ଆଠଦିନରେ ରାଜ୍ୟରେ ୩୩ ଡେଙ୍ଗୁ ରୋଗୀ

କଟକ: ଆଠଦିନରେ ସାରା ରାଜ୍ୟରେ ଚିହ୍ନଟ ହେଲେଣି ୩୩ଜଣ ଡେଙ୍ଗୁ ରୋଗୀ। କଟକରୁ ଓ ଭଦ୍ରକରୁ ୧୦ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଗୋଟିଏ ଦିନରେ କେବଳ ଏସ୍‌ସିବିରେ ୧୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ କଟକ ଓ ଭଦ୍ରକରୁ ୩ଜଣ ଲେଖାଏଁ ଅଛନ୍ତି। ସେହିପରି ଯାଜପୁରରୁ ୨, ଜଗତ୍‌ସିଂହପୁର, ଅନୁଗୁଳ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଏସ୍‌ସିବିରେ ଖୋଲାଯାଇଥିବା ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡରେ ୧୮ଜଣ ଚିକିତ୍ସିତ ହେଉଥିବାବେଳେ ୨ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମଙ୍ଗଳବାର ୬୧ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୧୧ଜଣଙ୍କ ଡେଙ୍ଗୁ ପଜିଟିଭ୍ ବାହାରିଛି। ଚିହ୍ନଟ ରୋଗୀଙ୍କ ମଧ୍ୟରୁ କଟକର କଲେଜ ସ୍କୋୟାର, ଜଗତପୁର, ରାମକୃଷ୍ଣନଗର, ମାହାଙ୍ଗାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରେ ଏହାକୁ ମିଶାଇ ଆଠ ଦିନ ମଧ୍ୟରେ ୧୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୩୩ଜଣଙ୍କ ଡେଙ୍ଗୁ ପଜିଟିଭ୍ ବାହାରିଛି। କଟକ ଓ ଭଦ୍ରକରୁ ୧୦ଜଣ ଲେଖାଏଁ, କେନ୍ଦ୍ରାପଡା, ପୁରୀରୁ , ଅନୁଗୁଳ, ଯାଜପୁରରୁ ୨ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର