ବଜ୍ରପାତରେ ୩ ମୃତ, ଜଣେ ଗୁରୁତର

କପ୍ତିପଦା ବ୍ଲକ୍‌ରେ ବଜ୍ରପାତରେ ୧୦ ଗୋରୁ ମୃତ

ରାଜନଗର/କଣ୍ଡିଆହାଟ/କୁଜଙ୍ଗ : ଗତ ଦୁଇଦିନ ହେଲା କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ବଜ୍ରପାତ ଆତଙ୍କ ସୃଷ୍ଟି କରିଛି। ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା, ଗରଦପୁର ଓ ମାର୍ଶାଘାଇ ଅଞ୍ଚଳରେ ୫ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଆଜି ରାଜନଗର ଓ ରାଜକନିକା ବ୍ଲକରେ ୨ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌ରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ରାଜନଗରରେ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, ରାଜନଗର ବ୍ଲକ୍‌ ରାଜପୁର ଗାଁର ପ୍ରହ୍ଲାଦ ମଲ୍ଲିକ (୬୦) ଓ ଅନନ୍ତ ଚରଣ ଦାସ (୩୨) ବିଲରେ ଧାନ ରୋଉଥିବା ବେଳେ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା। ପାଖ ବିଲରେ ଧାନ ରୋଉଥିବା ଲୋକେ ସେମାନଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠ‌ାରେ ଡାକ୍ତର ପ୍ରହ୍ଲାଦଙ୍କୁ ମୃତ ଘୋଷଣା କରିଥିଲେ। ଅନନ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ରାଜକନିକା ବ୍ଲକ ଚରପଡା ପଞ୍ଚାୟତ ଅଧୀନ କଣ୍ତିଆ ରସିକନଗର ଗ୍ରାମର ଜଗନ୍ନାଥ ଦାସ (୩୨)ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ମଲ୍ଲୀପୁରା ଗ୍ରାମର ସୁବାସ ବିଶ୍ବାଳ(୪୫) ଆଜି ମଧ୍ୟାହ୍ନ ସମୟରେ ଜମିରେ ଚାଷ କରୁଥିବା ସମୟରେ ବଜ୍ରପାତ ହେବାରୁ ସେ ଜମିରେ ଟଳି ପଡ଼ିଥିଲେ।

ବଜ୍ରପାତରେ ୧୦ ଗୋରୁ ମୃତ

କପ୍ତିପଦା/ଶାଳଚୁଆ : କପ୍ତିପଦା ବ୍ଲକ୍‌ର ମାଙ୍କଡ଼ପଡା ପଞ୍ଚାୟତ ଅନ୍ତର୍ଗତ ବନ୍ଧମାଳ ଗ୍ରାମରେ ବଜ୍ରପାତ ଘଟି ୧୦ ଗୋରୁଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନ ୧ଘଟିକା ସମୟରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। ବନ୍ଧମାଳ ଗ୍ରାମରେ ଏକ ପଡିଆରେ ଗୋରୁଗାଈ ଚରୁଥିବା ସମୟରେ ହଠାତ୍ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ବିଲା ମାରାଣ୍ତି ଓ ରାଗ ସିଂଙ୍କ ୧୦ଟି ଗୋରୁଙ୍କ ମୃତ୍ୟୁ ଘଟିଥିଲା। ତେବେ ମୃତ ଗୋରୁମାନଙ୍କ ମାଲିକମାନେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର