୬ ବର୍ଷରେ ୩୦୦୦ ମତ୍ସ୍ୟଜୀବୀ ଗାଏବ!

୨୦୦୦ ପରିବାର ସଂଖ୍ୟା ୪ ହଜାର, ଏବେ ୨୦୦

ଚିକିଟି : ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତରେ ଥିବା ଚିକିଟି ତହସିଲ ଉପକୂଳ ଇଲାକା ସୁନାପୁରା ବଙ୍ଗୋପସାଗର ଓ ବାହୁଦା ନଦୀର ସଂଯୋଗସ୍ଥଳରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ୩୦୦୦ ମତ୍ସ୍ୟଜୀବୀ କେଉଁଆଡ଼େ ଗାଏବ ହୋଇଯାଇଛନ୍ତି। ଗତ ୬ ବର୍ଷ ମଧ୍ୟରେ ଏହି ଲୋକମାନେ ପେଟପାଟଣା ପାଇଁ ଅନ୍ୟ ରାଜ୍ୟ ରାଜ୍ୟକୁ ଚାଲିଯାଇଥିବା ଅନୁମାନ କରାଯାଉଛି।

୨୦୧୧ ଜନଗଣନାରେ ସୁନାପୁରର ମୋଟ ଜନସଂଖ୍ୟା ଥିଲା ୪ହଜାର। ବର୍ତ୍ତମାନ ସେଠାକାର ମୋଟ ପରିବାର ସଂଖ୍ୟା ୨୦୦କୁ ଖସିଆସିଛି। ଜଗବନ୍ଧୁ ବେହେରା(୫୫)ଙ୍କ କହିବାନୁସାରେ, ୪-୫ବର୍ଷ ପୂର୍ବେ ଏଠାରୁ ବହୁ ପରିଚିତ ଇଲିସି, ଖଇଙ୍ଗା, ସୁରୁଙ୍ଗା, ମେଜି, ବଡୁଣ୍ଡା, ଚାଇଁରା ଆଦି ମାଛ ପ୍ରଚୁର ପରିମାଣରେ ମିଳୁଥିଲା। ବଜାରରେ ଏହାର ଚାହିଦା ଥିବାରୁ ସେମାନେ ଏହା ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିଲେ। କିନ୍ତୁ ବର୍ତ୍ତମାନ ଆଉ ସେ ପରିସ୍ଥିତି ନାହିଁ। ସମୁଦ୍ରରୁ ସତେଯେପରି ସେହି ମାଛ ମାନେ ହଜିଯାଇଛନ୍ତି।

ଅନ୍ୟ ଜଣେ ମତ୍ସ୍ୟଜୀବୀ ତ୍ରିନାଥ ବେହେରା(୬୦)ଙ୍କ କହିବାନୁସାରେ, ସମୁଦ୍ରରେ ଅନେକ ସମୟରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀରୁ ମାଛଧରା ଡଙ୍ଗା ବେଆଇନ ଭାବେ ଏହି ଇଲାକାରେ ପ୍ରବେଶ କରୁଛନ୍ତି। ସମୟ ସମୟରେ ବାଙ୍ଗାଲାଦେଶୀ ଡଙ୍ଗା ମଧ୍ୟ ତାଙ୍କ ଇଲାକାରେ ମାଛ ମାରୁଥିବା ଦେଖିବାକୁ ମିଳୁଛି। ବାହୁଦା ନଦୀ ମୁହାଣ ସେମାନଙ୍କ ମା’। ଏହା ସେମାନଙ୍କୁ ଖାଇବା, ବଞ୍ଚିବାକୁ ଦେଇଛି। ଏଣୁ ସେମାନେ ପାରମ୍ପରିକ ଉପାୟରେ ମାଛ ମାରନ୍ତି। ବର୍ତ୍ତମାନ ବେଆଇନ ଭାବେ ମାଛ ଧରୁଥିବା ମୋଟର ଚାଳିତ ଡଙ୍ଗାର ତେଲ, ରିଂ-ଜାଲ ଏବଂ ଶଦ୍ଧ ପ୍ରଭାବରେ ମାଛଗୁଡ଼ିକର ଅଣ୍ଡା ନଷ୍ଟ ହୋଇଯାଉଛି। ଆଉ ଆଗ ଭଳି ମାଛ ମିଳୁନି କି ସେମାନେ ସେହି ବାହାର ମାଛଧରାଳୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରୁନାହାନ୍ତି କି ତାଙ୍କୁ ପ୍ରତିରୋଧ କରିବାର ଯୁ’ ଯୁଟାଇପାରୁନାହାନ୍ତି। ତାଙ୍କ ସୂଚନାନୁସାରେ, ଗତ ୪ ବର୍ଷ ମଧ୍ୟରେ ଗାଁ ଛାଡ଼ିଥିବା ମତ୍ସ୍ୟଜୀବୀ ପରିବାରଙ୍କ ମଧ୍ୟରୁ କେତେକ ପୁରୀ ଚାଲି ଯାଇଥିବା ବେଳେ ଅଧିକାଂଶ ତାମିଲନାଡ଼ୁ ଓ କର୍ଣ୍ଣାଟକକୁ ଦାଦନ ଶ୍ରମିକ ଭାବେ ଚାଲିଯାଇଛି।

ମତ୍ସ୍ୟଜୀବୀ ରାଧା ମୋହନ ବେହେରା(୩୦)ଙ୍କ କହିବାନୁସାରେ, ସକାଳ ୬ ରୁ ୧୨ ଜଣ ମତ୍ସ୍ୟଜୀବୀ ଦୀର୍ଘ ୮ ଘଣ୍ଟା ପରିଶ୍ରମ କରିବା ପରେ ଯେତିକି ମାଛ ମିଳେ ତାର ମୋଟ ମୂଲ୍ୟ ପ୍ରାୟ ୧ହଜାର ଟଙ୍କା ହେବ। ଅର୍ଥାତ୍‌ ମୁଣ୍ଡପିଛା ୧୦୦ଟଙ୍କା ପଡ଼ୁଛି। ଏଥିରେ ପରିବାର କିଭଳି ଚଳିବ ବୋଲି ସେ ପ୍ରଶ୍ନ କରିଛନ୍ତି।

୨୦୧୪ରେ ସୁରକ୍ଷା ଦୃଷ୍ଟିରୁ ଏଠାରେ ଏକ ମେରାଇନ୍‌ ଥାନା ସ୍ଥାପନ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଏହି ରାସ୍ତା ଦେଇ ହେଉଥିବା ଚୋରା କାରବାର, ବେଆଇନ ମାଛଧରା, ଜବର ଦଖଲ ଓ ଅନୁପ୍ରବେଶ ଆଦିକୁ ନିୟନ୍ତ୍ରଣ କରିବା। କିନ୍ତୁ ଥାନା ସ୍ଥାପନ ହେବା ପରେ ସେଠାକାର ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ବେଆଇନ ମାଛ ବେପାରୀଙ୍କ କାରବାରରେ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ିଯାଇଛି। ଆନ୍ଧ୍ରପ୍ରଦେଶର ବେପାରୀ, ମୁହାଣରେ ବାହାର ମତ୍ସ୍ୟଜୀବୀଙ୍କ ଜବରଦଖଲ, ପରିବେଶ ପ୍ରଦୂଷଣ କଥା ନେଇ ଅନେକ ଥର ମତ୍ସ୍ୟଜୀବୀ ପରିବାର ସ୍ଥାନୀୟ ପ୍ରାଶାସନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ଗୁହାରୀ କରିଛନ୍ତି, କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ। ୨୦୧୧ରେ ନ୍ୟୁକ୍ଲିଅର୍‌ ପାଓ୍ଵର୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଲିଃ (ଏନ୍‌ପିସିଏଲ୍‌) ସେଠାରେ ଏକ କାରଖାନା ବସାଇବା ପାଇଁ ସ୍ଥାନ ଚିହ୍ନଟ କରିଥିଲା। ଏହି ଦୃଷ୍ଟିରୁ ପାଟିସୁନାପୁର ବିଭିନ୍ନ କାରଣରୁ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ରହିଥିଲେ ମଧ୍ୟ ପ୍ରଶାସନ ଓ ପୁଲିସ ଏହି ଇଲାକାରେ ବେଆଇନ ଅନୁପ୍ରବେଶ ଉପରେ କୌଣସି ପଦକ୍ଷେପ ନେବାରେ ପ୍ରାୟତଃ ବିଫଳ ହୋଇଛି। ଯେଉଁଥିପାଇଁ ଏହି ଅଞ୍ଚଳରେ ଜନସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି।

ସମ୍ବନ୍ଧିତ ଖବର