ଭୟାବହ ଅଗ୍ନିକାଣ୍ତରେ ୩୧ ବଖରା ଧ୍ବଂସ

ଦଶପଲ୍ଲା : ଚାହୁଁଚାହୁଁ ନିଆଁର ଆଁରେ ଜଳିଗଲା ସବୁକିଛି। ଆଖି ସାମ୍ନାରେ ଘରର ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଉଥିବା ବେଳେ କାନ୍ଦବୋବାଳିରେ ଫାଟି ପଡୁଥାଏ ଗାଁ ଦାଣ୍ତ। ମୁଣ୍ତ ଉପରେ ଅସହ୍ୟ ଖରାର ପ୍ରକୋପ ସାଙ୍ଗକୁ ନିଆଁ ଝାସରେ ଘର ଭିତରୁ ଧନସମ୍ପତ୍ତି ରକ୍ଷା କରିବା ଅସମ୍ଭବ ହୋଇପଡ଼ିଛି। ଦଶପଲ୍ଲା ବ୍ଲକ୍‌ଠାରୁ ପ୍ରାୟ ୧୭ କିମି ଦୂର ଭୋଗବାଡି ପଞ୍ଚାୟତର ଆଦିବାସୀ ବହୁଳ ଶୁଳିଆପାହାଡ଼ ଗାଁରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧ଟାରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି ଗ୍ରାମର ୧୨ ଟି ପରିବାରର ୨୨ ବଖରା ଘର ସମେତ ୯ଟି ପରିବାରର ୯ ବଖରା ଗୁହାଳ ଘର ଜଳିପୋଡ଼ି ଛାରଖାର୍ ହୋଇଯାଇଛି। ଏଥି ସହିତ ନଗଦ ୨୭ ହଜାର ଟଙ୍କା ସହ ମୋଟର ସାଇକେଲ, ସାଇକେଲ ଓ ସମସ୍ତ ଆସବାବ ପତ୍ର ପୋଡ଼ି ଧ୍ବଂସ ହୋଇଯାଇଛି। ଖବର ପାଇ ଦଶପଲ୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ବିପନ୍ନ ପରିବାରଗୁଡ଼ିକ ଏବେ ବେସାହାରା ହୋଇ ପଡିଛନ୍ତି।

ସୂଚନାଯୋଗ୍ୟ, ଆଜି ଅପରାହ୍ଣ ସାଢ଼େ ୧ ଟାରେ ଅସହ୍ୟ ଖରାରେ ଗ୍ରାମବାସୀମାନେ ଘରେ ଆଶ୍ରୟ ନେଇଥିବା ବେଳେ ହଠାତ୍ ଗ୍ରାମର ଶରତ ଚନ୍ଦ୍ର ଜେନାଙ୍କ ଘରେ ଅଗ୍ନିକାଣ୍ତ ହୋଇଥିଲା। ଶରତଙ୍କ ଘରେ କେହି ନଥିବା ବେଳେ ବିଦ୍ୟୁତ୍ ସର୍ଟସର୍କିଟ ହୋଇ ଏହି ଅଗ୍ନିକାଣ୍ତ ଆରମ୍ଭ ହୋଇଥିଲା। ଗ୍ରାମବାସୀ ଏହା ଦେଖି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିବା ବେଳେ କ୍ଷଣିକ ମଧ୍ୟରେ ନିଆଁ ଗାଁର ଉଭୟ ପାର୍ଶ୍ବକୁ ବ୍ୟାପୀ ଯାଇଥିଲା। ଅସହ୍ୟ ଖରା ସାଙ୍ଗକୁ ନିଆଁର ଝାସ ମଧ୍ୟରେ ଗ୍ରାମବାସୀ ତା’ ଭିତରେ ପଶିବାକୁ ସାହସ ଜୁଟାଇ ପାରିନଥିବା ବେଳେ ଆଖି ସାମ୍ନାରେ ହୁ ହୁ ହୋଇ ସବୁ କିଛି ଜଳି ଯାଇଥିଲା। ଏପଟେ ଆଖି ସାମ୍ନାରେ ଜଳିପୋଡ଼ି ଯାଉଥିବା ଘରକୁ ଦେଖି କାନ୍ଦ ବୋବାଳିରେ ଗାଁ ଫାଟି ପଡୁଥିଲା। ହେଲେ ନିଆଁକୁ ଆୟତ କରିବା ଅସମ୍ଭବ ହୋଇ ପଡ଼ିଥିଲା। ଖବର ପାଇ ଦଶପଲ୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଦମକଳ ବାହିନୀ କର୍ମଚାରୀଙ୍କ ପ୍ରାୟ ସାଢେ ୩ ଘଂଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଆୟତ ମଧ୍ୟକୁ ଆସିଥିବା କେନ୍ଦ୍ର ଅଧିକାରୀ କାହ୍ନୁ ଚରଣ ସ୍ବାଇଁ ପ୍ରକାଶ କରିଛନ୍ତି। ଏହି ଅଗ୍ନିକାଣ୍ତରେ କନକ ବେୱା ଓ ସନ୍ତୋଷ ପ୍ରଧାନଙ୍କ ଗୋଟିଏ ଲେଖାଏଁ ବଖରା ଘର ପୋଡ଼ି ଯାଇଥିବା ବେଳେ ସୋମନାଥ ପ୍ରଧାନ, ପ୍ରଦୀପ ପ୍ରଧାନ, ଶରତ ଚନ୍ଦ୍ର ଜେନା, ତ୍ରିଲୋଚନ ଜେନା, ସୁମନ୍ତ ବାରିକ, ଭାଗ୍ୟରଥି ନାୟକ, ଦାଶରଥି ନାୟକ, ଅଭିମନ୍ୟୁ ଜେନା, ଉତ୍ସବ ପ୍ରଧାନ ଓ ଅର୍ଜୁନ ଜେନାଙ୍କ ୨ଟି ଲେଖାଏଁ ବଖରା ଜଳିପୋଡି ପାଉଁଶ ହୋଇଯାଇଛି। ଏଥିସହିତ ଉତ୍ସବ ପ୍ରଧାନ, ଅର୍ଜୁନ ଜେନା, ଦୁଆରୀ ଜେନା, ପଦନ ଜେନା, ତ୍ରିଲୋଚନ ଜେନା, ଅଭିମନ୍ୟୁ ଜେନା, ଦନାର୍ଦ୍ଦନ ଜେନା, ଦେବରାଜ ଜେନା ଓ ଶରତ ଚନ୍ଦ୍ର ଜେନାଙ୍କ ଗୋଟିଏ ଲେଖାଏଁ ଗୁହାଳ ଘର ଜଳି ଯାଇଛି। ଏହି ଅଗ୍ନିକାଣ୍ତରେ ଅର୍ଜୁନ ଜେନାଙ୍କ ୨୦ ହଜାର, ଅଭିମନ୍ୟୁ ଜେନାଙ୍କ ୭ ହଜାର ଟଙ୍କା ସହିତ ଉତ୍ସବ ପ୍ରଧାନଙ୍କ ଦୋକାନରେ ଥିବା ପ୍ରାୟ ୪୦ ହଜାର ଟଙ୍କାର ସାମଗ୍ରୀ ଓ ବସନ୍ତ ପ୍ରଧାନଙ୍କ ପାଣି ପମ୍ପ ଓ ପାଇପ୍ ଇତ୍ୟାଦି ପୋଡ଼ି ପାଉଁଶ ହୋଇଯାଇଛି।

ବିପନ୍ନ ପରିବାରଙ୍କ ପିନ୍ଧାଲୁଗାକୁ ଛାଡିଦେଲେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଧାନ, ଚାଉଳ ଓ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଗାଁରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ ଓ ଥାନା ଅଧିକାରୀ ବିଶ୍ବଜିତ୍ ରାଉତରାୟ ପହଞ୍ଚି ବିପନ୍ନ ପରିବାରକୁ ସମବେଦନା ଜଣାଇଥିବା ବେଳେ ବିଭିନ୍ନ ଯୁବକ ସଂଘ ପକ୍ଷରୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ଏଥିସହିତ ତହସିଲଦାର ପ୍ରମୋଦ କୁମାର ଦଳବେହେରାଙ୍କ ନିର୍ଦ୍ଦେଶକ୍ରମେ ଆର‌୍ଆଇ ଗାଁରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି। ତୁରନ୍ତ ବିପନ୍ନ ପରିବାରଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି। ଭୋଗବାଡ଼ିଠାରୁ ଶୁଳିଆପାହାଡ଼ ଗାଁକୁ ପ୍ରାୟ ୨ କିମି ରାସ୍ତା ଯାତାୟାତ ପାଇଁ ବାଧକ ସାଜିଛି। ଫଳରେ ଦମକଳ କେନ୍ଦ୍ରର ପାଣି ଟ୍ୟାଙ୍କର ଗାଡିଟି ଯିବା ସମ୍ଭବ ହୋଇ ପାରିନଥିଲା। ପାଣି ଟ୍ୟାଙ୍କର ଗାଡିଟି ଭୋଗବାଡିରେ ଛାଡିଦେଇ ଗୋଟିଏ ଗାଡିରେ କର୍ମଚାରୀମାନେ ବହୁ କଷ୍ଟରେ ଗାଁରେ ଯାଇ ପହଞ୍ଚିଥିଲେ। ଗାଁ ମୁଣ୍ତରେ ଥିବା ପୋଖରୀରେ ପାଇପ୍ ପକାଇ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିବା ଦମକଳ କେନ୍ଦ୍ର ଅଧିକାରୀ କାହ୍ନୁଚରଣ ସ୍ବାଇଁ ପ୍ରକାଶ କରିଛନ୍ତି। ମାତ୍ର ବଡକଥା ହେଉଛି ଗାଁକୁ ରାସ୍ତା ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି କରାଯାଉଥିବା ବେଳେ ଏଥିପ୍ରତି କୌଣସି ଗୁରୁତ୍ବ ଦିଆଯାଉ ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର