ଜଳସମାଧି: ବାରିପଦାରେ ବୁଡ଼ିଗଲେ ୩ ଭଉଣୀ, ମାଲକାନଗିରିରେ ଡଙ୍ଗା ବୁଡ଼ି ୪ ନିଖୋଜ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ କଇଁଫୁଲିଆ ପଞ୍ଚାୟତର ବଡ଼ବିଲା ଗାଁରେ ଆଜି ସକାଳେ ଘଟିଛି ଏକ ଅଭାବନୀୟ ଘଟଣା। ମାଆ ସାଙ୍ଗରେ ଗାଁ ପୋଖରିକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ୩ ଭଉଣୀଙ୍କର ମୃତ୍ୟୁ ଘଟିଛି। ନିଜ ପିଲାମାନେ ବୁଡ଼ି ଯାଉଥିବା ଦେଖି ମାଆ ସେମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିବା ସହିତ ପାଟି କରି ଅନ୍ୟ ଲୋକମାନଙ୍କୁ ଡାକିଥିଲେ। ଲୋକେ ଆସି ପାଣିରୁ ୩ ଭଉଣୀଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ୩ ଜଣଙ୍କର ମୃତ୍ୟୁ ଘଟି ସାରିଥିଲା। ଏହାକୁ ନେଇ ସମଗ୍ର ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଛେଦ ପାଇଁ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।


ମିଳିଥିବା ସୂଚନା ଅନୁଯାୟୀ, ବାରିପଦା ସଦର ଥାନା ଅନ୍ତର୍ଗତ ବଡ଼ବିଲା ଗାଁର ଗୟା ମୁର୍ମୁ ନାମକ ଜଣେ ମହିଳା ନିଜର ଦୁଇ ଝିଅ ଓ ଜଣେ ସମ୍ପର୍କୀୟ ଝିଆରିଙ୍କୁ ସାଙ୍ଗରେ ନେଇ ଗାଁ ପୋଖରିକୁ ଗାଧୋଇବାକୁ ଯାଇଥିଲେ। ତେବେ ଝିଅ ତିନି ଜଣ ଗାଧୋଉଥିବା ବେଳେ ହଠାତ ଜଣେ ଗଭୀର ପାଣିକୁ ଚାଲିି ଯାଇତିଲେ। ତାଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ଦୁଇଜଣ ଗଭୀର ପାଣିକୁ ଯାଇ ସେମାନେ ମଧ୍ୟ ବୁଡ଼ି ଯାଇଥିଲେ। ସଙ୍ଗେସଙ୍ଗେ ମାଆ ପାଣିରେ ପଶି ଛୁଆକମାନଙ୍କୁ ଖୋଜିବା ସହିତ ପାଟି କରି ଡକା ପକାଇଥିଲେ। ଲୋକେ ଆସି ପାଣିରୁ ସରତା ମୁମୁଁ(୧୨ ବର୍ଷ), ରାଜଶ୍ରୀ ମୁର୍ମୁ(୧୦ ବର୍ଷ) ଓ ପାର୍ବତୀ ମୁମୁଁ(୮ ବର୍ଷ)ଙ୍କ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ୩ଜଣଙ୍କର ମୃତ୍ୟୁ ଘଟି ସାରିଥିଲା।
ସେହିପରି ଆଜି ସକାଳେ ଆଉ ଏକ ଅଘଟଣ ଘଟିଛି ମାଲକାନଗିରି ଜିଲ୍ଲା ବାଲିବେଳା ଜଳଭଣ୍ଡାରର ବାର୍ଲାବନ୍ଧ ନଦୀ ଘାଟରେ। ସେଠାରେ ଆଜି ଭାରସାମ୍ୟ ହରାଇ ଏକ ଡଙ୍ଗା ଓଲଟି ପଡ଼ି ନଦୀରେ ବୁଡ଼ିଯିବାରୁ ୪ ଜଣ ନିଖୋଜ ହୋଇ ଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ ୩ ଜଣ ମହିଳା ଜଣେ ଶିଶୁ ଅଛନ୍ତି। ଏହି ଡଙ୍ଗା ବୁଡ଼ି ଘଟଣାରେ ୩ ଜଣ କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇ ପହଁରି ପହଁରି ଆସି କୂଳରେ ପହଞ୍ଚିଛନ୍ତି। ଖବରପାଇ ଅଗ୍ନିଶମ ବିଭାଗ ପକ୍ଷରୁ ନିଖୋଜ ମାନଙ୍କୁ ଉଦ୍ଧାର ପାଇଁ ଜଳଭଣ୍ଡାରେ ମଧ୍ୟରେ ଖୋଜାଖୋଜି କରାଯାଉଛି। ମାତ୍ର ବର୍ତ୍ତମାନ ସୁଦ୍ଧା କୌଣସିି ପତ୍ତା ମିଳି ନାହିଁ।

ସମ୍ବନ୍ଧିତ ଖବର