ବାଇକକୁ ପିଟିଲା କାର୍‌, ୩ ମୃତ

ସୋର/ବାହାନଗା : ୧୬ ନମ୍ବର ଜାତୀୟ ରାଜପଥର ସୋର ସନ୍ନିକଟ ଦହିସଡା ନାଇକବନ୍ଧ ଛକ ପାଖରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଶ୍ରୀକାନ୍ତ ବେହେରା (୫୩) ଓ ଗୁରୁପ୍ରସାଦ ଜେନା (୫୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ରୀକାନ୍ତଙ୍କ ପୁଅ ଶଶିକାନ୍ତ (୧୯)ଙ୍କ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଶ୍ରୀକାନ୍ତଙ୍କ ଘର ସୋର ବ୍ଲକର ଦହିସଡ଼ା ଗାଁରେ ଓ ଗୁରୁପ୍ରସାଦଙ୍କ ଘର କୁରୁଡ଼ା ଅଞ୍ଚଳରେ। ଦୁର୍ଘଟଣାରେ ଗୁରୁତର ଆହତ ଉମାକାନ୍ତ ନାୟକ ଏବେ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୂଚନା ମୁତାବକ ଦହିସଡ଼ା ଗାଁର ଶ୍ରୀକାନ୍ତ ଓ ତାଙ୍କ ପୁଅ ଶଶିକାନ୍ତ (୧୯) ବାଇକ ଯୋଗେ ନାଇକବନ୍ଧ ନିକଟରେ ରାସ୍ତାର ବାମରୁ ଡାହାଣ ପଟକୁ ଯାଉଥିଲେ। ସେତିକି ବେଳେ ଅନ୍ୟ ଏକ ବାଇକରେ କୁରୁଡାର ଗୁରୁପ୍ରସାଦ ଓ ଉମାକାନ୍ତ ନାୟକ ମଧ୍ୟ ରାସ୍ତା ଅତିକ୍ରମ କରୁଥିଲେ। ହଠାତ୍‌ ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଏକ କାର୍‌ ଓଡି-୦୧ପି-୨୬୦୦ ସେମାନଙ୍କୁ ଧକ୍କା ଦେଇଥିଲା। ଦ୍ରୁତ ଗତିରେ ଯାଉଥିବାରୁ କାର୍‌ଟି ବାଇକ ଦୁଇଟିକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତାକଡ଼ ନୟନଯୋଡିକୁ ଗଡ଼ିଯାଇଥିଲା। କାର୍‌ ଧକ୍କାରେ ଶ୍ରୀକାନ୍ତ ଓ ଗୁରୁପ୍ରସାଦଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଶଶିକାନ୍ତ ଓ ଉମାକାନ୍ତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଗୁରୁତର ଆହତ ଶଶିକାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାତି ପ୍ରାୟ ୯ଟା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ଖବର ପାଇ ସୋର ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଦୀର୍ଘସମୟ ଧରି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏନଏଚଏଆଇ କର୍ତ୍ତୃପକ୍ଷ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।

ସମ୍ବନ୍ଧିତ ଖବର