ପ୍ରସବବେଳେ ମହିଳାଙ୍କ ମୃତ୍ୟୁ ଘଟଣା : ୩ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦେଶ

ଭୁବନେଶ୍ୱର : ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳାଙ୍କ ପ୍ରସବ ସମୟରେ ମୃତ୍ୟୁ ବରଣ କରିଥିବା ମାମଲାରେ ରାଜ୍ୟ ମାନବାଧିକାର କମିସନ ରାୟ ଶୁଣାଣି କରିଛନ୍ତି। କମିସନ ମୃତ ମହିଳାଙ୍କ ପତି କ୍ଷମାନିଧି ସାହୁଙ୍କୁ ୨ ମାସ ମଧ୍ୟରେ ୩ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ପରବର୍ତୀ ସମୟରେ ରାଜ୍ୟ ସରକାର ସଂପୃକ୍ତ ଡାକ୍ତର ଦ୍ୱୟଙ୍କ ଦରମାରୁ ୩ ଲକ୍ଷ ଟଙ୍କା ଆଦାୟ କରିବେ। ଏହା ଛଡ଼ା ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଉତ୍କଳ ନାୟକ ଓ ଭେଷଜ ଡାକ୍ତର ନନ୍ଦ କିଶୋର ନାୟକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନ୍‌ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ସୋନପୁର ସିଡିଏମ୍‌ଙ୍କୁଙ୍କୁ ପ୍ରସ୍ତାବ ଦେଇଛନ୍ତି।

ହାଜତରେ ଅଭିଯୁକ୍ତଙ୍କୁ ବେଡ଼ି ପକାଇ ରଖିବା ଘଟଣା : ୫୦ ହଜାର ଟଙ୍କା କ୍ଷତିପୂରଣ ନିର୍ଦେଶ

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ନାଲ୍‌କୋନଗର ଥାନାରେ ଜଣେ ଅଭିଯୁକ୍ତକୁ ହାଜତ ଭିତରେ ପୁଲିସ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ରାଜ୍ୟ ମାନବାଧିକାର କମିସନ ଶୁଣାଣି କରିଛନ୍ତି। ଅଭିଯୁକ୍ତ ମାର୍କଣ୍ଡ ନାଏକଙ୍କୁ ୮ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। କମିସନ୍‌ଙ୍କ ନିର୍ଦେଶ କପି ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କ ନିକଟକୁ ପଠାଇ ଦିଆଯାଇଛି। ଘଟଣାଟି ୨୦୧୫ ସେପ୍‌ଟେମ୍ବରରେ ଘଟିଥିଲା। ଘଟଣା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଆଇନଜୀବୀ ପ୍ରବୀର କୁମାର ଦାସ ଓ ରାଧାକାନ୍ତ ତ୍ରିପାଠୀ ପିଟିସନ୍‌ ଦାଖଲ କରିଥିଲେ। ମାର୍କଣ୍ଡଙ୍କ ଗୋଡ଼ରେ ବେଡ଼ି ପକାଇଥିବା ପୁଲିସ ଅଧିକାରୀ ଏସ୍‌ଆଇ ଧୀରେନ୍ଦ୍ର କୁମାର ସ୍ୱାଇଁ, କନ୍‌ଷ୍ଟେବଲ୍‌ କୋଇଲି କିଷାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସ ଡିଜିଙ୍କୁ ସୁପାରିସ୍‌ କରିଛନ୍ତି କମିସନ।

ସମ୍ବନ୍ଧିତ ଖବର