‘ଭାଷା ହିଁ ମଣିଷକୁ ଯୋଡ଼ିବାରେ ସେତୁ ଭଳି କାର୍ଯ୍ୟ କରେ’

ପ୍ରତାପ ରଥଙ୍କୁ ‘କଳିଙ୍ଗ ରତ୍ନ’, ନଟବର ଶତପଥୀଙ୍କୁ ‘ସାରଳା ସମ୍ମାନ’ ପ୍ରଦାନ

କଟକ : ଭାଷା ଶବ୍ଦରୁ ନୁହେଁ, ସମ୍ବେଦନାରୁ ସୃଷ୍ଟି। ଭାଷାର ବିଭାଜନ ହୋଇପାରିବ ନାହିଁ। ଦୁର୍ଭାଗ୍ୟର ବିଷୟ, ସଂପ୍ରତି ଭାଷାକୁ ନେଇ ଦେଶ ବିଭାଜନ ହେବାରେ ଲାଗିଛି ବୋଲି କହିଛନ୍ତି ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ପଦ୍ମଶ୍ରୀ ଗିରିରାଜ କିଶୋର । ସାରଳା ଭବନରେ ଆଜି ସଂଧ୍ୟାରେ ଆୟୋଜିତ ସାରଳା ସାହିତ୍ୟ ସଂସଦର ୩୬ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ କିଶୋର କହିଲେ, ସମ୍ବେଦନାକୁ ବୁଝିବା ହେଉଛି ବଡ଼ କଥା। ପ୍ରଖ୍ୟାତ ସାହିତ୍ୟିକ ପ୍ରେମ୍‌ଚାନ୍ଦ୍‌ ଓ ଫକୀର ମୋହନ ସେନାପତିଙ୍କ ସାରସ୍ୱତ କୃତି ମଧ୍ୟରେ ଅନେକ ସାଦୃଶ୍ୟ ଥିବା ଶ୍ରୀ କିଶୋର ପ୍ରକାଶ କରିଥିଲେ। ଭାଷା ହିଁ ମଣିଷକୁ ଯୋଡିବାରେ ସେତୁ ଭଳି କାର୍ଯ୍ୟ କରିଥାଏ ବୋଲି ଶ୍ରୀ କିଶୋର ପ୍ରକାଶ କରିଥିଲେ।

ଉତ୍ସବକୁ ଉଦ୍‌ଘାଟନ କରି କେନ୍ଦ୍ର ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି କବି ରମାକାନ୍ତ ରଥ ସାରଳା ଦାସଙ୍କୁ ଅନନ୍ୟ ସ୍ରଷ୍ଟା ବୋଲି ଅଭିହିତ କରିଥିଲେ। ସଂସ୍କୃତି ବିଭାଗ ସଚିବ ତଥା କମିସନର ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଇଂରାଜୀ ଭାଷାର ବହୁଳତା ପାଇଁ ଓଡ଼ିଆ ଭାଷା ଏବେ ସଙ୍କଟରେ। ସାହିତ୍ୟକୁ ନେଇ ବିଭିନ୍ନ ସମୟରେ ବିବାଦ ରହିଥିଲେ ମଧ୍ୟ ଆମ ସାହିତ୍ୟ ସମୃଦ୍ଧ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ। ଜେଏନ୍‌ୟୁରେ ସାରଳା ଦାସଙ୍କ ନାମରେ ଏକ ଚେୟାର ସ୍ଥାପନ କରାଯାଇଥିବା ବେଳେ ଖୁବ୍‌ ଶୀଘ୍ର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳରେ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା ହେବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ।

ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଞ୍ଜିନିୟର ପ୍ରଭାକର ସ୍ୱାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ସମାରୋହରେ ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାରଳା ଦାସଙ୍କ କୃତି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଦୃଦ୍‌ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ପ୍ରତାପ ଚନ୍ଦ୍ର ରଥଙ୍କୁ ‘କଳିଙ୍ଗ ରତ୍ନ’ ଉପାଧିରେ ବିଭୂଷିତ କରାଯାଇଥିଲା। ସମ୍ମାନ ସୂରୂପ ପ୍ରଫେସର ରଥଙ୍କୁ ରୌପ୍ୟନିର୍ମିତ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି, ତାମ୍ରଫଳକ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ସାହିତ୍ୟିକ ଡକ୍ଟର ନଟବର ଶତପଥୀଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସାରଳା ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମାନସ୍ୱରୂପ ଡକ୍ଟର ଶତପଥୀଙ୍କୁ ୫୦ହଜାର ଟଙ୍କାର ଅର୍ଥରାଶି, ତାମ୍ରଫଳକ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ସମାରୋହରେ ସଂସଦ ପକ୍ଷରୁ ପୁନଃପ୍ରକାଶିତ ‘ସାରଳା ମହାଭାରତ’ ଓ ‘କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟ’ ଗ୍ରନ୍ଥ ଉନ୍ମୋଚିତ ହୋଇଥିଲା। ସଂସଦର ସଂପାଦକ ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିଥିବା ବେଳେ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ଡାକ୍ତର ନିମାଇଁ ଚରଣ ପରିଜା, ଡାକ୍ତର ନୀରