ଉତ୍କଳ ଆଲୁମିନା ଅଧିକାରୀଙ୍କୁ ଆକ୍ରମଣ : ୩୪ ମହିଳାଙ୍କୁ ଗିରଫ କଲା ପୁଲିସ, ୨ଦିନ ହେଲା ଖଣି କାର୍ଯ୍ୟ ବାଧାପ୍ରାପ୍ତ

କାଶୀପୁର/ଟିକିରି : ବିଭିନ୍ନ ଦାବିରେ ରାସ୍ତାରୋକ କରିଥିଲେ। ଖଣି ଅଞ୍ଚଳକୁ କୌଣସି ଗାଡ଼ି ଛାଡ଼ୁ ନଥିଲେ। ଯାହାକୁ ନେଇ ଉତ୍କଳ ଆଲୁମିନା ଅଧିକାରୀଙ୍କ ସହ ଯୁକ୍ତିତର୍କ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଧିକାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କଲେ ମହିଳା। ଯାହାଫଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଅଣ୍ଡିରାକଞ୍ଚ ପୁଲିସ ୩୪ଜଣ ମହିଳାଙ୍କୁ ଗିରଫ କରିଛି। ସମସ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖଣି ମୁଖ୍ୟ ଫାଟକ ଓ ଚନ୍ଦ୍ରଗିରି ଛକରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଖଣି ଅଂଚଳକୁ କୌଣସି ଗାଡ଼ି ଆନ୍ଦୋଳନକାରୀ ଛାଡ଼ୁ ନଥିବାରୁ ୨ଦିନ ହେଲା ଖଣି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଖଣି ଅଂଚଳରେ କର୍ମ ନିଯୁକ୍ତି ଦାବିରେ ବଫଲାମାଲି ଖଣି ସମ୍ମୁଖ ଚନ୍ଦ୍ରଗିରି ଛକରେ ପାଇକକୁପାଖଲ ଗ୍ରାମର ୩୪ରୁ ଊର୍ଦ୍ଧ୍ବ ମହିଳା ଆନ୍ଦୋଳନରେ ବସିଥିଲେ। ୨ ତାରିଖରୁ ଏହି ଆନ୍ଦୋଳନ ଚାଲିଥିବାବେଳେ ଖଣି ଅଂଚଳକୁ କମ୍ପାନି କର୍ମଚାରୀ କିମ୍ବା କୌଣସି ଗାଡ଼ି ଯାଇପାରୁ ନାହିଁ। ଫଳରେ ଖଣିରେ କାମ କରୁଥିବା କର୍ମଚାରୀ, ଅଧିକାରୀ ବିନା ଖାଦ୍ୟ ଓ ଔଷଧରେ ଫସି ରହିଥିଲେ। ୩ ତାରିଖ ଅପରାହ୍ନ ସାଢ଼େ ୩ଟାରେ ଖଣି ମ୍ୟାନେଜର ସୁକାନ୍ତ କୁମାର ମହାପାତ୍ର ନିଜ ସହଯୋଗୀ ବିନୋଦ ପୂଜାରୀ, ପ୍ରଶାନ୍ତ ସିଂହ, ସମୀର ମହାନ୍ତିଙ୍କ ସହ ଖଣିକୁ ଯାଉଥିଲେ। ଏହି ସମୟରେ ଆନ୍ଦୋଳନକାରୀ ମହିଳା ଗାଡ଼ିକୁ ଅଟକାଇଥିଲେ। ଖଣି ମ୍ୟାନେଜର ଶ୍ରୀ ମହାପାତ୍ର ଗାଡ଼ି ଛାଡ଼ିବା ପାଇଁ ଆନ୍ଦୋଳନକାରୀଙ୍କୁ ନିବେଦନ କରିଥିଲେ। ଖଣିରେ କର୍ମଚାରୀ ବିନା ଖାଦ୍ୟ, ଔଷଧରେ ଥିବାରୁ ଜରୁରୀକାଳୀନ ସାମଗ୍ରୀ ନେଇ ଯାଉଥିବା ଅବଗତ କରିଥିଲେ। ଏହା ସତ୍ତ୍ବେ ଆନ୍ଦୋଳନକାରୀ ଗାଡ଼ି ନ ଛାଡ଼ିବା ଯୋଗୁଁ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆନ୍ଦୋଳନକାରୀ ସଂଘବଦ୍ଧ ଭାବେ ମ୍ୟାନେଜର ଶ୍ରୀ ମହାପାତ୍ରଙ୍କ ଉପରେ ମରଣାନ୍ତକ କରିଥିଲେ। କୌଶଳକ୍ରମେ ଶ୍ରୀ ମହାପାତ୍ର ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରୁ ଖସି ଆସିଥିଲେ। ଅଣ୍ଡିରାକଞ୍ଚ ଥାନାରେ ଏନେଇ ସନ୍ଧ୍ୟାରେ ଶ୍ରୀ ମହାପାତ୍ର ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ବିଳମ୍ବିତ ରାତିରେ ୩୪ଜଣ ମହିଳାଙ୍କୁ ଗିରଫ କରିଛି।

ଏହାପରେ ପୁଲିସ ସନ୍ଦିଗ୍ଧ ଗିତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରସ୍ତୁତ ରହିଛି। ତଥାପି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ମହିଳାଙ୍କ ଗିରଫଦାରୀକୁ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ତୀବ୍ର ବିରୋଧ କରିଛନ୍ତି। ଆସନ୍ତାକାଲି କାଶୀପୁର ବ୍ଲକ ବନ୍ଦ ଡାକରା ଦେଇ ଏଥିରେ ସମସ୍ତେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର