ପୋଖରୀରେ ବୁଡ଼ିଗଲେ ୩ ଶିଶୁ, କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁଦାଣ୍ଡ

ବାଲୁଗାଁ : ବାଲୁଗାଁ ଥାନା ଅନ୍ତର୍ଗତ ବୋରିଆସାହି ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୩ ଶିଶୁକନ୍ୟା ପ୍ରାଣ ହରାଇଛନ୍ତି। ମୃତ ଶିଶୁମାନେ ହେଲେ, ବୋରିଆସାହିର ଗଣେଶ ବିଶ୍ୱାଳଙ୍କ ଏକମାତ୍ର ଝିଅ ଅର୍ଚିତା (୭), ଭାଣେଜୀ ଲମ୍ବୋଦରପୁର ଗ୍ରାମର କବି ସିଂହଙ୍କ ଏକମାତ୍ର ଝିଅ ରୁବି (୫) ଓ ଅନ୍ୟ ଏକ ଭାଣେଜୀ ଖଡ଼ିକାପଲ୍ଲୀ ଗ୍ରାମର ସନ୍ତୋଷ ସ୍ୱାଇଁଙ୍କ ଏକ ମାତ୍ର ଝିଅ ରାଣୀ (୫)।

ଏହି ୩ ଶିଶୁ ଆଜି ମଧ୍ୟାହ୍ନରେ ଗ୍ରାମ ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତାବଶତଃ ଗଭୀର ଜଳରାଶିକୁ ଚାଲି ଯାଇଥିଲେ। ପାଖରେ କେହି ଗ୍ରାମବାସୀ ନଥିବାରୁ ସେମାନଙ୍କୁ ଠିକ୍‌ ସମୟରେ ଉଦ୍ଧାର କରା ଯାଇ ପାରି ନଥିଲା। ଅପରପକ୍ଷେ ଘରକୁ ଫେରିବାରେ ବିଳମ୍ବ ହେବାରୁ ଗ୍ରାମବାସୀଙ୍କ ସହାୟତାରେ ପରିବାରଲୋକେ ଖୋଜାଖୋଜି କରିବାରୁ ପୋଖରୀ ତୁଠରେ ସେମାନଙ୍କ ପିନ୍ଧା ଜାମା ଦେଖିବାକୁ ପାଇଥିଲେ। ସନ୍ଦେହରେ କିଛି ଗ୍ରାମବାସୀ ପୋଖରୀରେ ଖୋଜାଖୋଜି କରିବା ପରେ ୩ ଶିଶୁଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ସେମାନଙ୍କୁ ଚିକିତ୍ସା ଲାଗି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ବାଲୁଗାଁ ଥାନା ଆଇଆଇସି ସଂଜୟ କୁମାର ପଟ୍ଟନାୟକ ଡାକ୍ତରଖାନାରେ ପହଞ୍ଚି ଶବ ୩ଟିକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ସଂଧ୍ୟାରେ ମୃତଦେହଗୁଡ଼ିକ ଗ୍ରାମରେ ପହଞ୍ଚିବା ପରେ ପରିବାରଲୋକ ଓ ଆତ୍ମୀୟସ୍ୱଜନଙ୍କ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା। ପରେ ଏକ ଶୋକାକୁଳ ପରିବେଶରେ ୩ ଶିଶୁକନ୍ୟାଙ୍କ ଶବ ସଂସ୍କାର କରାଯାଇଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ବାଲୁଗାଁ-ବାଣପୁର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ୩ ଶିଶୁକନ୍ୟା ବୋରିଆସାହି ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ଆଜି ସେମାନେ ସ୍କୁଲରୁ ଫେରି ଘରେ ପହଞ୍ଚିବା ପରେ ଖେଳକୁଦ କରି ଦିନ ପ୍ରାୟ ୧୨ଟା ବେଳେ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ନିଜର ପିନ୍ଧା ଜାମା ପଥର ପାହାଚ ଉପରେ ରଖି ପାଣି ଭିତରକୁ ପଶିଥିବା କେତେକ ଗ୍ରାମବାସୀ ଦେଖିଥିଲେ। ତେବେ କିଛି ସମୟ ପରେ ପୋଖରୀ ନିକଟରେ କେହି ନଥିବା ବେଳେ ୩ଜଣ ଯାକ ଗଭୀର ପାଣି ଭିତରକୁ ଚାଲିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର