ଘାଟିରୁ ଖସିପଡ଼ିଲା ରିଲିଫ୍ ଟ୍ରକ୍ : ସମସ୍ତ ୩ ଯାତ୍ରୀ ମୃତ, ମୃତକଙ୍କ ମଧ୍ୟରେ ଆରଡବ୍ଲୁଏସ୍‌ଏସ୍‌ ଡ୍ରାଫ୍ଟସ୍‌ମ୍ୟାନ୍‌

ରା.ଉଦୟଗିରି : ‌ଗଜପତି ଜିଲ୍ଲା ରା.ଉଦୟଗିରି ନିକଟ ବାଦପୁର ଘାଟିରେ ଦୁଇ ଶହ ମିଟର ତଳକୁ ଖସି ପଡ଼ିଛି ଏକ ରିଲିଫ୍ କମ୍ବଳ ବୋଝେଇ ଟ୍ରକ୍। ଏଥିରେ ଯାଉଥିବା ଟ୍ରକ୍ ମାଲିକ, ଡ୍ରାଇଭରଙ୍କ ସମେତ ସମସ୍ତ ତିନି ଯାତ୍ରୀ ପ୍ରାଣ ହରାଇଛନ୍ତି। ଆଜି ଦିନ ଗୋଟାଏ କୋଡ଼ିଏ ମିନିଟ୍ ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ବସିଥିବା ଟ୍ରକ୍‌ ମାଲିକ ପାରଳାଖେମୁଣ୍ତି ନିବାସୀ ରାମାରାଓ ଲୋପିଣ୍ଟି, ଭବାନୀପାଟଣା ନିବାସୀ ତଥା ଗଜପତି ଜିଲ୍ଲା ଆରଡବ୍ଲୁଏସଏସ ବିଭାଗରେ ଡ୍ରାଫ୍ଟସମ୍ୟାନ୍ ଭାବେ କାର୍ଯ୍ୟରତ ମଳୟ କୁମାର ତ୍ରିପାଠୀ ଓ ଡ୍ରାଇଭର ଶ୍ରୀକାକୁଲମ୍‌ ପାଲକୋଣ୍ତାର ନାରାୟଣ ରାଓଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ସମସ୍ତେ ରିଲିଫ୍ ବଣ୍ଟନ ଦାୟିତ୍ବରେ ଯାଉଥିଲେ ଓ ଶ୍ରୀ ତ୍ରିପାଠୀ ସ୍ବତନ୍ତ୍ର ଭାବେ ତିତଲି ରିଲିଫ୍ କୋଅର୍ଡ଼ିନେଟର ଦାୟିତ୍ବରେ ଥିଲେ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି। ଦୁର୍ଘଟଣା ସଂପର୍କରେ ସ୍ବତନ୍ତ୍ର ରିଲିଫ୍ କମିସନର୍‌ଙ୍କୁ ରିପୋର୍ଟ ଦିଆଯାଇଛି। ସରକାରୀ ନିୟମାନୁସାରେ ସମସ୍ତ ମୃତକଙ୍କ ପରିବାରକୁ ସରକାରୀ କ୍ଷତିପୂରଣ ମିଳିବ ବୋଲି ଶ୍ରୀ ଶାହା କହିଛନ୍ତି।

ରିଲିଫ୍‌ କମ୍ବଳ ବୋଝେଇ କରି ଟ୍ରକ(ଏପି-୦୭ଟିଟି ୩୨୯୯) ପାରଳାଖେମୁଣ୍ତିରୁ ମୋହନା ଯାଉଥିଲା। ଦେଖଣାହାରୀଙ୍କ କହିବାନୁଯାୟୀ ଟ୍ରକ୍‌ଟି ଘାଟି ରାସ୍ତାର ଏକ ପାର୍ଶ୍ବରେ ଭାରସାମ୍ୟ ହରାଇ ଉଡ଼ିଲା ଭଳି ସିଧାସଳଖ ତଳକୁ ଖସିପଡ଼ି ଚୁର‌୍‌ମାର‌୍‌ ହୋଇ ଯାଇଥିଲା। ଖବର ପାଇ ରା.ଉଦୟଗିରି ବିଡିଓ ପ୍ରଦୀପ କୁମାର ନାୟକ, ଏସ୍‌ଡିପିଓ ଅନୀଲ କୁମାର ପ୍ରଧାନ, ଇନ୍‌ସପେକ୍ଟର ଗୋପୀନାଥ ପ୍ରଧାନ, ଏସଆଇ ପରମାନନ୍ଦ ଦଳେଇ ସଦଳବ‌େଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଦମକଳ ବାହିନୀର ଚନ୍ଦ୍ରଶେଖର ସାହୁ, ସରୋଜ କୁମାର ବେହେରା, ସୁମନ୍ତ ଭୋଇ, ଚନ୍ଦ୍ରଶେଖର ସେଠୀ, ପବିତ୍ର ବେହେରା, ଋଷି ବରିହା ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ତିନି ମୃତଦେହ ଉଦ୍ଧାର କରାଯିବା ସହ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତା’ର ତଦନ୍ତ ଜାରି ରହିଛି। ରାସ୍ତା ତିଆରି ହେବା ପରଠାରୁ ଅଣଓସାରିଆ ବାଦପୁର ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ପାର୍ଶ୍ବବର୍ତୀ ପାହାଡ଼ କାଟି ଘାଟି ରାସ୍ତା ଓସାରିଆ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର