ରାଜ୍ୟରେ ୩୫% ମହିଳା ଘରୋଇ ହିଂସାର ଶିକାର

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଉନ୍ମୋଚିତ

ମାତ୍ର ୩% ମହିଳା ପୁଲିସ୍‌ର ସହଯୋଗ ଲୋଡ଼ୁଛନ୍ତି, ପୁଲିସ୍‌ ଉପରୁ ଭରସା ତୁଟୁଛି

ଚନ୍ଦ୍ରଶେଖରପୁର : ରାଜ୍ୟରେ ୩୫ ପ୍ରତିଶତରୁ ଉର୍ଦ୍ଧ୍ୱ ବିବାହିତା ମହିଳା ବିଭିନ୍ନ ପ୍ରକାର ଘରୋଇ ହିଂସାର ଶିକାର ହେଉଛନ୍ତି। ୧୫ରୁ ୩୯ ବର୍ଷ ବୟସ ମଧ୍ୟରେ ଥିବା ମହିଳାଙ୍କ ମଧ୍ୟରୁ ୩୨ ପ୍ରତିଶତ ଶାରୀରିକ ହିଂସାର ଶିକାର ହୋଇଥିବାବେଳେ ୭ ପ୍ରତିଶତ ଯୌନାଚାର ଜନିତ ହିଂସାର ଶିକାର ହେଉଛନ୍ତି। ୩୫ ପ୍ରତିଶତ ବିବାହିତ ମହିଳା ନିଜ ସ୍ୱାମୀଙ୍କଠାରୁ ଘରୋଇ ହିଂସାର ଶିକାର ହେଉଥିବା ଜଣାପଡ଼ିଛି। ୬ ପ୍ରତିଶତ ମହିଳା ନିଜ ଇଚ୍ଛା ବିରୋଧରେ ବଳପୂର୍ବକ ସ୍ୱାମୀଙ୍କ ଦ୍ୱାରା ଶାରୀରିକ ସମ୍ପର୍କ ରଖିଥାଆନ୍ତି। ତେବେ ଏଭଳି ହିଂସାର ଶିକାର ହୋଇଥିବା ମହିଳାଙ୍କ ମଧ୍ୟରୁ କେବଳ ୧୩ ପ୍ରତିଶତ ଏହି ହିଂସାର ପରିସମାପ୍ତି ଘଟାଇବାକୁ ସହାୟତା ଲୋଡ଼ିଛନ୍ତି ଯାହାକି ଚିନ୍ତାଜନକ ବିଷୟ। ଚତୁର୍ଥ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନଏଫଏଚଏସ) ରିପୋର୍ଟରେ ଏହା ପ୍ରକାଶ ପାଇଛି। ଓଡ଼ିଶା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ମିଶ୍ରିତ ଚିତ୍ର ଚତୁର୍ଥ ଏନଏଫଏଚଏସ ରିପୋର୍ଟ ୨୦୧୫-୧୬ରେ ପ୍ରତିଫଳିତ ହୋଇଛି।

ନିୟମିତ ମଦ୍ୟପାନ କରୁଥିବା ୭୧ ପ୍ରତିଶତ ପୁରୁଷ ନିଜର ବିବାହିତ ପତ୍ନୀଙ୍କୁ ବିଭିନ୍ନ ନିର୍ଯାତନା ଦେଉଥିବା ରିପୋର୍ଟ ରେ ପ୍ରକାଶ ପାଇଛି। ଘରୋଇ ହିଂସାର ଶିକାର ହୋଇଥିବା ମହିଳାଙ୍କ ମଧ୍ୟରୁ ଅଧିକାଂଶ ନିଜର ମଦ୍ୟପ ସ୍ୱାମୀଙ୍କଠାରୁ ଏହାର ଶିକାର ହୋଇଥାଆନ୍ତି। ରାଜ୍ୟରେ କ୍ରମଶଃ ବଢ଼ିଚାଲିଥିବା ମଦ ଦୋକାନ ଏହାର ଏକ ପ୍ରମୁଖ କାରଣ ବୋଲି ମତପ୍ରକାଶ ପାଇଛି।

ରାଜ୍ୟ ସରକାର ଘରୋଇ ହିଂସାକୁ ରୋକିବା ନିମନ୍ତେ ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ସଚେତନାର ଅଭାବ ଏ କ୍ଷେତ୍ରରେ ବାଧକ ସାଜିଥିବା ସ୍ପଷ୍ଟ ହୋଇଛି। କାରଣ ତିନି ଚତୁର୍ଥାଂଶରୁ ଉର୍ଦ୍ଧ୍ୱ ମହିଳା ଘରୋଇ ହିଂସା ବିଷୟରେ କାହାକୁ କହିନଥା’ନ୍ତି କିମ୍ବା କାହାର ସାହାଯ୍ୟ ଲୋଡ଼ିନଥା’ନ୍ତି। ଅଧିକାଂଶ ନିଜର ପରିବାରର ସହଯୋଗ ଲୋଡ଼ିଥାଆନ୍ତି। ଘରୋଇ ହିଂସାର ଶିକାର ହୋଇଥିବା ମାତ୍ର ତିନି ପ୍ରତିଶତ ମହିଳା ଅଭିଯୋଗ ନିମନ୍ତେ ପୁଲିସ୍‌ ନିକଟକୁ ଯାଇଥାଆନ୍ତି। ଯାହାକି ଅତ୍ୟନ୍ତ ନଗଣ୍ୟ। ତଦନ୍ତ କାଳରେ ସମ୍ମୁଖୀନ ହେଉଥିବା ବିଭିନ୍ନ ମାନସିକ ଅଶାନ୍ତି ଓ ପୁଲିସ୍‌ ଉପରେ ଭରସାର ଅଭାବ ଏହାର ଏକ ପ୍ରମୁଖ କାରଣ ଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

ରାଜ୍ୟରେ ବାଲ୍ୟ ବିବାହ ଏବେବି ଚିନ୍ତାଜନକ ଥିବା ରିପୋର୍ଟରେ ପ୍ରକାଶ ପାଇଛି। ପ୍ରଚଳିତ ଧାରା ଅନୁସାରେ ବର୍ତମାନ ୨୦-୨୪ ବର୍ଷ ମଧ୍ୟରେ ପଦାର୍ପଣ କରିଥିବା ମହିଳାଙ୍କ ମଧ୍ୟରୁ ଏକ ପଞ୍ଚମାଂଶରୁ ଅଧିକ(୨୧%)ଙ୍କର ବିବାହ ଆଇନଗତ ବିବାହ ବୟସ ୧୮ ବର୍ଷ ପୂର୍ବରୁ ହୋଇଛି। ତେବେ ତୃତୀୟ ଏନ୍‌ଏଫ୍‌ଏଚ୍‌ଏସ୍‌ ରିପୋର୍ଟରେ କମ୍‌ ବୟସରେ ବିବାହ ୩୭ ପ୍ରତିଶତ ଥିବା ବେଳେ ଚଳିତ ଥର ଏହା ଖସିଛି। ସର୍ବନିମ୍ନ ଆଇନଗତ ବୈଧ ବିବାହ ବୟସ (୨୧ ବର୍ଷ) ପୂର୍ବରୁ ପୁରୁଷଙ୍କ ବିବାହ ତୃତୀୟ ଏନ୍‌ଏଫ୍‌ଏଚ୍‌ଏସ୍‌ ରିପୋର୍ଟରେ ୨୨% ଥିବା ବେଳେ ତାହା ୧୧% କୁ ଖସି ଆସିଛି। ୨୫-୨୯ ବୟସରେ ପଦାର୍ପଣ କରିଥିବା ବିବାହିତ ପୁରୁଷଙ୍କ ମଧ୍ୟରୁ ଏକ ଦଶମାଂଶ (୧୧%) ୨୧ ବର୍ଷ ପୂର୍ବରୁ ବିବାହ କରିଥିବା ଜଣାପଡ଼ିଛି।

