ପୁଣି ଅଜଣା ଜନ୍ତୁ ଆତଙ୍କ, ପାହାଡ଼ ପାର୍ଶ୍ବରୁ ମିଳିଲା ୩୫ ଛେଳିଙ୍କ କ୍ଷତାକ୍ତ ଶବ

ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ଢଉଗାଁ ପଞ୍ଚାୟତ ବାହାଡ଼ାଗୁଡ଼ା ଗ୍ରାମରେ ଅଜଣା ଜନ୍ତୁର ଆତଙ୍କ। ଉପକଣ୍ଠ ପାହାଡ଼ ପାର୍ଶ୍ବ ଗୁଡ଼ିଖାତ ନିକଟରେ ୩୫ଟି ଛେଳିଙ୍କ କ୍ଷତାକ୍ତ ଶବ ମିଳିବା ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଛେଳି ମାନଙ୍କ ବେକ, ପେଟ, ପିଠିରେ ଗଭୀର କ୍ଷତ ଲାଗିଥିବା ସହ ଅନ୍ତବୁଜୁଳା ପଦାକୁ ବାହାରି ଆସିଥିବା ଦେଖିବାକୁ ମିଳିଛି। କିଛିମାସ ପୂର୍ବରୁ ରାଜ୍ୟର କେତେକ ସ୍ଥାନରେ ଅଜଣା ଜନ୍ତୁ ଆତଙ୍କ ଖେଳିଯାଇଥିଲାବେଳେ ଏହି ଘଟଣା ପୁଣିଥରେ ମନେ ପକାଇଦେଇଛି।

ମିଳିଥିବା ସୂଚନାନୁସାରେ, ଗ୍ରାମର ଭଗବାନ ଗୌଡ଼ଙ୍କ ଦୁଇ ପୁଅ ଗଂଗା ଓ ଅଶୋକ ପାହାଡ଼ ନିକଟ ଗୁଡ଼ିଖତ ପାର୍ଶ୍ବରେ ଏକ ଗୁହାଳ କରି ଛେଳି ରଖିଥିଲେ। ଗତକାଲି ଦୁଇ ଭାଇ ଛେଳିପଲ ନେଇ ପାହାଡ଼ ନିକଟରେ ଚରାଇବା ପରେ ପୁଣି ଗୁହାଳରେ ରଖି ଘରକୁ ଫେରିଥିଲେ। ସନ୍ଧ୍ୟାରେ ଛେଳିଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ପହଞ୍ଚିବା ବେଳକୁ ସମୁଦାୟ ୩୫ଟି ଛେଳି ମରିସାରିଥିବାବେଳେ ଆଉ କିଛି ଛେଳି ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିଲେ।

ଏହି ମୃତାହତ ଛେଳିଗୁଡ଼ିକ ଅଜଣା ଜନ୍ତୁର ଶିକାର ହୋଇଥିବା ଅନୁମାନ କରାଯାଉଛି। ପ୍ରାଣୀ ଚିକିତ୍ସାଧିକାରୀ ପହଞ୍ଚି ସେଠାରେ ଶବ ବ୍ୟବଚ୍ଛେଦ କରିଥିବାବେଳେ ତହସିଲ୍‌ କର୍ତ୍ତୃପକ୍ଷ ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର