୩୦ତମ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଯାପନୀ ଉତ୍ସବ : ଆବଶ୍ୟକ ନ ଥିଲେ ଗାଡ଼ି ବ୍ୟବହାର କରନି

ଭୁବନେଶ୍ବର : ରାଜ୍ୟସ୍ତରୀୟ ୩୦ତମ ସଡ଼କ ସୁରକ୍ଷା ସପ୍ତାହର ଉଦ୍‌ଯାପନୀ ଉତ୍ସବ ଆଜି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗ ଦେଇଥିଲେ।

ଏହି ଅବସରରେ ଶ୍ରୀ ବେହେରା କହିଲେ, ଲୋକମାନେ ଆଖପାଖ ସ୍ଥାନକୁ କୌଣସି କାମରେ ଯିବା ସମୟରେ ମଧ୍ୟ ଗାଡ଼ିର ବ୍ୟବହାର କରୁଛନ୍ତି। ଗାଡ଼ି ଚଢ଼ିବା ବିକାଶଶୀଳ ଦେଶଗୁଡ଼ିକରେ ଏକ ସଂଭ୍ରାନ୍ତଶ୍ରେଣୀ ବୋଲି ବିବେଚନା କରାଯାଉଛି। ଏଥିରେ କୌଣସି ଯଥାର୍ଥତା ନାହିଁ। ୟୁରୋପ୍‌ ଓ ଆମେରିକାରେ ବହୁ ସଂଭ୍ରାନ୍ତ ବ୍ୟକ୍ତି ସାଇକେଲରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥାଏ। ତେଣୁ ଅନାବଶ୍ୟକ ଭାବେ ଗାଡ଼ି ଚଳାଚଳ ଉପରେ ନିୟନ୍ତ୍ରଣ ଆଣିବାକୁ ହେବ। ଯାହାଫଳରେ ସଡ଼କ ଦୁର୍ଘଟଣା କମିପାରିବ। ଦୁର୍ଘଟଣା ରୋକିବା ପାଇଁ କେବଳ ସଡ଼କ ସୁରକ୍ଷା ସପ୍ତାହ ପାଳନ ଭିତରେ ଏହାକୁ ସୀମିତ ନ ରଖି ଆଗାମୀ ବର୍ଷଗୁଡ଼ିକରେ ପ୍ରକୃତରେ କିଭଳି ଏହା କମିବ ତାହାକୁ ଗୁରୁତ୍ବ ଦେବା ଦରକାର ବୋଲି ଶ୍ରୀ ବେ‌ହେରା କହିଥିଲେ।

ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ କହିଲେ, ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ। ବିଶ୍ବରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୧୨ଲକ୍ଷ ଲୋକ ପ୍ରାଣ ହରାଉଥିବା ବେଳେ ଏଥିରେ ସର୍ବାଧିକ ପଦଚାରୀ ଓ ବାଇକ୍ ଆରୋହୀ ରହିଛନ୍ତି। ୨୦୧୧ ମସିହାରୁ ୨୦୨୦ ପର୍ଯ୍ୟନ୍ତ ମିଳିତ ଜାତିସଂଘ ସଡ଼କ ସୁରକ୍ଷା ଦଶନ୍ଧି ଭାବେ ପାଳନ କରୁଛି। ବିଶ୍ବରେ ଯେତିକି ସଂଖ୍ୟକ ଦୁର୍ଘଟଣା ହେଉଛି ତହିଁରେ ୯୦ ପ୍ରତିଶତ କ୍ଷେତ୍ରରେ ତ୍ରୁଟି ହେଉଛି ଚାଳକଙ୍କର। ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ୮୬ହଜାରରୁ ଅଧିକ ଡ୍ରାଇଭିଂ ଲାଇସେନ୍‌ସ ବାତିଲ୍ କରାଯିବା ସହିତ ଗାଡ଼ିର ଫିଟନେସ୍ ପାଇଁ ଅତ୍ୟାଧୁନିକ ଯାଞ୍ଚ ବ୍ୟବସ୍ଥା ଗ୍ରହଣ କରାଯାରଛି। ରାଜ୍ୟବ୍ୟାପୀ ୪୩୫ଟି ବ୍ଲାକ ସ୍ପଟ୍ ଚିହ୍ନଟ ସହିତ ୫୩୮୦ ମର୍ଜର ପଏଣ୍ଟରେ ଟ୍ରାଫିକ୍ କାମିଂ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୮ଟି ଟ୍ରମା କେୟାର ସେଣ୍ଟର ଖୋଲା ଯାଇଥିବା ବେଳେ ଚଳିତବର୍ଷ ମାର୍ଚ ସୁଦ୍ଧା ଆଉ ୯ଟି ଟ୍ରମା ସେଣ୍ଟର ଖୋଲାଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ସଡ଼କ ସୁରକ୍ଷାକୁ ସାମିଲ କରାଯାଇଛି। ନବମ ଓ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ ଏହାକୁ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟର ୫ଟି ଦୁର୍ଘଟଣା ପ୍ରବଣ ସଡ଼କରେ ହାଇୱେ ପାଟ୍ରୋଲିଂ ପାଇଁ ପଦକ୍ଷେପ ନିଆଯିବା ସହିତ ଟ୍ରାଫିକ୍ ସୁପରିଚାଳନା ପାଇଁ ପ୍ରତି ଜିଲ୍ଲା ଓ ସବ୍‌ଡିଭିଜନ୍‌ରେ ୫ଟି ଲେଖାଏଁ ଟ୍ରାଫିକ୍ ଲାଇଟ୍ ଲଗାଯିବାର ପ୍ରସ୍ତାବ ରହିଥିବା ଶ୍ରୀ ସାହୁ କହିଥିଲେ।

ରାଜ୍ୟ ପୁଲିସ ମହାନିର୍ଦେଶକ ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା କହିଲେ, ‌ଯେତେ ପ୍ରକାର ପଦକ୍ଷେପ ଗ୍ରହଣ କଲେ ମଧ୍ୟ ସଡ଼କ ଦୁର୍ଘଟଣା କମୁ ନାହିଁ। ବରଂ ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ଏହାଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ୪ଇ ବା ଇଞ୍ଜିନିୟରିଂ, ଏନ୍‌ଫୋର୍ସମେଣ୍ଟ, ଏଜୁକେସନ୍ ଓ ଏମର୍ଜେନ୍ସିକୁ ଗୁରୁତ୍ବ ଦେବାକୁ ହେବ। ଟ୍ରାଫିକ୍ ସୁପରିଚଳନା ପାଇଁ ଷ୍ଟୁଡେଣ୍ଟ ଟ୍ରାଫିକ୍ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଏବେ ୬୭୫ଜଣ ଷ୍ଟୁଡେଣ୍ଟ ଟ୍ରାଫିକ୍ ସ୍ବେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି। ତେବେ ଦୁର୍ଘଟଣାରେ ଆହତ ହେଉଥିବା ବ୍ୟକ୍ତିମାନଙ୍କୁ ହସ୍ପିଟାଲକୁ ନେବା ପାଇଁ ଉଭୟ ଘରୋଇ ଓ ସରକାରୀ ଆମ୍ବୁଲାନ୍‌ସ ସେବା ମଧ୍ୟରେ ସଂହତି ସ୍ଥାପନ ହେବା ଜରୁରୀ। ୧୦୮ ଆମ୍ବୁଲାନ୍‌ସ ଏବେ କେବଳ ସରକାରୀ ଡାକ୍ତରଖାନାକୁ ରୋଗୀଙ୍କୁ ସ୍ଥାନାନ୍ତର କରୁଥିବା ବେଳେ ଏହାକୁ ଘରୋଇ ହସ୍ପିଟାଲ ସହିତ ଯୋଡ଼ିବା ଜରୁରୀ ହୋଇ ପଡ଼ିଛି ବୋଲି ଶ୍ରୀ ଶର୍ମା କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଉତ୍ପାଦନ କମିସନର ଗଗନ ଧଳ ଉପସ୍ଥିତ ଥିଲେ। ଏହି ଅବସରରେ ସଡ଼କ ସୁରକ୍ଷା ଆକ୍ସନ୍ ପ୍ଲାନ୍ ଓ ଗୁଡ୍ ସାମରିଟିଆନ୍ ନୀତି ଉନ୍ମୋଚିତ ହୋଇଥିଲା। ପରେ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ପରିବହନ ବିଭାଗର ପ୍ରମୁଖ ସଚିବ ଜି.ଶ୍ରୀନିବାସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିବହନ କମିସନର ସଂଜୀବ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର