ଟ୍ରକ୍ ଧକ୍କାରେ ୩ ସ୍କୁଟି ଆ‌ରୋହୀଙ୍କ ମୃତ୍ୟୁ

ଅନୁଗୁଳ/ନାଲକୋନଗର : ଅନୁଗୁଳର ପିଟିସିି ମୁଖ୍ୟ ଫାଟକ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ସ୍କୁଟି ଯାଉଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ୩ ଜଣ ହେଲେ ତୁରଙ୍ଗ ଗ୍ରାମ ନାଏକସାହିର ସଂଗ୍ରାମ ନାଏକ(୨୫), ଦୀପୁ ନାଏକ(୨୩) ଓ ଦିଲ୍ଲୀପ ନାଏକ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଅଞ୍ଚଳବାସୀ କ୍ଷତିପୂରଣ ଦାବିରେ ୬ଘଣ୍ଟା ରାସ୍ତା ଅବରୋଧ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୨ଟାରେ ତୁରଙ୍ଗରୁ ଅନୁଗୁଳ ଅଭିମୁଖେ ଉପରୋକ୍ତ ୩ ଜଣ ଯୁବକ ଏକ ସ୍କୁଟିରେ ଆସୁଥିଲେ। ପିଟିସି ମୁଖ୍ୟ ଫାଟକ ନିକଟରେ ଅନୁଗୁଳ ପଟୁ ଯାଉଥିବା ଏକ ଟ୍ରକ୍ ସହ ସେମାନଙ୍କୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ସଂଗ୍ରାମ ଓ ଦୀପୁଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲୀପ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଗୁରୁତର ଦିଲୀପଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣା ପରେ ତୁରଙ୍ଗ ଗାଁର ବହୁ ଲୋକ ଅନୁଗୁଳ ଥାନାରେ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିଥିଲେ। ଦିନ ୧୨ଟାରେ ଗାଁର ବହୁ ମହିଳା ପୁରୁଷ ୫୫ ନମ୍ବର ଜାତୀୟ ରାଜପଥରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ରାଜପଥରେ ଯାତାୟାତ ଠପ୍ ହୋଇଯାଇଥିଲା। ଅନୁଗୁଳ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ମାଲିକଙ୍କୁ ଥାନାକୁ ଡକାଇ ମୃତକଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ କହିଥିଲା। ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେବାପରେ ସନ୍ଧ୍ୟା ସାଢ଼େ ୫ଟାରେ ଲୋକେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

ସମ୍ବନ୍ଧିତ ଖବର