ସାଇବର ଅପରାଧ ତଦନ୍ତ ପାଇଁ ନାହାନ୍ତି ଅଧିକାରୀ

ରାଜ୍ୟରେ ଖୋଲିବ ୩ ନୂଆ ସାଇବର ଥାନା, ଶିଶୁ ବନ୍ଧୁତ୍ବପୂର୍ଣ୍ଣ ଥାନା ଖୋଲିବାକୁ ଯୋଜନା

ଭୁବନେଶ୍ୱର : ରାଜ୍ୟରେ ୪ଟି ସାଇବର ଥାନା ରହିଛି। ତେବେ ବଢ଼ୁଥିବା ସାଇବର୍‌ ଅପରାଧକୁ ଦୃଷ୍ଟିରେ ରଖି ଆଉ ୩ଟି ସାଇବର୍‌ ଥାନା ପ୍ରତିଷ୍ଠା ହେବାକୁ ଯାଉଛି। କୋରାପୁଟ, ଭୁବନେଶ୍ବର ଓ ବାଲେଶ୍ବରରେ ଏହି ଥାନା ହେବା ନେଇ ଯୋଜନା ରହିଛି। ସେହିପରି ଏପରି ଅପରାଧର ଉପଯୁକ୍ତ ତଦନ୍ତ ପାଇଁ ଦକ୍ଷ ଅଧିକାରୀଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଏଭଳି ସୂଚନା ଦେଇଛନ୍ତି ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା। ୟୁନିସେଫ୍ ସହାୟତାରେ ସ୍ଥାନୀୟ ପୁଲିସ ଭବନ ପରିସରରେ ଆୟୋଜିତ ‘ସାଇବର ଅପରାଧ ଓ ଅନୁସନ୍ଧାନ(ଶିଶୁ ନିର୍ଯାତନା ଉପରେ ଗୁରୁତ୍ବ)’ ଶୀର୍ଷକ ୪ ଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରି ସେ ଏହା କହିଛନ୍ତି।

ଡା. ଶର୍ମାଙ୍କ କହିବା ଅନୁଯାୟୀ, କୋମଳମତି ଶିଶୁ ଆଣ୍ଡ୍ରଏଡ୍‌ ମୋବାଇଲ ବହୁଳ ମାତ୍ରାରେ ବ୍ୟବହାର କରୁଥିବାରୁ ଶିଶୁଙ୍କ ପାଖରେ ସାଇବର ଅପରାଧୀ ପହଞ୍ଚି ଯାଉଛି ବା ଶିଶୁମାନେ ସାଇବର ଅପରାଧରେ ସମ୍ପୃକ୍ତ ହୋଇ ଯାଉଛନ୍ତି। ୨୪ ଘଣ୍ଟା ଇଣ୍ଟରନେଟ୍‌ ସଂଯୋଗରେ ରହୁଥିବା ଏହି ସବୁ ମୋବାଇଲ ଜରିଆରେ ବିଭିନ୍ନ ୱେବ୍‌ସାଇଟ୍‌ ଓ ଭିଡିଓ ଶିଶୁଙ୍କ ମାନସିକତା ଉପରେ ପ୍ରଭାବ ପକାଉଛି। ଫଳରେ ଶିଶୁ ନିର୍ଯାତନା ବଢ଼ି ବଢ଼ି ଚାଲିଛି। ବିଭିନ୍ନ ସୋସିଆଲ ମିଡିଆ ଜରିଆରେ ଏହା ସମ୍ଭବ ହୋଇ ପାରୁଛି। ଏହା ଛଡ଼ା ଇଣ୍ଟରନେଟ୍‌ ଓ ମୋବାଇଲ୍‌ ଫୋନ୍‌ର ଅପବ୍ୟବହାର କରି ଅପରାଧୀମାନେ କୋଟି କୋଟି ଟଙ୍କା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରୁ ଲୁଟି ନେଉଛନ୍ତି। ଏସବୁ ରୋକିବା ପାଇଁ ପୁଲିସର ପ୍ରୟାସ ଜାରି ରହିଛି। ତଥାପି ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନି। ସମସ୍ୟା ହେଉଛି ସାଇବର ଅପରାଧର ଉପଯୁକ୍ତ ତଦନ୍ତ କରିବାକୁ ଯଥେଷ୍ଟ ଅଧିକାରୀ ନାହାନ୍ତି। ସେଥିପାଇଁ ସାଇବର ଅପରାଧକୁ ନେଇ ଆସୁଥିବା ଏତଲା ଥାନା ଅଧିକାରୀ ଫେରାଇ ଦେଉଥିବା ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷ ଅଧିକାରୀଙ୍କୁ ପ୍ରସ୍ତୁତ କରିବା ଯୋଜନା ରହିଛି।

୪ ଦିନ ଧରି ହେବାକୁ ଥିବା ଏହି ଶିବିରରେ ଦିଲ୍ଲୀ ତଥା ଅନ୍ୟ ସ୍ଥାନରୁ ଆସିଥିବା ବିଶେଷଜ୍ଞମାନେ ରାଜ୍ୟର ବିଭିନ୍ନ ଥାନାର ୧୩୦ ଅଧିକାରୀଙ୍କୁ ସାଇବର ଅପରାଧର ମୂଳ, କେମିତି ତଦନ୍ତ ହେବ, ଶିଶୁଙ୍କୁ ଅପରାଧ ଓ ଅପରାଧୀଙ୍କଠାରୁ କିଭଳି ଦୂରେଇ ରଖିହେବ ସେ ସଂପର୍କରେ ପ୍ରଶିକ୍ଷଣ ଦେ‌ବେ।

୨୦୧୬ରେ ୩୧୭ଟି ସାଇବର ଅପରାଧ ପଞ୍ଜୀକୃତ ହୋଇଥିବା ବେଳେ ୯୯ ଜଣ ବନ୍ଧା ହୋଇଥିଲେ। ୨୦୧୭ରେ ଏପରି ମାମଲା ବୃଦ୍ଧି ପାଇଁ ୮୨୪ ରେ ପହଞ୍ଚିଥିଲା। ବନ୍ଧା ହୋଇଥିବା ୧୯୫ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ଥିଲେ। ୨୦୧୮ରେ ସ୍ଥିତି ମଧ୍ୟ ସଙ୍ଗିନ ହୋଇଥିଲା। ଏହି ବର୍ଷ ୮୬୭ ମାମଲା ରୁଜୁ ହୋଇଥିବା ବେଳେ ବନ୍ଧା ହୋଇଥିବା ୨୬୬ଜଣଙ୍କ ମଧ୍ୟରୁ ୮ ଜଣ ମହିଳା ଥିଲେ। ଚଳିତ ବର୍ଷ ପ୍ରଥମ ତିନିମାସରେ ୨୪୧ଟି ମାମଲା ପଞ୍ଜୀକୃତ ହୋଇ ସାରିଥିବା ବେଳେ ଗିରଫ ୪୬ଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଏହା କେବଳ ଥାନାକୁ ଆସିଛି। ଏହାଠାରୁ ଅଧିକ ଅପରାଧ ଥାନାକୁ ଆସିନାହିଁ। ଯେଉଁ ଭଳି ଭାବରେ ଅପରାଧ ବଢ଼ି ବଢ଼ି ଚାଲିଛି ଏହା ରାଜ୍ୟ ପାଇଁ ଏକ ସତର୍କ ଘଣ୍ଟି ବୋଲି ଡିଜି ଡା. ଶର୍ମା ସୂଚନା ଦେଇଛନ୍ତି। କ୍ରାଇମ୍‌ବ୍ରାଞ୍ଚର ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ଅଫିସରମାନେ ଟ୍ରେନିଂ ନେଉଛନ୍ତି, ହେଲେ ଏଠାରୁ ଯିବା ପରେ ଭୁଲି ଯାଉଛନ୍ତି। ଫଳରେ ଆମେ ଅଧିକ ସଫଳତା ପାଉନାହୁଁ। ସେଥିପାଇଁ ଏହି ପ୍ରଶିକ୍ଷଣ ପରେ ଏକ ପରୀକ୍ଷା ବ୍ୟବସ୍ଥା କରାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।

ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ଡ. ମୋନିକା ନେଲ୍ସନ କହିଥିଲେ, ମୋବାଇଲ୍‌ ଫୋନ୍‌ରେ ଇଣ୍ଟରନେଟ୍‌ ଶିଶୁମାନଙ୍କ ପାଇଁ ଘାତକ ହୋଇଛି। ଇଣ୍ଟ‌ରନେଟ୍‌ ଯୋଗୁ ଶିଶୁ ମାନସିକ ଦୁଶ୍ଚିନ୍ତାର ଶିକାର ହେଉଛି ଯାହା ଏକ ଅପରାଧ। ଅଧିକ ଆଗ୍ରହ ରହୁଥିବାରୁ ଶିଶୁମାନେ ଅପରାଧୀଙ୍କ ଜାଲରେ ସହଜରେ ଫସି ଯାଉଛନ୍ତି। ପର୍ଣ୍ଣୋଗ୍ରାଫି, ହୋମିସାଇଡ୍‌, ବ୍ଲାକ୍‌ମେଲିଂ ପ୍ରଭୃତି ସାଧାରଣ କଥା ହୋଇଛି। ଅପରାଧ ଘଟିବା ପରେ ନ୍ୟାୟ ପ୍ରଦାନ ପାଇଁ ଯୁଦ୍ଧ କରିବା ପ୍ରଥମ କଥା ନୁହେଁ, ବରଂ ଅପରାଧ ଘଟିବା ପୂର୍ବରୁ ରୋକିବା ବଡ଼ କଥା ବୋଲି ସେ କହିଛନ୍ତି। ଏହିି ଅବସରରେ ‘ସାଇବର୍‌ ଅପରାଧ ଓ ଅନୁସନ୍ଧାନ’ ଏବଂ ‘କେତେକ ଗୁରୁତ୍ବପୂର୍ଣ୍ଣ ରାୟ’ ପୁସ୍ତକ ୨ଟି ଉନ୍ମୋଚିତ ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ସନ୍ଦୀପ ମାଡ୍‌କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଧନ୍ୟବାଦ ଦେବା ଅବସରରେ ବିଭିନ୍ନ ଜିଲ୍ଲାରେ ଶିଶୁ ବନ୍ଧୁତ୍ବପୂର୍ଣ୍ଣ ଥାନା ଖୋଲିବା ପାଇଁ ଯୋଜନା ହେଉଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର