ବିକ୍ଷୋଭ ବେଳେ ୫୩ ବେହୋସ୍‌

ଭୁବନେଶ୍ୱର : ୫ ଦଫା ଦାବି ନେଇ ଲୋୟର ପିଏମ୍‌ଜିରେ ଆଇସିଟି ବିଦ୍ୟାଳୟ ସଂଯୋଜକ ୨୩ ଦିନ ଧାରଣାରେ ବସିବା ପରେ ଆଜି ପୁଣି ତାତିଛନ୍ତି। ୧୨ ତାରିଖ ଦିନ ୭ ଦିନ ମଧ୍ୟରେ ଦାବି ପୂରଣ ନେଇ ନିଷ୍ପତ୍ତି ନେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସୂଚନା ନ ଦେବାରୁ ଶତାଧିକ ସଂଯୋଜକ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରବଳ ଖରାରେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲାବେଳେ ୫୩ ଜଣ ବେହୋସ୍‌ ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଆମ୍ବୁଲାନ୍‌ସ୍‌ ଓ ପୁଲିସ୍‌ ଭ୍ୟାନ୍‌ ସହାୟତାରେ କ୍ୟାପିଟାଲ ହସ୍‌ପିଟାଲ ଭର୍ତ୍ତି କରାଯାଇଛି। ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସଂଘର ସଭାପତି ପ୍ରଶାନ୍ତ ସ୍ୱାଇଁ, ଚିନ୍ମୟ ଦାସ, କାର୍ଯ୍ୟକାରୀ ସଭାପତି ସୌମ୍ୟରଞ୍ଜନ ମଳ୍ଲିକ, ସମ୍ପାଦକ ଦିଲ୍ଲୀପ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।

୨୦୧୪ ମସିହାରୁ ରାଜ୍ୟର ୪ ହଜାର ବିଦ୍ୟାଳୟରେ ଏହିି ବିଦ୍ୟାଳୟ ସଂଯୋଜକ ନିଯୁକ୍ତି ପାଇଛନ୍ତି। ଶିକ୍ଷକ ଓ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ସହ ଇ-କଣ୍ଟେଣ୍ଟ ଜରିଆରେ ଅନ୍‌ଲାଇନ୍‌ ତାଲିକାଭୁକ୍ତ କରିବା,ଏନ୍‌ଟିଏସ୍‌ ଓ ଏନ୍‌ଏନ୍‌ଏସ୍‌ ଆବେଦନ ଫର୍ମ ପୂରଣ, ପଠାଣି ସାମନ୍ତ ମେଧାବୃତ୍ତି ପାଇଁ କାମ ଏମାନେ କରୁଛନ୍ତି। ‘ସ୍କୁଲ କୋଅର୍ଡିନେଟର୍‌’ ନାମ ପରିବର୍ତନ କରାଯାଇ ‘କମ୍ପ୍ୟୁଟର ଶିକ୍ଷକ’ ମାନ୍ୟତା ପ୍ରଦାନ କରିବା, ଶିକ୍ଷକମାନଙ୍କୁ ଓଆର୍‌ଭି ଆକ୍ଟ ଅନ୍ତର୍ଭୁକ୍ତ କରିବା, କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତା ମୂଳକ କରିବା, ଏହି ସଂଯୋଜକମାନଙ୍କୁ ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ମାନ୍ୟତା ଦେବା, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଇ-ବିଦ୍ୟାଳୟ ପ୍ରକଳ୍ପକୁ ରାଜ୍ୟ ସରକାର ଘରୋଇ କରଣ ନ କରି ସରକାର ପରିଚାଳନା କରିବା ପ୍ରଭୃତି ଦାବି ନେଇ ଏପ୍ରିଲ ୧ ତାରିଖରୁ ଧାରଣାରେ ବସି ରହିଛନ୍ତି। ୧୨ ତାରିଖ ଦିନ ସମୂହ ଇସ୍ତଫା ଦେବାକୁ ଯାଇଥିଲେ ମଧ୍ୟ ଇସ୍ତଫା ଗ୍ରହଣ କରାଯାଇ ନାହିଁ ବରଂ ୭ ଦିନ ମଧ୍ୟରେ ଦାବି ପୂରଣ ହେବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇ ହତାଶ କରିଛନ୍ତି।

ସମ୍ବନ୍ଧିତ ଖବର