ବ୍ରାହ୍ମଣୀରେ ବୁଡ଼ି ୩ ମୃତ

ରାଉରକେଲା/ଲହୁଣୀପଡା: ବ୍ରାହ୍ମଣୀ ନଦୀରେ ବୁଡ଼ି ଆଜି ୩ ଜଣଙ୍କ ମୃତ୍ୟୁ ଘଟିଛି। ଡଙ୍ଗାରେ ବସି ସେଲ୍‌ଫି ଉଠାଉଥିବା ସମୟରେ ପାଣିରେ ବୁଡ଼ି ଯାଇ ଦୁଇ ଜଣ ଛାତ୍ର ପ୍ରାଣ ହରାଇଥିବା ବେଳେ ପାନପୋଷ ଘାଟରେ ଗାଧୋଉଥିବା ଜଣେ ଯୁବକଙ୍କ ସଲିଳ ସମାଧି ଘଟିଛି। ଲହୁଣିପଡ଼ା ଓ ରଘୁନାଥପାଲି ପୁଲିସ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ଲହୁଣିପଡା ଥାନା ଅନ୍ତର୍ଗତ ଦର୍ଜିଂ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରେ ଥିବା ସିଆଳିକୁଦରକୁ ବଣ ଭୋଜି କରିବା ପାଇଁ ରାଉରକେଲା ସିଟି କମର୍ସ ଏକାଡେମୀର ପ୍ରାୟ ୪୦ଜଣ ଛାତ୍ର ଯାଇଥିଲେ। ଭୋଜି ଚାଲିଥିବା ବେଳେ କେତେକ ଛାତ୍ର ଏକ ହୁଲି ଡଙ୍ଗାରେ ବସି ନଦୀ ଭିତରେ ସେଲ୍‌ଫି ଉଠାଉଥିଲେ। ଭାରସାମ୍ୟ ହରାଇ ଡଙ୍ଗାଟି ପାଣିରେ ବୁଡ଼ି ଯାଇଥିଲା। ଫଳରେ ଡଙ୍ଗାରେ ବସିଥିବା ୬ ଜଣ ଛାତ୍ର ପାଣିରେ ପଡିଯାଇଥିଲେ। ସେମାନଙ୍କ ମଧ୍ୟରୁ ପହଁରା ଜାଣି ନଥିବା ମହମ୍ମଦ ସଦ୍ଦାମ ଓ ମହମ୍ମଦ ଶେଖଲିନ ପାଣିରେ ବୁଡ଼ି ଯାଇ ମୃତ୍ୟୁବରଣ କରିଥିଲେ। ପାଣିରେ ବୁଡୁଥିବା ସାଙ୍ଗକୁ ବଞ୍ଚାଇବାକୁ ଯାଇ ମହମ୍ମଦ ଅଫଜଲ୍‌ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଲହୁଣିପଡ଼ା ଓ ପରେ ରାଉରକେଲା ନିଆଯାଇଛି। ନିକଟରେ ମାଛ ମାରୁଥିବା ଧିବର ତଥା ସ୍ଥାନୀୟ ବାସିନ୍ଦା ହର୍ସିଲ ଓରାମ, ଚୁମନ ଓରାମ ଓ ଚାମା ଓରାମ ବୁଡ଼ି ଯାଉଥିବା ଅନ୍ୟ ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ।

ମୃତ ମହମ୍ମଦ ସଦ୍ଦାମ୍‌ ଆଲମର ଘର ରାଉରକେଲା ଭାଟିରୋଡ ଏବଂ ମହମ୍ମଦ ଶେଖଲିନ୍‌ର ଘର ନାଲାରୋଡ ସ୍ଥିତ ମହୁଆ ଅଲ୍ଲି ଲେନରେ ବୋଲି ଜଣାପଡ଼ିଛି। ସେହିପରି ଛେଣ୍ଡ ବସ୍ତି ନିକଟ ବ୍ରାହ୍ମଣୀ ନଦୀର ଗୃହସ୍ଥୀ ଘାଟରେ ବୁଡ଼ି କିସାନଟୋଲିର ନକୁଳ ସାହୁ (୪୦)ଙ୍କ ମୃତ୍ୟୁ ଘଟିଛି। ଗତକାଲି ସେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କର ମୃତ ଶରୀର ପଣ୍ଡା କଲୋନି ନିକଟରେ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ନକୁଳ ବିହାର ନାଳଦା ଅଞ୍ଚଳର।

 

ସମ୍ବନ୍ଧିତ ଖବର