ଜୀବନ ହାରିଲେ ୩ ଚାଷୀ

ସମ୍ବଲପୁର/ ସିଂଘିଯୁବା : ଫସଲହାନି ଆଜି ଗୋଟିଏ ଦିନରେ ନେଇଛି ୩ ଚାଷୀଙ୍କ ଜୀବନ। ଚାଷରେ କ୍ଷତିଗ୍ରସ୍ତ ହୋଇ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ମହୁଲପାଲି ଗ୍ରାମର ନାରାୟଣ ବରିହା(୪୫) ଓ ଲରମ୍ଭା ଥାନା ଦମେଇପାଲି ଗ୍ରାମର ପୁଅ ରାଜେଶ ସେଠ (୨୦) ଏବଂ ସୋନପୁର ଥାନା ବିନିକା ଥାନା ସଂଘିଯୁବା ଗ୍ରାମର ଚାଷୀ ଭୁତୁଲୁ କର୍ଣ୍ଣ(୫୯)।

ମହୁଲପାଲି ଗ୍ରାମର ନାରାୟଣ ଧାନ ଚାଷ କରିଥିଲେ। ଗତ ୨୯ ତାରିଖ ଦିନ କ୍ଷେତକୁ କୀଟନାଶକ ପକାଇବାକୁ ଯାଇଥିବା ବେଳେ ପୋକ ଲାଗି ଫସଲ ନଷ୍ଟ ହୋଇଥିବା ଦେଖି ଭାଙ୍ଗିପଡ଼ିଥିଲେ। ସେଠାରେ ସେ କୀଟନାଶକ ପିଇ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲେ। ତୁରନ୍ତ ତାଙ୍କୁ ଆଗଲପୁର ମେଡିକାଲରେ ଭର୍ତ୍ତି କରିଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଜିଲ୍ଲା ସଦର ମେଡିକାଲକୁ ନିଆଯାଇଥିଲା। ତେବେ ତାଙ୍କ ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ଅଣାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଦମେଇପାଲି ଗ୍ରାମର ଦାମନ ସେଠଙ୍କ ପୁଅ ରାଜେଶ ୬୦ ଏକର ଜମିରେ କପା ଚାଷ କରିଥିଲେ। ଗତ ୨୮ ତାରିଖ ଦିନ ବାପାଙ୍କ ସହ ରାଜେଶ କ୍ଷେତକୁ ଯାଇଥିଲେ। କପା ଚାଷ ଉଜୁଡ଼ିଯାଇଥିବା ଦେଖି ରାଜେଶ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ। ତାଙ୍କ ବାପା ଘରକୁ ଫେରିବା ପରେ ରାଜେଶ ବିଲରେ କୀଟନାଶକ ପିଇ ଦେଇଥିଲେ। ଘରକୁ ଫେରି ବାନ୍ତି କରିବା ପରେ ତାଙ୍କୁ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ଅଣାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି।

ସିଂଘିଯୁବାର ଭୁତୁଲୁ କର୍ଣ୍ଣ ଚଳିତ ବର୍ଷ ଧାନ ଚାଷରେ ରୋଗପୋକ ଯୋଗୁଁ ସେ କ୍ଷତିଗ୍ରସ୍ତ ହୋଇଥିଲେ। ଋଣବୋଝ ଚିନ୍ତାରେ ନିଜ ବିଲ ନିକଟରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ପଦ୍ମାବତୀ ଅଭିଯୋଗ କରିଛନ୍ତି। ଭୁତୁଲୁ ନିଜ ବିଲକୁ ଧାନ କାଟିବାକୁ ଯାଇଥିଲେ। ଅପରାହ୍ନ ୩ଟା ସୁଦ୍ଧ ନ ଫେରିବାରୁ ବଡପୁଅ ପ୍ରହଲ୍ଲାଦ ଜମିକୁ ଯାଇଥିଲେ। ସେଠାରେ ବାପାଙ୍କ ଶବ ଗଛରେ ଝୁଲୁଥିବା ଦେଖିଥିଲେ। ଚାଷରେ କ୍ଷତି ସହ ଦୁଇବର୍ଷ ତଳେ ଭୁତୁଲୁ ଝିଅ ବାହାଘର ପାଇଁ ଲକ୍ଷାଧିକ ଟଙ୍କା ଧାର କରଜ କରିଥିଲେ। ସେଥିପାଇଁ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର