଦ୍ରଭାନୁ ନାଏକ (୫୦)ଙ୍କୁ ଆଶୁ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସାମାନ୍ୟ ଆହତ ହୋଇଥିବା ଅମିନ ନାଏକ ଓ ପାଣ୍ଡବ ନାଏକ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଯାଇଛନ୍ତି। କଟକ ଯାଇଥିବା ୩ ଜଣଙ୍କୁ ବନ ବିଭାଗ ପକ୍ଷରୁ ୫ ହଜାର ଟଙ୍କା ଲେଖା ସହାୟତା ଦିଆଯାଇଛି।

ସମ୍ବନ୍ଧିତ ଖବର