ତାମିଲନାଡୁରେ ତିନି ଓଡ଼ିଆ ଶ୍ରମିକଙ୍କୁ ହତ୍ୟା!

ସୂତାକଳ ବାମ୍ଫିରୁ ଶବ ଉଦ୍ଧାର, ଘଟଣା ଚପାଇ ଦେବାକୁ ଉଦ୍ୟମ

ବରୀ/ବ୍ରହ୍ମବରଦା : ତାମିଲନାଡ଼ୁରେ ୩ ଜଣ ଓଡ଼ିଆ ଶ୍ରମିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ସୂତାକଳ ପରିସରରେ ଥିବା ଏକ ପରିତ୍ୟକ୍ତ ବାମ୍ଫି ଭିତରେ ଫିଙ୍ଗି ଦିଆଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ଏହାକୁ ଚପାଇ ଦେବାକୁ ବ୍ୟାପକ ଅର୍ଥ କାରବାର ହୋଇଥିବା ଅଭିଯୋଗ ହେଉଛି। ହତ୍ୟାକୁ ଅଘଟଣର ରୂପ ଦେବାକୁ ତାମିଲନାଡ଼ୁର ମଦୁରାଇ ପୁଲିସ ପ୍ରୟାସ ଆରମ୍ଭ କରିଛି। ସୂତା କଳ ମାଲିକ ବି ରଫାଦଫା କରିବା ପାଇଁ ଜଣେ ମୃତକଙ୍କ ଭାଇକୁ ମୋହରା ବନାଇବା ଆରମ୍ଭ କରିଛି ବୋଲି ଯାଜପୁର ଥାନା ଅନ୍ତର୍ଗତ ଝାଲପଡ଼ାବାସୀ ଅଭିଯୋଗ କରିଛନ୍ତି। ଆହତ ଦୁଇଜଣ ଶ୍ରମିକ ଖସିଆସି ଯାଜପୁରରେ ପହଞ୍ଚିଛନ୍ତି । ସେମାନେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ମଦୁରାଇ ଜିଲ୍ଲା ସ୍ଥିତ ବାନାଡିବାନ ନାମକ ଏକ ସୂତା କଳରେ କେତେକ ଓଡ଼ିଆ ଶ୍ରମିକ କାମ କରୁଛନ୍ତି। ଗତ ସପ୍ତାହରେ ସୂତାକଳରେ କାର୍ଯ୍ୟରତ ଜଣେ ତାମିଲ ମହିଳା କର୍ମଚାରୀଙ୍କୁ ନେଇ ଓଡିଆ ଶ୍ରମିକଙ୍କ ସହ ତାମିଲନାଡୁ ଶ୍ରମିକ ମୁହାଁମୁହିଁ ହୋଇଥିଲେ। ଘଟଣାର ଆପୋସ ସମାଧାନ କରାଯାଇଥିଲା। ମାତ୍ର ତାମିଲ ଶ୍ରମିକମାନେ ଏହି ଘଟଣାକୁ ନେଇ ଶାନ୍ତ ହୋଇ ନଥିଲେ । ସେମାନେ ପ୍ରତିଶୋଧ ପରାୟଣ ହୋଇପଡିଥିଲେ । ଓଡିଆ ଶ୍ରମିକମାନଙ୍କୁ ଆକ୍ରମଣର କରିବା ପାଇଁ ଭିତିରି ଯୋଜନା କରିଥିଲେ । ଏକଥା ଓଡ଼ିଆ ଶ୍ରମିକ ବୁଝି ପାରିନଥିଲେ। ଗୁରୁବାର ଦିନ ୧୦ ରୁ ୧୨ ଜଣ ତାମିଲ ଶ୍ରମିକ ଓଡିଆ ଶ୍ରମିକଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଉପସ୍ଥିତ ଅନ୍ୟ କେତେଜଣ ଶ୍ରମିକମାନେ ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଖସି ପଳାଇ ଆସିଥିବା ଶ୍ରମିକଙ୍କ ମଧ୍ୟରୁ ଯାଜପୁର ସଦର ଥାନା ଅନ୍ତର୍ଗତ ଝାଲପଡା ଗ୍ରାମର ଜଡା ଦଳେଇଙ୍କ ପୁଅ ବାଇଆ(୨୧) ଓ ଗୋବରା ଦଳେଇର ପୁଅ କୁନି(୨୧) ଗୁରୁତର ଆହତ ହୋଇଛନ୍ତି ।

ଯାଜପୁର ସଦର ଥାନା ଅନ୍ତର୍ଗତ ଝାଲପଡା ଗ୍ରାମର ଅଙ୍କୁର ମଳିକଙ୍କ ପୁଅ ଘନ(୨୨), ବରୀ ଥାନା ଅନ୍ତର୍ଗତ ହଳଦୀ ବସନ୍ତ ଗ୍ରାମର ପଇ ଦଳେଇ(୨୫), ଅନ୍ୟ ଜଣକ କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ କନ୍ଦିଆହତା ପଞ୍ଚାୟତ ପାଟକେଲିପୁର ଗ୍ରାମର ଆଦିବାସୀ ଯୁବକ ସିଦ୍ଧ ମୁଣ୍ଡାଙ୍କ ପୁଅ ସନାତନ(୨୩)ଙ୍କୁ ତାମିଲ ଶ୍ରମିକମାନେ ନେଇଯାଇଥିଲେ। ଉକ୍ତ ଯୁବକ ୩ ଜଣ ଗତ ଦୁଇଦିନ ଧରି ନିଖୋଜ ଥିଲେ । ଶୁକ୍ରବାର ରାତିରେ ସ୍ଥାନୀୟ ପୁଲିସ ଓ ଦମକଳବାହିନୀ ସହାୟତାରେ ନିଖୋଜ ୩ ଜଣ ଶ୍ରମିକଙ୍କ ଶବକୁ ସୂତାକଳ ପରିସରରେ ଥିବା ଏକ ପରିତ୍ୟକ୍ତ ବାମ୍ଫିରୁ ଊଦ୍ଧାର କରାଯାଇଥିଲା। ତାମିଲ ଯୁବକମାନେ ଏହି ୩ ଜଣଙ୍କୁ ହତ୍ୟାକରି ବାମ୍ଫି ମଧ୍ୟକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଘଟଣାପରେ ସେଠାରେ କାର୍ଯ୍ୟରତ ଅନ୍ୟ ଓଡିଆ ଶ୍ରମିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସ୍ଥାନୀୟ ପୁଲିସ ଶବକୁ ଜବତ କରିଛି । ପୁଲିସ ଏ ଦିଗରେ ତଦନ୍ତ ଜାରି ରଖିଛି । ଘଟଣା ସଂପର୍କରେ ଅଧିକ ସୂଚନା ମିଳିପାରି ନାହିଁ । ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ ଏସଂପର୍କରେ କୌଣସି ସୂଚନା ନାହିଁ।

ମୃତ ଶ୍ରମିକଙ୍କ ପରିବାର ଲୋକେ ତାମିଲନାଡୁ ଅଭିମୁଖେ ଯାତ୍ରା କରିଛନ୍ତି। ଠିକାଦାର ଯାଜପୁର ଟାଉନ ଅଂଚଳର ଦେବାଶିଷ ଜେନା ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ତାମିଲନାଡୁ ନେବାରେ ସହାୟତା କରୁଛନ୍ତି । ସେ ଚଳିତ ବର୍ଷ ଫେବ୍ରୁଆରି ୧୪ତାରିଖରେ ଜିଲାରୁ ୧୦ରୁ ୧୫ ଜଣ ଯୁବକଙ୍କୁ ନେଇ ତାମିଲନାଡୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଯାଜପୁର ସଦର ଥାନା ଅନ୍ତର୍ଗତ ଝାଲପଡା ଗ୍ରାମରୁ ଚୈତନ ମଳିକଙ୍କ ପୁଅ ଚନ୍ଦନ(୨୨) ମଥୁରୀ ମଳିକଙ୍କ ପୁଅ ସିପୁ(୧୯), ସୀତାକାନ୍ତ ଜେନା, ସୁକୁ ଜେନା, ଚିତ୍ତ ମଳିକଙ୍କ ସମେତ ବହୁ ଶ୍ରମିକ କାର୍ଯ୍ୟ କରିବାକୁ ଯାଇଛନ୍ତି । ଏ ପର୍ଯ୍ୟନ୍ତ କେତେକ ଶ୍ରମିକଙ୍କର ପତ୍ତା ମିଳୁନାହିଁ । ତାମିଲନାଡୁରେ ଫସିଥିବା ଓଡିଆ ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହ ମୃତ ପରିବାରକୁ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।

ସମ୍ବନ୍ଧିତ ଖବର