ନିଯୁକ୍ତ ହେବେ ୩୧ ବିଶେଷଜ୍ଞ ଡାକ୍ତର

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନଜରରେ ରଖି ୩୧ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ୧୬୭ଜଣ ଅଧିକ ଡାକ୍ତରଙ୍କୁ ମୁତୟନ କରାଯିବ। ଏହାସହ ୧୬୦ଜଣ ପାରାମେଡିକ୍‌, ୨୦ଜଣ ଷ୍ଟାଫନର୍ସ, ୧୯୪ଜଣ ଆଟେଣ୍ଡାଣ୍ଟଙ୍କୁ ମିଶାଇ ସମୁଦାୟ ୩୭୪ଜଣଙ୍କୁ ମୁତୟନ କରାଯିବ। ପୁରୀ ସହର ସମେତ ଆଖପାଖ ଅଞ୍ଚଳ ଓ ଜାତୀୟ ରାଜପଥରେ ୭୦ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବାକୁ ନିର୍ଦେଶ ଦିଆଯାଇଛି।

ଆଜି ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବଜାୟ ରଖିବା ଓ ଏଥିପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି। ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା କିଭଳି ବଜାୟ ରହିବ ସେଥିପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ପୁରୀ ଓ ଅନ୍ୟାନ୍ୟ ସହରରେ ଖୋଲିବାକୁ ଥିବା ୭୦ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟରୁ ସରକାରଙ୍କ ୩୪ଟି ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ୩୬ଟି କେନ୍ଦ୍ର ରହିଛି। ଏସବୁ କେନ୍ଦ୍ରରେ ଆବଶ୍ୟକ ଔଷଧ ଓ ଜରୁରୀକାଳୀନ କିଟ୍‌ ଉପଲବ୍ଧ ରହିବ। ସେହିପରି ୬୮ଟି ଆମ୍ବୁଲାନ୍‌ସ ନିର୍ଧାରିତ ସ୍ଥାନଗୁଡ଼ିକରେ ମୁତୟନ ହେବେ। ସେଥିରୁ ୩୦ଟି ସରକାରୀ ଆମ୍ବୁଲାନ୍‌ସ ଓ ୩୮ଟି ବିଭିନ୍ନ ସ୍ୱେଚ୍ଛାସେବୀଙ୍କ ଆମ୍ବୁଲାନ୍‌ସ ରହିଛି। ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ପାଇଁ ୨ଟି ସ୍ୱତନ୍ତ୍ର ଓ୍ଵାର୍ଡ ବ୍ୟବସ୍ଥା ହୋଇଛି। ୧୫ଟି ହୁଇଲ ଚେୟାର ଓ ୩୦ଟି ଷ୍ଟ୍ରେଚର୍‌ ମଧ୍ୟ ରଖାଯିବ। ସଦର ମହକୁମା ଡାକ୍ତରଖାନା ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ୮୧ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ‘ନିରାମୟ’ ଯୋଜନାରେ ମାଗଣାରେ ରୋଗୀମାନଙ୍କୁ ଔଷଧ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଛି।

ଅପରପକ୍ଷରେ ପାନୀୟ ଜଳ ଉତ୍ସଗୁଡ଼ିକର ବିଶୋଧନ କାମ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ପାନୀୟ ଜଳ ଓ ଖାଦ୍ୟପଦାର୍ଥ ଯାଞ୍ଚ ଆରମ୍ଭ କରାଯାଇଛି।

ସଚିବାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ ମେହେର୍ଦା, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ଅତରିକ୍ତ ଶାସନ ସଚିବ ହରିବଲ୍ଲଭ ମିଶ୍ର, ଶରତ ମିଶ୍ର, ଯୁଗ୍ମ ଶାସନ ସଚିବ ସୁବାନନ୍ଦ ମହାପାତ୍ର, ଆୟୁଷ ନିର୍ଦେଶକ ଅଶ୍ୱିନୀ ମିଶ୍ର, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବି କେ ବ୍ରହ୍ମା, ପରିବାର କଲ୍ୟାଣ ନିର୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦେଶକଙ୍କ ସମେତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ କର୍ମକର୍ତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର