୩୦ ହଜାରରେ ନଦୀ ପଠା ବିକ୍ରି

କଟକ-ସିଡିଏ: ୫ରୁ ୩୦ ହଜାର ଟଙ୍କାରେ ବିକ୍ରି ହେଉଛି ନଦୀ ପଠାର ଜମି। କଟକର ଦୁଇ ପଟେ କାଠଯୋଡ଼ି ଓ ମହାନଦୀ ପଠାରେ ଜମି ମାଫିଆ ଏଭଳି ବ୍ୟବସାୟ ଚଳାଇଛନ୍ତି। ନଦୀ ପଠାରେ ଆକାର ଅନୁସାରେ ଜମି ଦେଇ ସେଠାରେ ଘର କରିବାର ସୁଯୋଗ ଦେଉଥିବା ବେଳେ ସେଥିପାଇଁ ଦାବି କରୁଛନ୍ତି ଟଙ୍କା। ଏଭଳି କାରବାର ଏବେ ଖୋଲାଖୋଲି ଚାଲିଥିଲେ ବି ପୁଲିସ ପ୍ରଶାସନ ହାତ ବାନ୍ଧି ବସିବା ଘଟଣା ଗୁରୁତର ସମସ୍ୟା ସୃଷ୍ଟି କରିଛି। କାଠଯୋଡ଼ି ବିହାର ନଦୀପଠାରେ ଏଭଳି ବେଆଇନ ଢଂଗରେ ଅନେକ ସଂଖ୍ୟାରେ ଘର ମୁଣ୍ଡ ଟେକିଛି। ଜଣେ ଗୁପୁଚୁପ୍‌ ଦୋକାନୀଙ୍କ ନିକଟରୁ ଟଙ୍କା ନେଇ ନଦୀ ପଠାରେ ଘର କରିବାକୁ ଜମି ନଦେବା ଘଟଣା ଏବେ ସାମନାକୁ ଆସିଛି। ଜମି ନଦେଇ ସଂପୃକ୍ତ ମାଫିଆ ଗୁପଚୁପ୍‌ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏ ସଂପର୍କରେ ମର୍କତନଗର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଦୁଇ ମାଫିଆଙ୍କୁ ଥାନାକୁ ଉଠାଇ ନେଇଥିବା ସୂଚନା ମିଳିଛି ।

ବିହାରୀ ଗୁପଚୁପ୍‌ ଦୋକାନୀଙ୍କ ଠାରୁ କାଠଯୋଡ଼ି ବିହାର ଅଞ୍ଚଳର ଟୁନା ପାତ୍ର ଏବଂ ତା’ ସହଯୋଗୀ ଜମି ଯୋଗାଇବା ପ୍ରତିଶ୍ରୁତି ଦେଇ ୨୦ ହଜାର ଟଙ୍କା ନେଇଥିଲେ । କିନ୍ତୁ ପରେ ଜମି ଦେଇନଥିଲେ। ଗୁପଚୁପ୍‌ ଦୋକାନୀ ଜମି ପାଇଁ ବାରମ୍ବାର ଦୌଡ଼ିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ । ସମ୍ପୃକ୍ତ ଦୋକାନୀ ଟୁନାକୁ ଟଙ୍କା ମାଗିବାରୁ ଟୁନା କିଛି ସହଯୋଗୀଙ୍କ ସହିତ ମିଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଆହତ ଦୋକାନୀ ଜଣକ ମର୍କତନଗର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଟୁନା ଏବଂ ତା’ ସହଯୋଗୀକୁ ଥାନାକୁ ଉଠାଇ ନେଇଛି । ନଦୀପଠାରେ ଚାଲିଥିବା ଏଭଳି କାରବାର ସଂପର୍କରେ ପୁଲିସ ଅଧିକ ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର