୩୦ ଲକ୍ଷ ଅଲିଭ୍‌ରିଡ୍‌ଲେ ଶାବକ ସମୁଦ୍ରମୁହାଁ

ରାଜନଗର : ବିରଳ ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଏନ୍ତୁଡିଶାଳ ଗହୀରମଥାରେ ଗତ ୩ ଦିନ ଧରି ଆରମ୍ଭ ହୋଇଛି ଅଣ୍ତାରୁ ଛୁଆ ଫୁଟିବା ପର୍ବ। ୩ ଦିନ ମଧ୍ୟରେ ପ୍ରାୟ ୩୦ ଲକ୍ଷରୁ ଅଧିକ କଇଁଛ ଶାବକ ବଙ୍ଗୋପସାଗର ମୁହାଁ ହୋଇଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି। ଏହି ପକ୍ରିୟା ଆଉ ୪/୫ ଦିନ ଚାଲୁରହିବ।

ଗତ ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୫ ତାରିଖ ଯାଏଁ ୪ ଲକ୍ଷ ୫୨ ହଜାର ୨୪୯ ଅଲିଭ୍‌ରିଡ୍‌ଲେ ଗହୀରମଥା ନାସୀ–୨ରେ ସମୂହ ଅଣ୍ତାଦାନ କରିଥିଲେ। ଏହି କଇଁଛମାନେ ଦଳ ଦଳ ହୋଇ ବାଲୁକା ରାଶିରେ ୪୦ରୁ ୪୫ ସେ.ମି. ଗଭୀରତାର ଗାତ ଖୋଳି ଅଣ୍ତା ଦେଇଥିଲେ। ପ୍ରତିଟି କଇଁଛ ୧୦୦ରୁ ୧୨୦ଟି ଲେଖାଏଁ ଅଣ୍ତା ଦେଇଥିଲେ। ଏହି ଅଣ୍ତାରୁ ଗତ ୧୬ ତାରିଖ ରାତିରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତ୍ର ୨୦ ହଜାର କଇଁଛ ଶାବକ ବସାରୁ ବାହାରି ସମୁଦ୍ର ମୁହାଁ ହୋଇଥିବାବେଳେ ଗତକାଲି ୧୦ ଲକ୍ଷ ଓ ଆଜି ପ୍ରାୟ ୨୦ ଲକ୍ଷ କଇଁଛ ବସାରୁ ବାହାରି ସମୁଦ୍ରକୁ ଚାଲିଯାଇଛନ୍ତି। ଅଣ୍ତାରୁ ଛୁଆ ବାହାରିବା ପର୍ବ ଆରମ୍ଭ ହେବା ପରେ ନିକଟସ୍ଥ ଡ. ଅବଦୁଲ୍‌ କଲାମ୍ ଦ୍ବୀପରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ବନ୍ଦ ରଖାଯାଇଛି। କଇଁଛ ଛୁଆ କିପରି ନିରାପଦରେ ସମୁଦ୍ରରେ ପହଞ୍ଚିବେ, ସେ ନେଇ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କଇଁଛ ଶାବକଙ୍କ ଦେହରେ ଖରା ପଡିବା ପରେ ମୃତ୍ୟୁ ହେବାର ଆଶଙ୍କା ଥିବାରୁ ୩୦ ଜଣ ଯୁବକ ସେମାନଙ୍କୁ ଉଦ୍ଧାର କରି ସମୁଦ୍ରରେ ଛାଡୁଛନ୍ତି। ଅଧିକାଂଶ ସିଧାସଳଖ ବସାରୁ ବାହାରି ସମୁଦ୍ରକୁ ଚାଲିଯାଉଥିବାବେଳେ ସମୁଦ୍ରକୁ ଯାଇପାରୁ ନଥିବା କଇଁଛ ଛୁଆଙ୍କୁ ପ୍ଲାଷ୍ଟିକ ଡାଲା ମାଧ୍ୟମରେ ସଂଗ୍ରହ କରାଯାଇ ସମୁଦ୍ରରେ ଛଡ଼ାଯାଉଛି।

ସମ୍ବନ୍ଧିତ ଖବର