କେରଳ କୁଲିକଟରେ ଫସିଛନ୍ତି ଖୋର୍ଦ୍ଧାର ୩୨ ଶ୍ରମିକ

ଖୋର୍ଦ୍ଧା : ସମଗ୍ର ଦେଶରେ ଗୃହାବଦ୍ଧ ଯୋଗୁଁ ଖୋର୍ଦ୍ଧା ଜିଲ୍ଲାର ୩୨ଜଣ ଶ୍ରମିକ ଏବେ କେରଳର କୁଲିକଟ ଠାରେ ଦୀର୍ଘ ୪ ଦିନ ଧରି ଫସିରହିଛନ୍ତି । ଗତ ୩୬ ଘଂଟା ଧରି ସେମାନେ ଖାଇବାକୁ ପାଇନଥିବା ଏକ ଭିଡ଼ିଓ ଜାରି କରି କହିବା ସହ ସେମାନଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇନେବାକୁ ଅନୁରୋଧ କରିଛନ୍ତି।

ମିଳିଥିବା ସୂଚନାନୁସାରେ, ସେଠାରେ ୫-୬ ବର୍ଷ ଧରି ୩-୪ଜଣ କୁଲିକଟରେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ । ୨୦୧୯ ଅକ୍ଟୋବର-ନଭେମ୍ବର ମାସରେ ଖୋର୍ଦ୍ଧା, ବେଗୁନିଆ, ରଣପୁରର ୧୫ଜଣ ସେମାନଙ୍କ ନିକଟକୁ ଯାଇଥିବା ବେଳେ ୩ ମାସ ପୂର୍ବେ ଆଉ ୩-୪ଜଣ ଯୁବକ ମଧ୍ୟ କାମଧନ୍ଦା ଖୋଜିବା ପାଇଁ ଯାଇଥିଲେ । ଗୃହାବଦ୍ଧ ଘୋଷଣା ହେବା ପରେ ସେମାନେ ନିଜର ଠିକାଦାରଙ୍କ ଠାରୁ ଟଙ୍କା ନେଇ ଫେରିବାକୁ ଯୋଜନା କରିଥିଲେ । କିନ୍ତୁ ଠିକାଦାର ସେମାନଙ୍କୁ ଟଙ୍କା ଦେଇନଥିଲେ । ଟଙ୍କା ନପାଇବାରୁ ସେମାନଙ୍କ ଫେରିବା ବାଟ ମଧ୍ୟ ବନ୍ଦ ହୋଇଯାଇଥିଲା। ତଥାପି ସେମାନେ କୌଣସିମତେ କୁଦିଆର ଜଙ୍କସନ୍ ନିକଟରେ ପହଂଚିଥିଲେ। ତେବେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯିବାରୁ ସେଠାରେ ଫସି ରହିଛନ୍ତି।

ଗତ ୩୬ ଘଂଟା ଧରି ଭଲ ଭାବେ ମୁଠାଏ ଖାଇପାରିନଥିବା ଶ୍ରମିକ ଅନୀଲ ସାହୁ କହିଛନ୍ତି। ସେମାନଙ୍କ ପାଇଁ ପ୍ରଥମେ ସେମାନଙ୍କ ଖାଇବା ବ୍ୟବସ୍ଥା କରିବା ସହ ସେମାନଙ୍କୁ ଓଡ଼ିଶା ଫେରାଇନେବାକୁ ଅନୁରୋଧ କରିଛନ୍ତି। ବିଜୟ କୁମାର କହିଛନ୍ତି ଯେ ଓଡ଼ିଶା ସରକାର ଜାରି କରିଥିବା ଫୋନ୍ ନମ୍ବରରେ ସେମାନେ ୩-୪ଥର ଫୋନ୍ କରିଥିଲେ। କିନ୍ତୁ କେହି ସେମାନଙ୍କ ଫୋନ୍ ଉଠାଇଲେ ନାହିଁ।

ସମ୍ବନ୍ଧିତ ଖବର