ବାଇକ ସହ ଟାଟା ସୁମୋ ମୁହାଁମୁହିଁ ଧକ୍କା, ୩ ମୃତ

ପାରଳାଖେମୁଣ୍ଡି/ରାୟଗଡ଼ : ଆଜି ସଧ୍ୟାରେ ରାୟଗଡ଼ଠାରେ ଏକ ଦୁର୍ଘଟଣା ଘଟି ଏଥିରେ ୩ ଜଣ ମୃତ୍ୟୁବରଣ କରିଛନ୍ତି। ଏକ ବାଇକ ସହ ଟାଟା ସୁମୋ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁଃଖଦ ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ପ୍ରକାଶ। ମୃତକମାନେ ହେଲେ ରାୟଗଡ଼ ବ୍ଲକ ଗଣ୍ଡାହାତୀ ପଞ୍ଚାୟତ ଗାରାବନ୍ଧ ଥାନା ତମନ୍ତରା ଗ୍ରାମର ଲେମ୍ବା ଶବର, ଭିକୁ ଶବର, ବଳରାମ ଶବର।

ମିଳିଥିବା ସୂଚନାନୁଯାୟୀ, ଦିନବେଳେ ତମନ୍ତରା ଗ୍ରାମରେ ଜଣେ ଛୋଟ ଝିଅକୁ ‌ଏକ ବୋଲେରୋ ଧକ୍କା ଦେବା ଫଳରେ ସେ ସାମାନ୍ୟ ଆହତ ହୋଇଥିଲା। ତାକୁ ସେଇ ବୋଲୋରେ‌ାରେ ନିଆଯାଇ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିବାରୁ ତାକୁ ଦେଖିବା ପାଇଁ ତମନ୍ତରା ଗ୍ରାମର ଲେମ୍ବା, ଭିକୁ ଓ ବଳରାମ ଏକ ବାଇକରେ ଯାଉଥିବା ବେଳେ ପାରଳାଖେମୁଣ୍ଡି ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟାଟା ସୁମୋ ଗୋଲଡ୍ ସହ ଧକ୍କା ଖାଇଥିଲେ। ଫଳରେ, ଆରୋହୀ ଦୁଇଜଣ ତଳକୁ ଛିଟିକି ପଡ଼ିଥିଲେ। ତେବେ ଧକ୍କା ପରେ ବାଇକର ପେଟ୍ରୋଲ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା। ନିଆଁରେ  ବାଇକ ଚାଳକ ବାଇକ ସହ ପୋଡ଼ି ଯାଇଥିଲା। ତିନି ବାଇକ ଆରୋହୀଙ୍କ କରୁଣ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ‌ଉତ୍ତେଜିତ ହୋଇ ରାସ୍ତାରୋକ କରିଥିଲେ। ତେବେ, ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ମୃତ ଦେହ ବ୍ୟ‌ବଚ୍ଛେଦ ନିମନ୍ତେ ପଠାଇଥିଲେ।

ସମ୍ବନ୍ଧିତ ଖବର