ମାଲବାହୀ ଟ୍ରକ୍‌ ଓଲଟି ୩ ମୃତ

ବାଲୁଗାଁ : ବାଲୁଗାଁ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ନାଭାଲ ଛକ ନିକଟସ୍ଥ ସୋଲ ପୋଖରୀଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ପାଇପ୍‌ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଟ୍ରକ୍‌ ମଧ୍ୟରେ ଥିବା ୭ଜଣ ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ସମସ୍ତେ ପଶ୍ଚିମବଙ୍ଗର ସାଉଥ୍‌ ୨୪ପ୍ରଗଣା ଅଞ୍ଚଳ ଗୋଟିଏ ଗ୍ରାମର । ମୃତକ ହେଲେ ଆରିବଉଲ୍ଲା ପୁରକାଇଟ(୩୨), ରାଜା (୧୯)ଓ ହବିବ୍‌ଉଲ୍ଲା (୩୫)। ଆହତମାନେ ହେଲେ ହମିଦ୍‌, ଅମ୍ମାଦୁ ଓ ମୋହିରୁଉଦ୍ଦିନ।

ପ୍ରକାଶ ଯେ, ଏକ ମୋବାଇଲ କମ୍ପାନିର ଟାୱାର ନିର୍ମାଣ ନିମନ୍ତେ ମଙ୍ଗଳବାର ରାତିରେ କଟକରୁ ଏକ ଟ୍ରକ୍‌(ଓଡି-୦୫ଡବ୍ଲ୍ୟୁ-୮୯୫୫) ଟାୱାର ନିର୍ମାଣ ପାଇପ୍‌ ଓ ଅନ୍ୟାନ୍ୟ ଆବଶ୍ୟକତା ସାମଗ୍ରୀ ବେଝୋଇ କରି ରାୟଗଡ଼ା ଅଭିମୁଖେ ବାହାରିଥଲା। ମଙ୍ଗଳବାର ରାତ୍ରି ପ୍ରାୟ ୨ଟା ସମୟରେ ବାଲୁଗାଁ ବାଇପାସ୍‌ ରାସ୍ତାର ସୋଲ ପୋଖରୀଠାରେ କୌଣସି କାରଣରୁ ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍‌ କ୍ୟାବିନ୍‌ ଉପରେ ଶୋଇଥିବା ୨ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଟ୍ରକ୍‌ର କ୍ୟାବିନ୍‌ ଭିତରେ ଥିବା ୫ ଜଣ ମଧ୍ୟରୁ ୪ଜଣ ଗୁରୁତର ଆହତ ହୋଇଥିଲେ।

ଆହତମାନଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଆହମାନଙ୍କ ମଧ୍ୟରୁ ଜଣେଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସାପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ନାଭାଲ୍‌ ଫାଣ୍ଡି ଅଧିକାରିଣୀ ମଞ୍ଜୁଲତା ଖାଡ଼ଙ୍ଗା ଘଟଣାସ୍ଥଳେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରି ଟ୍ରକ୍‌ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର