ବାଘ ପାଇଁ ଭିଟାମାଟି ଛାଡ଼ିଲେ

ଅନୁଗୁଳ : ବାଘ ପାଇଁ ଭିଟାମାଟି ଛାଡ଼ିଲେ ଆଦିବାସୀ। ଗୋଟିଏ କି’ ଦୁଇଟି ପରିବାର ନୁହେଁ, ଅନୁଗୁଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ବଡ଼କନ୍ତକୁଳ ପଞ୍ଚାୟତ ରାଇଗୋଡ଼ା ଗାଁରେ ପୁରୁଷ ପୁରୁଷ ଧରି ରହି ଆସୁଥିବା ୩୩ ଆଦିବାସୀ ପରିବାର ଆଜି ସାତକୋଶିଆ ଅଭୟାରଣ୍ୟରୁ ବିସ୍ଥାପିତ ହୋଇଛନ୍ତି। ସେମାନଙ୍କ ପାଇଁ ଏବେ ନୂଆ ଠିକଣା ହୋଇଛି ନୂଆଖେତା ସାରୁଆଳି ଗାଁ। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ୩୩ଟି ପରିବାରକୁ ସାରୁଆଳି ଗାଁକୁ ସ୍ଥାନାନ୍ତର କରାଯିବା ସହ ସମସ୍ତ ପ୍ରକାର ମୌଳିକ ସୁବିଧା ବି ଯୋଗାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ସାତକୋଶିଆରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ମଧ୍ୟପ୍ରଦେଶରୁ ତିନି ମହାବଳ ଯୋଡ଼ା ଆଣିବାକୁ ଯୋଜନା କରିଛନ୍ତି। ଆସନ୍ତା କେଇ ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ବାଘ ଓ ଗୋଟିଏ ବାଘୁଣୀ ଛାଡ଼ିବା ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜଙ୍ଗଲରେ ମହାବଳଙ୍କ ଅବାଧ ବିଚରଣ ଓ ବାଘୁଣୀ ପ୍ରଜନନକ୍ଷମ ହେବା ପାଇଁ ସାତକୋଶିଆର କଳେବର ବୃଦ୍ଧି କରାଯାଇଥିବା ବେଳେ ଅଭୟାରଣ୍ୟ ଭିତରେ ପୁରୁଷ ପୁରୁଷ ଧରି ରହୁଥିବା ରାଇଗୋଡ଼ା ଗାଁକୁ ବିସ୍ଥାପନ ପାଇଁ ସରକାର ଯୋଜନା କରିଥିଲେ।

ଏଥିପାଇଁ ସେହି ପଞ୍ଚାୟତର ନୂଆଖେତା ସାରୁଆଳି ଗାଁରେ ଏକ ଜମି ଚିହ୍ନଟ କରାଯାଇ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଗୃହ ନିର୍ମାଣ କରାଯାଇଥିଲା। ଏହା ସହିତ ବିସ୍ଥାପିତ ଲୋକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା। ଏହି କ୍ରମରେ ପ୍ରଶାସନ ୮୮ ବଖରା ଝାଟିମାଟି କାନ୍ଥ ଓ ଟିଣ ଆଜବେଷ୍ଟ୍‍ସ ବିଶିଷ୍ଟ ଘର ତୋଳିବା ସହିତ ଲୋକଙ୍କ ପାଇଁ ସୋଲାର୍‌ ଲାଇଟ୍‌, ବିଦ୍ୟୁତ୍‌, ଟ୍ୟାପ୍‌ ପାଣି ଆଦି ମୌଳିକ ସୁବିଧା ବ୍ୟବସ୍ଥା କରାଇଛି। ଆଜି ପ୍ରଶାସନ ୪୫ଟି ଗାଡ଼ିରେ ସମସ୍ତ ୩୩ ପରିବାରକୁ ନୂଆଖେତା ସାରୁଆଳି ଗାଁକୁ ସ୍ଥାନାନ୍ତର କରିଛି। ଲୋକମାନେ ନୂଆ ଘରେ ରହିବା ସହିତ ବନ ବିଭାଗ ଆସନ୍ତା ତିିନି ମାସ ପାଇଁ ସେମାନଙ୍କୁ ମାଗଣାରେ ଖାଇବା ଯୋଗାଇ ଦେବ। ଅଭୟାରଣ୍ୟରେ ମାଓବାଦୀଙ୍କ ଚଳପ୍ରଚଳ ଲାଗି ରହୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଦୁଇ ପ୍ଲାଟୁନ୍‌ ଫୋର୍ସ ବି ମୁତୟନ କରାଯାଇଛି।

ଅନ୍ୟପକ୍ଷରେ ବାପ ଅଜା ଅମଳରୁ ରହି ଆସୁଥିବା ଏହି ନିରୀହ ଆଦିବାସୀଙ୍କ ମଧ୍ୟରୁ ଅନେକ ଆଜି ଭିଟାମାଟି ଛାଡ଼ିଲାବେଳେ ସେମାନଙ୍କ କୋହ ସମ୍ବରଣ କରିପାରିନଥିଲେ। ବଡ଼ଠୁ ଛୋଟ ଯାଏଁ ସମସ୍ତଙ୍କ ମନରେ ଉଦାସ ଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧିତ ଖବର