ଟଙ୍କା ଲୁଟି ଗିରଫ ହେଲେ ୩ ପୁଲିସ କର୍ମଚାରୀ

ଟାଙ୍ଗି: ପୁଲିସକୁ ମହଙ୍ଗା ପଡିଲା ଜୋରଜବରଦସ୍ତି ଟଙ୍କା ଛଡାଇନେବା, ଆଉ ଏହାପରେ ନିଲମ୍ବିତ ହେଲେ ଟାଙ୍ଗୀ ଥାନାର ୩ ପୁଲିସ କର୍ମଚାରୀ । ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କଟକ ଗ୍ରାମାଂଚଳ ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିଲମ୍ବିତ ହୋଇଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରେ ୨ଜଣ ହୋମଗାର୍ଡ ଓ ଜଣେ କନେଷ୍ଟବଳ ରହିଛନ୍ତି । ଏହି ତିନି ଜଣଙ୍କୁ ଗିରଫ କରାଯାଇଥିବାବେଳେ କୋର୍ଟ ଚାଲାଣ କରାଯାଇଛି । ଅଭିଯୋଗ ଅନୁଯାୟୀ, ଏହି ତିନି ଜଣ ଟାଙ୍ଗି ଥାନା ଅଂଚଳରେ ଜାତୀୟ ରାଜପଥର ସର୍ଦ୍ଦଳା ଛକ ନିକଟରେ ପେଟ୍ରୋଲିଂ କରୁଥିଲେ ।

ସେହି ସମୟରେ ଏକ ହୁଣ୍ଡା ସିଟି କାରରେ କୋଲକାତାରୁ ୩ଜଣ ଯୁବକ ପୁରୀ ବ୍ରହ୍ମଗିରି ଫେରୁଥିଲେ । ଢ଼ାବାରେ ଖାଇ ସାରି ସର୍ଦଳା ଛକ ନିକଟରେ ଗାଡି ଅଟକାଇ ଛିଡା ହୋଇଥିଲେ । ଏହି ସମୟରେ ସେମାନଙ୍କ ନିକଟରେ ହଠାତ୍ ପୁଲିସ ପେଟ୍ରୋଲିଂ ଭ୍ୟାନ୍ ପହଁଚି ପଚରାଉଚରା କରିଥିଲା । ତୁମେ ମଦ ପିଇଛ, ତୁମକୁ କୋର୍ଟ ଚାଲାଣ କରାଯିବ । ଏଭଳି ଭୟଭୀତ କରି ଯୁବକଙ୍କଠାରୁ କାରର ଚାବି ଛଡାଇ ନେଇଥିଲେ । ତାପରେ କାରର ଡ୍ୟାସ ବୋର୍ଡ ଡିକି ଖୋଲି ସେଥିରେ ଥିବା ୧ଲକ୍ଷ ୪୭ ହଜାର ଟଙ୍କା ଲୁଟି ନେଇଥିଲେ ।

ସୋସିଆଲ ମିଡିଆରେ ଘଟଣା ଭାଇରାଲ ହେବା ପରେ କଟକ ଗ୍ରାମାଂଚଳ ଏସପି ଘଟଣାର ତଦନ୍ତ ପାଇଁ ଚୌଦ୍ୱାର ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ଘଟଣାଟି ସତ ବୋଲି ଜଣାପଡିଥିଲା | ଏହାପରେ ତିନି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯିବା ପରେ ଗିରଫ କରାଯାଇଛି |

ସମ୍ବନ୍ଧିତ ଖବର