ବସ ଓଲଟି ଦମ୍ପତିଙ୍କ ସମେତ ୩ ମୃତ, ପୁଅ ଗୁରୁତର

ଅସ୍ଥି ବିସର୍ଜନ ସାରି ଫେରିବା ବେଳେ ଦୁର୍ଘଟଣା

ବୁର୍ଲା/ବ୍ରଜରାଜନଗର : ଛତିଶଗଡ଼ର ବିଲାସପୁର ବଂଜାରୀ ଘାଟିରେ ହୋଇଥିବା ବସ୍‌ ଦୁର୍ଘଟଣାରେ ବୁର୍ଲାର ଏକ ଦମ୍ପତି ପ୍ରମୋଦ କୁମ୍ଭାର (୫୨) ଓ ତାଙ୍କ ପତ୍ନୀ ରେବତୀ କୁମ୍ଭାର (୪୦) ଏବଂ ବ୍ରଜରାଜନଗରର ଆରତି ବାଘ (୧୭)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆହତ ୧୨ରୁ ଅଧିକ ବିଲାସପୁର ସିମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ରବିବାର ସକାଳ ୬ଟାରେ ଏହି ଦୁର୍ଘଟଣା ଘଟିଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଶ୍ରମିକ ଭାବେ କାମ କରୁଥିବା ବୁର୍ଲା ମହତାବ ନଗର ନିବାସୀ ସ୍ୱର୍ଗତ ପ୍ରମୋଦ କୁମ୍ଭାର ଓ ତାଙ୍କ ପତ୍ନୀ ରେବତୀ , ପୁଅ ବିଶାଲ କୁମ୍ଭାର (୧୮) ବ୍ରଜରାଜନଗର ମାମୁଁ ଘର ପରିବାରର ଅସ୍ଥି ବିସର୍ଜନ କାର୍ଯ୍ୟରେ ଆହ୍ଲାବାଦ ଯାଇ ଏକ ବସରେ ଫେରୁଥିଲେ। ବସଟି ବିଲାସପୁର ଜିଲ୍ଲା କେନ୍ଦା ଗାଁ ନିକଟ ଘାଟି ତଳକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ କୁମ୍ଭାର ଦଂପତିଙ୍କ ସହ ବ୍ରଜରାଜନଗର ଇଏସଆଇ ଛକ ନିକଟ ନୂଆପଡ଼ାର ଆରତିଙ୍କ ମୃତ୍ୟୁ ହୋଇଥିଲା। ପ୍ରମୋଦଙ୍କ ପୁଅ ବିଶାଳ ଗୁରୁତର ଆହତ ହୋଇଛନ୍ତି।

ସେମାନଙ୍କ ସହ ବସ୍‌ରେ ଆସୁଥିବା ଗୋପାଳ ବାଘ, ଗୋବିନ୍ଦ ବାଘ, କମଳା ବାଘ, ସଂଜୟ ବେହେରା, ସୁକଦେବ ବେହେରା, ଜୟଦେବ ବେହେରା, ବୈଷ୍ଣବୀ, ଜୋଟୋ ସୁନା ମଧ୍ୟ ଆହତ ହୋଇଛନ୍ତି। ଗତ ୨୧ ତାରିଖରେ ବ୍ରଜରାଜନଗର ଓ ବୁର୍ଲାରୁ ୨୨ ଜଣ ଅସ୍ଥି ବିସର୍ଜନ ପାଇଁ ଆହ୍ଲାବାଦ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୬ ଜଣ ଶନିବାର ଅପରାହ୍‌ଣ ସାଢ଼େ ୪ଟା ସମୟରେ ଏକ ବସରେ ବିଲାସପୁରକୁ ଆସୁଥିଲେ। ଟ୍ରେନ୍‌ ବିଳମ୍ବ ହେଲେ ବିଲାସପୁରରୁ ବ୍ରଜରାଜନଗରକୁ ଆସୁଥିବା ଟ୍ରେନ୍‌ ଆଉ ମିଳିବ ନାହିଁ ବୋଲି ଭାବି ସେମାନେ ବସ୍‌ରେ ଆସୁଥିଲେ ବୋଲି ଟ୍ରେନ୍‌ରେ ବ୍ରଜରାଜନଗର ପହଞ୍ଚିଲା ପରେ କିଛି ସହଯାତ୍ରୀ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଯାଇଥିବା ୨୨ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଟ୍ରେନ୍‌ରେ ଏବଂ ଆଉ ଜଣେ ଅଲଗା ଏକ ବସ୍‌ରେ ବିଲାସପୁର ପହଞ୍ଚିଥିବା ଜଣାପଡ଼ିଛି। ଦୁର୍ଘଟଣା ଖବର ମିଳିଲା ପରେ ବୁର୍ଲା ମହତାବନଗର ଓ ବ୍ରଜରାଜନଗର ନୂଆପଡ଼ାରେ ଶୋକ ଖେଳି ଯାଇଛି। ସୋମବାର ବିଲାସପୁରରେ ତିନି ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର