୩୪୧ ସିପାହୀ, କନେଷ୍ଟବଳ ନିଯୁକ୍ତି ହେବେ

୪୬ ଏପିପି ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ

0 460

ଭୁବନେଶ୍ୱର : ରାଜ୍ୟରେ ୩୪୧ ସିପାହୀ ଓ କନେଷ୍ଟବଳ ପଦବି ପୂରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ପୂର୍ବରୁ ୧୬୮୦ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା ବେଳେ ଆଉ ୩୪୧ଟି ପଦବି ପୂରଣ ପାଇଁ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ସମୁଦାୟ ୨୦୨୧ ସିପାହୀ ଓ କନେଷ୍ଟବଳ ପଦବି ପୂରଣ କରାଯିବ। ସେହିପରି ୪୬ଟି ନୂଆ ଏପିପି(ଆସିଷ୍ଟାଣ୍ଟ୍‌ ପବ୍ଲିକ୍‌ ପ୍ରୋସେକ୍ୟୁଟର୍‌) ପଦବି ପୂରଣ ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏପିପି କ୍ୟାଡର୍‌ରେ ୨୦୯ଟି ପଦବି ରହିଛି। ନିକଟରେ ୧୪୮ଟି ଏପିପି ପଦବି ପୂରଣ କରାଯାଇଛି ଓ ବର୍ତ୍ତମାନ ଏହି ପଦବିରେ ୧୬୩ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ବାକି ପଦବି ଓପିଏସ୍‌ସି ଜରିଆରେ ପୂରଣ କରିବା ପାଇଁ ଅନୁମୋଦନ କରାଯାଇଛି।

ସେହିପରି ସ୍ନାତକୋତ୍ତର ଶିକ୍ଷକ ପଦବି ପାଇଁ ୧୫୪ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଓପିଏସ୍‌ସି ଜରିଆରେ ୨୩୦ଟି ଗ୍ରୁପ୍‌-ବି ପାହ୍ୟାର ଶିକ୍ଷକ ପଦବି ପୂରଣ କରିବା ପାଇଁ ଅନୁମୋଦନ କରାଯାଇଥିଲା ବେଳେ ଏାହ ୧୫୪ ଜଣ ପ୍ରାର୍ଥୀଙ୍କୁ ମନୋନୀତ କରିଛି। ସେମାନଙ୍କୁ ଖୁବ୍‌ ଶୀଘ୍ର ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.