ପୁଣି ମାତିଲେଣି ନକ୍ସଲ : ବୋଗାପଦରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ୨ ଏସ୍‌ଓଜି ଯବାନଙ୍କ ସମେତ ୩ ଆହତ

ନିର୍ମାଣାଧୀନ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଉଡ଼ାଇଲେ

ମାଲକାନଗିରି : କିଛି ଦିନର ନିରବତା ପରେ ମାଲକାନଗିରି ଜିଲ୍ଲାରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ। କମ୍ବିଂ ଅପରେସନରେ ଯାଇଥିବା ଯବାନଙ୍କୁ ଟର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ଯାହାଫଳରେ ୨ ଏସଓଜି ଯବାନଙ୍କ ସହ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି। ଆହତ ଦୁଇ ଯବାନଙ୍କୁ ହେଲିକପ୍ଟର ଯୋଗେ ବିଶାଖାପାଟଣା ଚିକିତ୍ସା ପାଇଁ ପଠାଯାଇଛି। ସେହିପରି ଆହତ ବ୍ୟକ୍ତିଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଏହି ଘଟଣା ପରେ ସୀମାକୁ ସିଲ୍ କରି ଯବାନଙ୍କ ପକ୍ଷରୁ କମ୍ବିଂ ଓ ସର୍ଚ ଅପରେସନକୁ ଜୋରଦାର କରାଯାଇଛି।

ସୂଚନା ଅନୁଯାୟୀ, ମାଲକାନଗିରି ଠାରେ ଅବସ୍ଥାପିତ ଏସଓଜି ଯବାନମାନେ ଆଜି ସକାଳେ ମାଥିଲି ଥାନା ଅନ୍ତର୍ଗତ ବୋଗାପଦର ଗ୍ରାମ ନିକଟସ୍ଥ ତୁଳସୀ ପହାଡ଼ ଅଞ୍ଚଳକୁ କମ୍ବିଂ ଅପରେସନରେ ଯାଇଥିଲେ। ପୂର୍ବରୁ ଯବାନଙ୍କୁ ସୂଚନା ମିଳିଥିଲା ଯେ, ଏହି ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ବଢ଼ିଛି ଏବଂ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନେ କ୍ୟାମ୍ପ କରିଛନ୍ତି। ଏହାପରେ ଯବାନମାନେ ଅତି ସତର୍କତାର ସହ ଜଙ୍ଗଲକୁ ପଶିଥିବା ବେଳେ ରାସ୍ତା ଦେଖାଇବା ପାଇଁ ସ୍ଥାନୀୟ ଜଣେ ଲୋକଙ୍କ ସହାୟତା ନେଇଥିଲେ। ତେବେ ଯବାନମାନେ ଜଙ୍ଗଲରେ ପଶିଥିବା ନେଇ ନକ୍ସଲଙ୍କ ନିକଟରେ ଖବର ପହଞ୍ଚି ଯିବାରୁ ସତର୍କ ହୋଇଯାଇଥିଲେ। ଅତର୍କିତ ଆକ୍ରମଣ କରିବାକୁ ଆମ୍ବୁସ ଲଗାଇ ବସିଥିଲେ। ଘଞ୍ଚ ଜଙ୍ଗଲରେ ଯବାନ ପଶିବା ପରେ ନକ୍ସଲମାନେ ପୂର୍ବରୁ ବିଛାଥିବା ଗୋଟିଏ ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରିଥିଲେ। ଯାହାଫଳରେ ଦୁଇ ଯବାନ ଗୁରୁତର ଆହତ ହୋଇଥିଲେ। ରାସ୍ତା ଦେଖାଇବାକୁ ଯାଇଥିବା ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ବି ଆହତ ହୋଇଥିଲେ। ତେବେ ଏଥିରେ ବଡ଼ ଧରଣର କ୍ଷୟକ୍ଷତି ହୋଇ ନଥିବା ବେଳେ ଯବାନମାନେ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ଯାହାଫଳରେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ।

ଖବର ପାଇ ମାଲକାନଗିରି ଏସପି ଜଗମୋହନ ମୀନା ନିକଟସ୍ଥ ବିଏସଏଫ କ୍ୟାମ୍ପରୁ ହେଲିକପ୍ଟର ଘଟଣାସ୍ଥଳକୁ ପଠାଇଥିଲେ। ତେଣୁ ତୁରନ୍ତ ଆହତ ଦୁଇ ଯବାନଙ୍କୁ ଉଦ୍ଧାର କରି ବିଶାଖାପାଟଣା‌ ପଠ‌ାଯାଇଥିଲା। ସେହିପରି ଆହତ ବ୍ୟକ୍ତିଙ୍କୁ ମାଲକାନଗିରି ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟାରେ ଭର୍ତି କରାଯାଇଥିଲା। ଏହା ବ୍ୟତୀତ ଘଟଣାସ୍ଥଳକୁ ବହୁ ସଂଖ୍ୟାରେ ବିଏସ୍‌ଏଫ୍‌ ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ଏସଓଜି ଯବାନ ମଧ୍ୟ ଏହି ଅଂଚଳକୁ ସିଲ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ଶେଷ ଖବର ସୁଦ୍ଧା ଘଟଣା ସ୍ଥଳରେ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିଲା। ଏ ନେଇ ଏସପି ଜଗମୋହନ ମୀନାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ଆଜି ସକାଳ ପ୍ରାୟ ୮ଟା ବେଳେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଯାହାଫଳରେ ଦୁଇ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ପଠାଯାଇଛି। ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି। ସେହିପରି ଅନ୍ୟ ଜଣେ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଆହତ ବ୍ୟକ୍ତିଙ୍କ ପରିଚୟକୁ ଗୋପନ ରଖାଯାଇଛି ଏବଂ ଗଣମାଧ୍ୟମକୁ ଆହତଙ୍କ ଫଟୋ ଦେଖାଯାଇ ପାରିବ ନାହିଁ ବୋଲି ଏସ୍‌ପି କହିଛନ୍ତି।

ନିର୍ମାଣାଧୀନ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଉଡ଼ାଇଲେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ ହୋଇ ପଡ଼ିଛନ୍ତି। ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁର ଠାରେ ନିର୍ମାଣାଧୀନ ସିଆରପିଏଫ କ୍ୟାମ୍ପକୁ ଉଡ଼ାଇବା ଦେଇଛନ୍ତି। ଏହି ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁର ଠାରେ ସିଆରପିଏଫ କ୍ୟାମ୍ପ ନିର୍ମାଣ ଆରମ୍ଭ ହୋଇଥିଲା। କ୍ୟାମ୍ପ ନିର୍ମାଣ ହୋଇ ନଥିବା ଯୋଗୁଁ ସିଆରପିଏଫ ଯବାନମାନେ ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଅସ୍ଥାୟୀ କ୍ୟାମ୍ପରେ ରହୁଥିଲେ। ଏହି ଅସ୍ଥାୟୀ କ୍ୟାମ୍ପରୁ ନିର୍ମାଣାଧୀନ କ୍ୟାମ୍ପ ମାତ୍ର ୨୦୦ ମିଟର ଦୂରରେ ଅଛି। ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ମାଓବାଦୀମାନେ ପ୍ଲିନ୍ଥ ଲେବୁଲ ପର୍ଯ୍ୟନ୍ତ ହୋଇଥିବା କାମକୁ ଆଇଇଡି ବିସ୍ଫୋରଣ ଦ୍ବାରା ଉଡ଼ାଇ ଦେଇଥିବା ଖବର ମିଳିଛି। ପୁଲିସ ଏ ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ମନା କରିଦେଇଛି। ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାକୁ ଭୟଭୀତ ହୋଇଛି। ଏ ନେଇ ଲାଞ୍ଜିଗଡ ପୁଲିସ ଆଇଆଇସିଙ୍କୁ ପଚାରିବାରୁ ‘ଆମେ ଏହି ଖବର ଶୁଣୁଛୁ, ଘଟଣାର ସତ୍ୟତା ଯାଞ୍ଚ କରୁଛୁ’ ବୋଲି କହିଥିଲେ। ସିଆରପିଏଫ କ୍ୟାମ୍ପ ନିର୍ମାଣକୁ ସ୍ଥାନୀୟ ‌ଲୋକମାନେ ତୀବ୍ର ବିରୋଧ କରି ଆସୁଥିଲେ।

ସମ୍ବନ୍ଧିତ ଖବର