ବାଘାଝରଣ ଜଙ୍ଗଲରେ ୩୩ ଝାଡ଼ଖଣ୍ଡୀ ହାତୀ

ଶୁଳିଆପଦା : ଶୁଳିଆପଦା ବ୍ଲକ୍‌ ମହାବିଲା ପଞ୍ଚାୟତ ଅଧୀନ ଧରମପୁର ଗାଁ ନିକଟସ୍ଥ ବାଘାଝରଣ ଜଙ୍ଗଲରେ ୩୩ଟି ଝାଡ଼ଖଣ୍ଡୀ ହାତୀ ପ୍ରବେଶ କରିଛନ୍ତି। ଗତକାଲି ସନ୍ଧ୍ୟାରେ ଉକ୍ତ ହାତୀପଲ ବେତନଟୀ ରେଞ୍ଜ ଅଞ୍ଚଳରେ ଥିବା ବେଳେ ରାତିକ ମଧ୍ୟରେ ରାସଗୋବିନ୍ଦପୁର, ମୋରଡ଼ା ପାରିହୋଇ ଭୋର ସୁଦ୍ଧା ବାରିପଦା-ବାଘଡ଼ା ରାଜ୍ୟ ରାଜପଥ ଅତିକ୍ରମ କରି ବାଘାଝରଣ ଜଙ୍ଗଲରେ ପ୍ରବେଶ କରିଛନ୍ତି। ଶୁଳିଆପଦା ବ୍ଲକ୍‌ ମୁଖ୍ୟ କାର୍ଯ୍ୟାଳୟଠାରୁ ଏହି ଜଙ୍ଗଲ ମାତ୍ର ୪ କିମି ଦୂରରେ ଥିବାରୁ ଲୋକଙ୍କ ମଧ୍ୟରେ ହାତୀକୁ ନେଇ ଆତଙ୍କ ଦେଖାଦେଇଛି। ସେହିପରି ହାତୀ ଦେଖିବା ପାଇଁ ସକାଳୁ ସକାଳୁ ବହୁ ଲୋକ ଜଙ୍ଗଲ ନିକଟରେ ପହଞ୍ଚିଥିଲେ। ଯାହାକୁ ନେଇ ହରଡ଼ଘଣାରେ ପଡ଼ିଥିଲା ବନ ବିଭାଗ। ଲୋକଙ୍କୁ ହାତୀପଲଠୁ ଦୂରେଇ ରଖିବା ପାଇଁ ବନକର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ଡାକବାଜି ଯନ୍ତ୍ର ଦ୍ୱାରା ହାତୀ ପାଖକୁ ନ’ଯିବା ପାଇଁ ଲୋକଙ୍କୁ ସତର୍କ କରାଯାଇଥିଲା। ଶେଷ ଖବର ସୁଦ୍ଧା ହାତୀପଲ ଉକ୍ତ ଜଙ୍ଗଲରେ ଥିବା ବେଳେ ସେମାନଙ୍କୁ ପଶ୍ଚିମବଙ୍ଗ ସୀମାକୁ ଘଉଡ଼ାଇ ଦିଆଯିବ ବୋଲି ବନବିଭାଗ କହିଛି।

ସମ୍ବନ୍ଧିତ ଖବର