ପାଲଟା ଜବାବ ଦେଲା ପ୍ରଶାସନ : ୩ କ୍ରସର ସିଲ୍,୧୮କୁ କାରଣ ଦର୍ଶାଅ ନୋଟିସ୍, ଛଡ଼ାଇ ନେଇଥିବା କଂପ୍ରେସର ଟ୍ରାକ୍ଟର ଜବତ

ଯାଜପୁର/କବାଟବନ୍ଧ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଳରାମପୁର-୨ ରାଜସ୍ବ ସର୍କଲର ବିଛାଖଣ୍ଡି ପାହାଡ଼ ପଥର ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ଗତକାଲି ପଥର ମାଫିଆ ସରକାରୀ ଅଧିକାରୀଙ୍କୁ ନାଲିଆଖି ଦେଖାଇ ଜବତ କଂପ୍ରେସର ଟ୍ରାକ୍ଟରକୁ ଛଡ଼ାଇ ନେଇଥିବା ବେଳେ ଆଜି ପ୍ରଶାସନ ଏହାର ଦୃଢ଼ ଜବାବ ଦେଇଛି। ପୂର୍ବ ସୂଚନା ପାଇ ମାଫିଆମାନେ ଚଢ଼ଉ ପୂର୍ବରୁ ଆତ୍ମଗୋପନ କରିଥିଲେ। ତେବେ ସେଠାକାର କ୍ରସରଗୁଡ଼ିକରେ ନିୟୋଜିତ ଶ୍ରମିକଙ୍କୁ ଗୋଡ଼ାଇ ପିଟିଛି ପୁଲିସ୍‌। ଖାଲି ସେତିକି ନୁହେଁ ଏହି ଅଞ୍ଚଳର ୩ଟି କ୍ରସର ୟୁନିଟ୍‌କୁ ସିଲ୍‌ କରାଯାଇଥିବା ବେଳେ ୧୮ଟି କ୍ରସରକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି।

ଆଜି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ତା, ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି, ଜେନାପୁର ଥାନା ଆଇଆଇସି ସୁଶାନ୍ତ କୁମାର ଦାସ, ଏଏସ୍‌ଆଇ ଅକ୍ଷୟ କୁମାର ବେହେରା, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ସ୍ବାଇଁ ପ୍ରମୁଖ ୩ ସେକ୍ସନ ଫୋର୍ସ ସହ ବିଛାଖଣ୍ତି ପହାଡ ଉପରେ ଚଢାଉ କରିଥିଲେ। ତେବେ, ଚଢଉ ପୂର୍ବରୁ ପଥର ମାଫିଆ ଓ କ୍ରସରମାଲିକମାନେ ଖାଦାନ ଓ କ୍ରସର ଛାଡ଼ି ଆତ୍ମଗୋପନ କରିଥିଲେ। ପ୍ରଶାସନ ୧୮ଟି କ୍ରସରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ବେଳେ ୩ଟି ସିଲ କରିଥିବାର ତହସିଲଦାର ସରୋଜ ପଣ୍ଡା ପ୍ରକାଶ କରିଛନ୍ତି।

ପ୍ରକାଶଥାଉକି, ଗତକାଲି ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ଓ ୩/୪ଜଣ ପୁଲିସ ଚଢାଉ ବେଳେ ମାଫିଆମାନେ ଆକ୍ରମଣ କରି ଜବତ କମ୍ପ୍ରେସର ଛଡାଇ ନେଇଥିଲେ। ଫଳରେ ପ୍ରଶାସନ ଆଜି ସକାଳୁ ଆକ୍ସନ ମୁଡ୍‌କୁ ଆସିଥିଲା। ପ୍ରଶାସନର ଏହି ସଜବାଜ ଖବର ପାଇ ପଥର ମାଫିଆ, କ୍ରସର ମାଲିକମାନେ ଫେରାର ହୋଇଯିବା ସହିତ ସେମାନଙ୍କର ମେସିନ ଓ ଗାଡିଘୋଡା ହଟାଇ ଦେଇଥିଲେ। ଗତକାଲି ଛଡ଼ାଇ ନେଇଥିବା କମ୍ପ୍ରେସର ଟ୍ରାକ୍ଟରକୁ ଆଜି ଜବତ କରାଯାଇଛି।

ସମ୍ବନ୍ଧିତ ଖବର