ଗର୍ଭନିରୋଧକ ବ୍ୟବହାର କରୁଥିବା ବିବାହିତ ମହିଳାଙ୍କ ହାରରେ ବୃଦ୍ଧି ଘଟିଛି। ତୃତୀୟ ଏନ୍‌ଏଫ୍‌ଏଚ୍‌ଏସ୍‌ ରିପୋର୍ଟଠାରୁ ଚଳିତ ରିପୋର୍ଟରେ ଏହା ଅଧିକ ରହିଛି। ଏକ୍ଷେତ୍ରରେ ସରକାରଙ୍କର ନିରନ୍ତର ପ୍ରଚେଷ୍ଟା ସଫଳତା ଆଣିଦେଇଛି। ଗର୍ଭନିରୋଧକ ପଦ୍ଧତି ଉପଯୋଗ କ୍ଷେତ୍ରରେ ଓଡ଼ିଶା ଜାତୀୟ ହାର ୫୪%ଠାରୁ ସାମାନ୍ୟ ଅଧିକ ରହିଛି। ମାତ୍ର ସୁରକ୍ଷିତ ଋତୁସ୍ରାବକାଳୀନ ସୁରକ୍ଷା ସମ୍ପର୍କରେ ୪୭ ପ୍ରତିଶତ ସୁରକ୍ଷିତ ଉପାୟ ଆପଣାଇଥାଆନ୍ତି। ଅର୍ଥାତ ଅଧାରୁ ଅଧିକ ମହିଳା ଋତୁସ୍ରାବ କାଳରେ ଅସୁରକ୍ଷିତ ଉପାୟ ଅବଲମ୍ବନ କରିଥାଆନ୍ତି। ଏହା ମହିଳାଙ୍କ ସୁରକ୍ଷିତ ସ୍ୱାସ୍ଥ୍ୟକୁ ନେଇ ସମସ୍ୟା ସୃଷ୍ଟି କରିଛି।

ରାଜ୍ୟ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛି। ସେହିପରି ନବଜାତ ଶିଶୁ ମୃତ୍ୟୁ ହାର ଉଲ୍ଲେଖନୀୟ ହ୍ରାସ ଘଟିଛି। ମାତ୍ର ନବଜାତ ଶିଶୁଙ୍କ କ୍ଷେତ୍ରରେ ଅପପୁଷ୍ଟି ପ୍ରଭାବ ବିସ୍ତାର, ରକ୍ତହୀନତା ଆଦି କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ସନ୍ତୋଷଜନକ ନୁହେଁ। ଭାରତରେ ସୁଷମ ଖାଦ୍ୟର ଅଭାବ ରକ୍ତହୀନତାର ପ୍ରମୁଖ କାରଣ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଇଣ୍ଟରନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପପୁଲେସନ ସାଇନ୍ସ (ଆଇଆଇପିଏସ୍‌) ପକ୍ଷରୁ କରାଯାଉଥିବା ଏହି ସର୍ଭେ ବିଭିନ୍ନ ଦୃଷ୍ଟିରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏନ୍‌ଏଫ୍‌ଏଚ୍‌ଏସ୍‌ ସିରିଜ୍‌ର ଚତୁର୍ଥ ପର୍ଯ୍ୟାୟ ୨୦୧୫-୧୬ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌-୪) ଭାରତ ତଥା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଜନସଂଖ୍ୟା, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ସମ୍ପର୍କରେ ତଥ୍ୟ ପ୍ରଦାନ କରେ। ପ୍ରଥମ ଥର ଲାଗି ଏନ୍‌ଏଫ୍‌ଏଚ୍‌ଏସ୍‌-୪ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କ କ୍ଷେତ୍ରରେ ଜିଲ୍ଲା ସ୍ତରୀୟ ଆକଳନ ଉପଲବ୍ଧ କରାଇଛି।

ଆଜି ଏହି ରିପୋର୍ଟକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିସନର ତଥା ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଏସ୍‌ କେ ସିଂ, ଡ. ମାନସ ରଞ୍ଜନ ପ୍ରଧାନ, ଡ. ଏଲ୍‌ କେ ଦ୍ୱିବେଦୀ, ଡ. ଏସ୍‌ ପେଦ୍‌ଗାଓଁକର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର