ଗହୀରମଥାରେ ବେଧଡ଼କ ମାଛଧରା : ୪ ଟ୍ରଲର୍‌ ଜବତ, ୩୨ ମତ୍ସ୍ୟଜୀବୀ ଗିରଫ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଧଡ଼କ ମାଛଧରା ଚାଲିଛି। ବନବିଭାଗ କଟକଣାକୁ ଭ୍ରୂକ୍ଷେପ ନକରି ମତ୍ସ୍ୟଜୀବୀମାନେ ବେଆଇନ୍‌ ଭାବେ ମାଛ ଧରୁଛନ୍ତି। ପୂର୍ବ ଭଳି ୩୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୪ଟି ଟ୍ରଲର୍‌ ଓ ୭ କ୍ୱିଣ୍ଟାଲ ମାଛ ଜବତ କରାଯାଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନବିଭାଗର ଏକ ଟିମ୍‌ ପାଟ୍ରୋଲିଂ କରୁଥିଲା। ପାଟ୍ରୋଲିଂ ସମୟରେ ଏକକୂଳା ଓ ହବାଳିଖଟି ନିକଟରେ ବେଆଇନ୍‌ ମାଛଧରାରେ ବ୍ୟବହୃତ ସୁବର୍ଣ୍ଣରେଖା, ପଞ୍ଚବଟୀ, ପୂର୍ବାଶା, ଗଣେଶ-୪ ନାମକ ୪ଟି ଟ୍ରଲରକୁ ଜବତ କରିଥିଲେ। ଜବତ ଟ୍ରଲରରେ ଥିବା କାର୍ତ୍ତିକ ଦାସ, ଶିବ ମାଝି, ଜଗନ୍ନାଥ ଦାସ, ବିଶ୍ୱନାଥ ଗଙ୍ଗେଇ, ଶମ୍ଭୁ କୁମାର ବେହେରା, ଉମେଶ ମାଇତି, ଦେବାଶିଷ ମଣ୍ଡଳ, ସୁଫଲ୍‌ ନେବୁ, ପ୍ରଶାନ୍ତ ବେଜ୍‌, ଗୌତମ ଭୁନିଆ, ଦୁଃଶାସନ ପାତ୍ର, ତାପସ ଗିରି, ତପନ ଦାସ, ରଘୁନାଥ ଦଳାଇ, ଖୁଦିରାମ କର, ସୁବିମଳ ସାମଲ, ଅନୁପ ଧରା, ଭାନୁ ଧରା, ତାପସ ଧରା, କୁନ୍ତଲ ପାଇ, ମାଧବ ପୁରକିତ୍‌, ଉତମ ସାହା, ଅଜିତ୍‌ କାଏଲ୍‌, କେଶବ ଭୂୟାଁ, ପିଣ୍ଟୁ ଗିରି, ପ୍ରଦୀପ ନାଥ, ଦେବେନ୍ଦ୍ର ନାଥ, ଘନଶ୍ୟାମ ଖୁଣ୍ଟିିଆ, ବିରେନ୍ଦ୍ର ମାଝୀ, ନିରଞ୍ଜନ ମହାନ୍ତି, ମନୋରଞ୍ଜନ ଦାସ, ବିଶ୍ୱନାଥ ପରିଡା ପ୍ରମୁଖ ୩୨ଜଣ ମତ୍ସ୍ୟଜୀବୀଙ୍କୁ ଧରି କୋର୍ଟଚାଲାଣ କରାଯାଇଛି।

ଅନ୍ୟପକ୍ଷରେ, ମାତ୍ର ୭ କୁଇଣ୍ଟାଲ୍‌ ୫୦ କିଲୋ ମାଛ ଜବତ କରାଯିବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏ ସଂପର୍କରେ ବରୁଣେଇ ଫରେଷ୍ଟର ମହନ୍ତ କୁମାର ମଲ୍ଲିକକୁ ପଚାରିବାରୁ ସେ କିଛି କହିବାକୁ ମନା କରିଦେଇଛନ୍ତି। ଯେତେ କଟକଣା କଲେ ବି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଟ୍ରଲର, ଗିଲ୍‌ନେଟର ବେଧଡକ ଭାବେ ମାଛ ମାରୁୁଛନ୍ତି। ବନ ବିଭାଗ ଲୋକଦେଖାଣିଆ ଭାବେ ମାତ୍ର ୨/୪ଟି ଟ୍ରଲର ଧରି କାମ ସାରିଦେଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର