ଟଙ୍କା ପାଇଁ ୩ ନାବାଳକଙ୍କ ଜଘନ୍ୟକାଣ୍ଡ, ସାଙ୍ଗକୁ ବେକ ଯାଏ ପୋତିଦେଲେ

କୁଜଙ୍ଗ: ଜଣେ ୭ମ ଶ୍ରେଣୀ ଛାତ୍ରଙ୍କୁ ଧମକ ଦେଇ ନିୟମିତ ଟଙ୍କା ଆଦାୟ କରୁଥିଲେ ତିନି ଜଣ ନାବାଳକ। ଗତକାଲି କିନ୍ତୁ ଛାତ୍ର ଜଣକ ଟଙ୍କା ନ ଦେବାରୁ ତାଙ୍କୁ ବାଲିରେ ବେକ ପର୍ଯ୍ୟନ୍ତ ପୋତି ଦେବା ସହିତ ମାରିଦେବାକୁ ଧମକ ଦେଇଥିଲେ ୩ ଜଣ ନାବାଳକ। ଛାତ୍ରଜଣକ ଗୁହାରି ହୋଇ ପୁଣି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ତାଙ୍କୁ ଛାଡ଼ି ଦେଇଥିଲେ। ଏଭଳି ଘଟଣା ସଂପର୍କରେ ଆଜି କୁଜଙ୍ଗ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ଦାଏର୍‌ କରି ତଦନ୍ତ ଆରମ୍ଭ କରିଛି। ଏଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ମୁତାବକ, ଜିଲ୍ଲାନାସୀ ଅଞ୍ଚଳର ପ୍ରକାଶ ସାହୁଙ୍କ ପୁଅ ସୁମିତ୍ର(ଉଭୟ ଛଦ୍ମନାମ) ତେନ୍ତୁଲିଆ ଖମାର ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢ଼ନ୍ତି। ସୁମିତ୍ର ନିୟମିତ ସଂଧ୍ୟାରେ ଟିଉସନ୍‌ ହେବାକୁ ଯିବା ବେଳେ ୮ମ ଶ୍ରେଣୀର ଛାତ୍ର କୈଳାସ ବେହେରା(ଛଦ୍ମନାମ) ଓ ତାଙ୍କର ଦୁଇଜଣ ସାଥୀ ସୁମିତ୍ରଙ୍କୁ ଧମକ ଦେଇ ତାଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଡରରେ ସୁମିତ୍ର ଏ ସମ୍ପର୍କରେ ଘରେ କାହାକୁ କହୁ ନଥିଲେ। ଓଲଟା ଘରୁ ଶହେ, ଦୁଇ ଶହ ଟଙ୍କା ଲୁଚାଇ ଆଣି ସେମାନଙ୍କୁ ନିୟମିତ ଦେଉଥିଲେ। ଟଙ୍କା ନେଇ ତିନି ନାବାଳକ ସେଥିରେ ନିଶା ଦ୍ରବ୍ୟ ସେବନ କରୁଥିବା କୁହାଯାଉଛି। ଗତ ୯ ତାରିଖରେ ଭାରତ ବନ୍ଦ ଥିବାରୁ ବିଦ୍ୟାଳୟ ବନ୍ଦ ଥିଲା। ସେଦିନ ମଧ୍ୟାହ୍ନରେ ସୁମିତ୍ର ଟିଉସନକୁ ଯାଇଥିଲେ। ଟିଉସନ୍‌ ସାରି ଘରକୁ ଆସୁଥିବା ବେଳେ ଜିଲ୍ଲାନାସୀ ଛକରେ ଜଣେ ଯୁବକ ତାଙ୍କ ପାଟିରେ ଏକ ରୁମାଲ ପୁରାଇ କୈଳାସଙ୍କ ସହ ମଟର ସାଇକଲରେ ବସାଇ ତିଖିରୀ ନଦୀପଠା ନାଳବଣ ମଶାଣିକୁ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ଅନ୍ୟ ଜଣେ କିଶୋର ନଦୀପଠା ନାଳିବଣ ମଶାଣି ବାଲିରେ ଗାତ ଖୋଳି ଅପେକ୍ଷା କରିଥିଲା। ତିନିହେଁ ମିଶି ସୁମିତ୍ରଙ୍କୁ ଧମକ ଦେଇଥିଲେ। ‘ସବୁଦିନ ପଇସା ଦେଉ, ଆଜି କାହିଁକି ପଇସା ଆଣିନୁ’ ବୋଲି ସେମାନେ ସୁମିତ୍ରଙ୍କୁୁ ପଚାରି ଧମକ ଦେଇଥିଲେ। ପଇସା ନଦେଲେ ବାଲିରେ ପୋତି
ଜୀବନରେ ମାରିଦେବାକୁ ଧମକ ଦେଇ ସେମାନେ ସୁମିତ୍ରଙ୍କୁ ବେକଯାଏ ବାଲିରେ ପୋତି ଦେଇଥିଲେ। କିଛି ସମୟ ପର୍ଯ୍ୟନ୍ତ ବାଲିରେ ପୋତିହୋଇ ରହିବା ପରେ ସୁମିତ୍ର କାକୁତିମିନତି ହୋଇ ଛାଡ଼ିଦେବାକୁ ଅନୁରୋଧ କରିଥିଲେ। ନିୟମିତ ଟଙ୍କା ଆଣି ଦେବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ତାଙ୍କୁ ବାଲିରୁ ବାହାର କରି ଛାଡ଼ି ଦେଇଥିଲେ। ସୁମିତ୍ର ଘରକୁ ଫେରି ଏ ସମ୍ପର୍କରେ କିଛି କହି ନଥିଲେ ଓ ପ୍ରତିଶ୍ରୁତି ମୁତାବକ ଟଙ୍କା ଦେବା ପାଇଁ ମା’ଙ୍କ ବ୍ୟାଗ୍‌ରୁ ୫ଶହ ଟଙ୍କା ଲୁଚାଇ ନିଜ ସ୍କୁଲ ବ୍ୟାଗରେ ରଖିଥିଲେ। ମା’ ଟଙ୍କା ନପାଇ ପଚରାଉଚରା କରିବାରୁ ସୁମିତ୍ର ତାଙ୍କୁ ସବୁକଥ‌ା କହି ଦେଇଥିଲେ। ଏହାକୁ ନେଇ ଆଜି ସୁମିତ୍ରଙ୍କ ବାପା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମୁଖ୍ୟ ଅଭିଯୁକ୍ତ କୈଳାସକୁ ଅଟକ ରଖି ପଚରାଉଚରା କରୁଛି। ଖବର ନେବାରୁ ଜଣାପଡ଼ିଛି ଯେ, ସୁମିତ୍ର ଓ କୈଳାସ ଏକାଠି ଟିଉସନ୍‌ ପଢ଼ନ୍ତି। ଦିନେ କୈଳାସର ଦୁଷ୍ଟାମି ସମ୍ପର୍କରେ ସୁମିତ୍ର ଶିକ୍ଷକଙ୍କୁ କହିଦେବାରୁ କୈଳାସ ରାଗ ରଖି ସୁମିତ୍ରଙ୍କୁ ମାଡ଼ ମାରିଥିଲା ା ତା’ ପରଠାରୁ ମାଡ଼ ମାରିବା ସହ ଧମକ ଦେଇ କୈଳାସ ସୁମିତ୍ରଙ୍କଠାରୁ ଟଙ୍କା ନେଉଥିଲା। ମାଡ଼ରୁ ରକ୍ଷା ପାଇବା ପାଇଁ ସୁମିତ୍ର ନିୟମିତ ଭାବେ ଘରୁ ଟଙ୍କା ଚୋରି କରି କୈଳାସକୁ ଦେଉଥିଲା ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି। ଅଭିଯୁକ୍ତ ଏବ˚ ଅଭିଯୋଗକାରୀମାନେ ନାବାଳକ ହୋଇଥିବାରୁ ଏହା ଉପରେ ଅଧିକ ଅନୁସନ୍ଧାନ କରାଯାଉଛି ବୋଲି କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିଛନ୍ତି ା

ସମ୍ବନ୍ଧିତ ଖବର