ଗଞ୍ଜାମରେ ଆଉ ୩ ଜାଲ୍‌ ଶିକ୍ଷକ ଧରାପଡ଼ିଲେ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ବିଭିନ୍ନ ସ୍କୁଲରେ ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିଥିବା ୪ଜଣ ଶିକ୍ଷକ ଧରାପଡ଼ିବା ପରେ ଏବେ ଜିଲ୍ଲାସାରା ଖୋଳତାଡ଼ ଚାଲିଛି। ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ସେହି ବ୍ଲକରେ ଜାଲ୍‌ ପ୍ରମାଣପତ୍ରରେ ଚାକିରି କରୁଥିବା ଆଉ ୩ ଜଣ ଶିକ୍ଷକ ଏବେ ଧରାପଡିଛନ୍ତି। କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେମାନଙ୍କ ମଧ୍ୟରୁ ୨ ଶିକ୍ଷକ ଚାକିରିରୁ ଇସ୍ତଫା ଦେଇଛନ୍ତି। ଧରାପଡ଼ିଥିବା ତିନି ଶିକ୍ଷକ ହେଲେ ଥୁରାଥୁରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିନୋଦ ବିହାରୀ ସେଠୀ, ଘୋଡ଼ାମ୍ବ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କନିଷ୍ଠ ଶିକ୍ଷକ ସନ୍ତୋଷ ସେଠୀ ଓ ଚାଞ୍ଚରାପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବଳରାମ ବିଷୋୟୀ।

ଜିଲ୍ଲା ଶିକ୍ଷାଧିକାରୀ ଡ.ପଣ୍ଡା ଏବଂ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ଏହି ୩ ଶିକ୍ଷକ ଦାଖଲ କରିଥିବା ସମସ୍ତ ପ୍ରମାଣପତ୍ର ଓ ମାର୍କସିଟ୍‌ ପୁନଃଯାଞ୍ଚ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଗତକାଲି ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଲାଗି ଅନୁମୋଦନ କରିବା ପରେ ଉକ୍ତ ଶିକ୍ଷକଙ୍କ ବି‌ରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ଥାନାରେ ଏତଲା ଦାଏର କରିବାକୁ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଡ.ପଣ୍ଡା ସୂଚନା ଦେଇଛନ୍ତି। ତେବେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଗତକାଲି ଶିକ୍ଷକ ବିନୋଦ ବିହାରୀ ସେଠୀ ଏବଂ ଶିକ୍ଷକ ସନ୍ତୋଷ ସେଠୀ ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରିରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପତ୍ର ସିଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଇଛନ୍ତି। ଅନ୍ୟପକ୍ଷରେ ୧ତାରିଖରେ ଧରାପଡିଥିବା ଧରାକୋଟ ବ୍ଲକର ୪ଜଣ ଜାଲ ଶିକ୍ଷକଶିକ୍ଷୟତ୍ରୀଙ୍କ ବିରୋଧରେ ଧରା କୋଟ ଥାନାରେ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ଗତକାଲି ଏତଲା ଦେଇଛନ୍ତି। ଏତଲା ଆଧାରରେ ସେମାନଙ୍କ ବିରୋଧରେ ୪୨୦, ୪୬୭, ୪୬୮, ୪୭୧, ୫୦୬ ଓ ୩୧ ଦଫାରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର