ଗୃହ ବିଭାଗର ପ୍ରତାରଣା : ୨୦ ବର୍ଷର ସଂଘର୍ଷ ପରେ ବି ମିଳୁନି ୩୧୦ ଆଶାୟୀଙ୍କୁ ନିଯୁକ୍ତି

୧୯୯୭ ମସିହାରେ ସଚିବାଳୟ କନିଷ୍ଠ ସହାୟକ ମେଧା ପ୍ରାର୍ଥୀ/ପ୍ରାର୍ଥିନୀଙ୍କୁ ଅଣଦେଖା, ନିୟମ ଭାଙ୍ଗି ପରୀକ୍ଷା କଲେ, ଚାକିରି ଦେବାକୁ କୁନ୍ଥକୁନ୍ଥ

ଭୁବନେଶ୍ବର :ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲେ। ମେଧା ତାଲିକାରେ ସ୍ଥାନ ପାଇଲେ। ହେଲେ ଚାକିରି ମିଳିଲା ନାହିଁ। ବର୍ଷେ କି ଦୁଇ ବର୍ଷ ନୁହଁ, ଦୀର୍ଘ ୨୦ ବର୍ଷ ହେଲା କନିଷ୍ଠ ସହାୟକ ଚାକିରି ଖଣ୍ଡେ ପାଇଁ ଏମିତି ସଂଘର୍ଷ କରୁଛନ୍ତି ୩୧୦ କୃତୀ ପ୍ରାର୍ଥୀ। ମୁଖ୍ୟମନ୍ତ୍ରୀଙ୍କୁ ଗୁହାରିଠାରୁ ଆରମ୍ଭ କରି ବାରମ୍ବାର ବିକ୍ଷୋଭ କରିଥିଲେ ମଧ୍ୟ କୌଣସି ଫଳ ନ ମିଳିବାରୁ ଚାକିରି ଆଶାୟୀ ଏହି ପ୍ରାର୍ଥୀମାନେ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହେଲେ। କିନ୍ତୁ ମାମଲାର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଶା ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ବିଚାର କରି ଏବେ ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ନିଯୁକ୍ତି ବେଳେ ସଂରକ୍ଷଣ ନିୟମକୁ କଡ଼ାକଡ଼ି ପାଳନ କରାଯାଇନାହିଁ। ୧୭-ଏ କୋହଳ ନିୟମକୁ ପାଥେୟ କରି ବିଜ୍ଞାପିତ ପଦଠାରୁ ଅଧିକ ମେଧା ତାଲିକା ଦିଆଯାଇଛି। ତେଣୁ ଏହା କେବଳ ବଳକା ୩୧୦ଜଣ ପ୍ରାର୍ଥୀଙ୍କ ନିଯୁକ୍ତିରେ ସଂକଟ ସୃଷ୍ଟି କରିନାହିଁ ବରଂ ୨୦ ବର୍ଷ ଧରି ଚାକିରିରେ ଥିବା ଓ ପଦୋନ୍ନତି ପାଇଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସଂକଟ ସୃଷ୍ଟି କରିଛି। ଉଚ୍ଚ ନ୍ୟାୟାଳୟ ଏହି ରାୟ ଶୁଣାଇବା ପରେ ଗୃହ ବିଭାଗର ଅଧିକାରୀ ଭୁଲ ସଂଶୋଧନ କରି ନିଯୁକ୍ତି ତ୍ବରାନ୍ବିତ କରିବା ପରି‌ବର୍ତ୍ତେ ହାଇକୋର୍ଟ ଅଥବା ସୁପ୍ରିମ୍‌କୋର୍ଟରୁ ଆଉ ଏକ ସ୍ପଷ୍ଟ ନିର୍ଦେଶନାମା ଆଣିବା ପାଇଁ ମୌଖିକ ନିର୍ଦେଶ ଦେଇଛନ୍ତି। ଫଳର ଚାକିରି ଆଶାୟୀଙ୍କ ମନୋବଳ ପୁଣିଥରେ ଭାଙ୍ଗି ଯାଇଛି। ଗୃହ ବିଭାଗର ଏପରି ପ୍ରତାରଣା କେତେଦୂର ଗ୍ରହଣଯୋଗ୍ୟ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସୂଚନା ମୁତାବକ, ୧୯୯୫ ମସିହାରେ ସାଧାରଣ ପ୍ରଶାସନ ବିଭାଗ ଓଡ଼ିଶା ମିନିଷ୍ଟରିୟାଲ୍‌ ସର୍ଭିସ୍‌ ନିଯୁକ୍ତି ନିୟମାବଳୀର ଧାରା ୮ରେ ସାମାନ୍ୟ ସଂଶୋଧନ ଆଣିଥିଲା। ପରିବର୍ତ୍ତିତ ନିୟମ ମୁତାବକ ଯେତିକି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ, ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା କରାଇ ସେତିକି ସଂଖ୍ୟକ ମେଧା ତାଲିକା ଉକ୍ତ ବିଭାଗକୁ ପ୍ରଦାନ କରିବ। କିନ୍ତୁ ଗୃହ ବିଭାଗର ତ୍ରୁଟି ଓ ଖାମଖିଆଲି ଯୋଗୁଁ ଓଡ଼ିଶା ଲୋକସେବା ଆୟୋଗ ୧୯୯୬ ମସିହାରେ ୩ଶହ କନିଷ୍ଠ ସହାୟକ ପଦ ପାଇଁ ପରୀକ୍ଷା କରାଇ ମୋଟ ୬୭୧ଜଣଙ୍କ ମେଧା ତାଲିକା ପ୍ରସ୍ତୁତ କଲା। ବିଭିନ୍ନ ସମ୍ବାଦପତ୍ରରେ ଏହି ତାଲିକା ପ୍ରକାଶ ପାଇବା ସହ ମନୋନୀତ ପ୍ରାର୍ଥୀଙ୍କୁ ମଧ୍ୟ ଏ ବାବଦରେ ଜଣାଇ ଦିଆଯାଇଥିଲା।

ପର୍ଯ୍ୟାୟକ୍ରମେ ୩୬୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲେ ସୁଦ୍ଧା ଅନ୍ୟ ୩୧୦ ଜଣ ଏବେ ବି ଚାକିରି ପାଇପାରିନାହାନ୍ତି। ଚାକିରି ଖଣ୍ଡେ ପାଇବେ ବୋଲି ଚାହିଁ ଚାହିଁ ‌କିଏ ଆରପାରିକୁ ଚାଲିଗଲାଣି ତ କିଏ ଚାକିରି ମିଳିଯିବ ବୋଲି ଅପେକ୍ଷା କରି କରି ବୟସ ଚାଲିଗଲା। ସବୁଆଡ଼ୁ ନିରାଶ ହେବା ପରେ ଆଶାୟୀ ପ୍ରାର୍ଥୀମାନେ ଆଇନର ଆଶ୍ରୟ ନେଲେ। ଉଚ୍ଚ ନ୍ୟାୟାଳୟ ଏହାର ବିଚାର କରି କହିଥିଲେ ଯେ ନିଯୁକ୍ତି ନିୟମ ଓ ସଂରକ୍ଷଣ ନିୟମ ଠିକ୍‌ ଭାବେ ପାଳନ କରାଯାଇନାହିଁ। ତେଣୁ ବାକି ୩୧୦ ମେଧା ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦେଶ ଦେଲେ। କିନ୍ତୁ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସରକାର କାର୍ଯ୍ୟକାରୀ କଲେ ନାହିଁ।

ଏହାର ପ୍ରତିବାଦରେ ୨୦୦୪ ମସିହାରେ ଆଶାୟୀମାନେ ୨୩ ଦିନ ଅନଶନରେ ବସିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିଯୁକ୍ତି ଦେବା ନେଇ ମୌଖିକ ପ୍ରତିଶ୍ରୁତି ଦେଲେ। ତା’ପରେ ବି ନିଯୁକ୍ତି ମିଳିଲା ନାହିଁ। ୨୦୧୦ ମସିହାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ବିରୋଧରେ ସରକାର ୨୦୧୧ମସିହାରେ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍‌ ପିଟିସନ୍‌ (ଏସ୍‌ଏଲ୍‌ପି) ଫାଇଲ୍‌ କଲେ। ୨୦୧୬ରେ ଏସ୍‌ଏଲ୍‌ପି ସରିଲା। ତତ୍କାଳୀନ ଅତିରିକ୍ତ ଶାସନ ସଚିବ ‌ଜଣାଇଥିଲେ ଯେ, ନିଯୁକ୍ତି ଦେବା ସମୟରେ ବହୁ ପ୍ରାର୍ଥୀ ଚାକିରିରେ ଯୋଗଦାନ କରନ୍ତି ନାହିଁ। ତେଣୁ ଲୋକସେବା ଆୟୋଗ ଅଧିକ ପ୍ରାର୍ଥୀ ଦେବା ଅପ୍ରାସଙ୍ଗିକ ମନେ ହୋଇନପାରେ। ଏପରିକି କୃତକାର୍ଯ୍ୟ ହୋଇଥିବା ମେଧା ତାଲିକା ମଧ୍ୟରୁ ଶୀର୍ଷ ସ୍ଥାନରେ ଥିବା ୩୦୦ ପ୍ରାର୍ଥୀଙ୍କୁ ସଚିବାଳୟରେ କନିଷ୍ଠ ସହାୟକ ପଦବିରେ ନିଯୁକ୍ତି ପାଇଁ ସରକାରୀ ଆଦେଶ ନିଆଯାଇପାରେ ବୋଲି ତତ୍କାଳୀନ ଅନୁଶାସନ ସଚିବ ଜଣାଇଥିଲେ। ମାତ୍ର ସେମିତି କରାଗଲା ନାହିଁ। ଯେଉଁ ୩୬୧ଜଣ ଚାକିରି ପାଇଲେ, ସେମାନଙ୍କ ମଧ୍ୟରେ ଅଣସଂରକ୍ଷିତ ବର୍ଗ ତଥା ଶାରୀରିକ ଅକ୍ଷମ ପିଲା ନିଯୁକ୍ତି ପାଇନଥିବା ବେ‌େ‌ଳ ୧୭୪ରୁ ୨୦୨ , ୩୯୮, ୪୦୧, ୪୦୩ ସିରିଏଲ୍‌ରେ ଥିବା ପ୍ରାର୍ଥୀଙ୍କୁ ଅଣସଂରକ୍ଷିତ ପଦବିରେ ନିଯୁକ୍ତି ଦିଆଯାଇଛି। ଏଣେ କିନ୍ତୁ ୧୦୭, ୧୦୯, ୧୧୨, ୧୧୪, ୧୧୫, ୧୪୯, ୧୫୪, ୧୫୮ ଓ ୨୦୦ ସିରିଏଲ୍‌ ନମ୍ବର ମଧ୍ୟରେ ଥିବା ଅଣ ସଂରକ୍ଷିତ ପ୍ରାର୍ଥୀଙ୍କୁ ଦୀର୍ଘ ୨୦ ବର୍ଷ‌ ହେଲା ନିଯୁକ୍ତିରୁ ବଞ୍ଚିତ କରାଯାଇଛି।

ସମ୍ବନ୍ଧିତ ଖବର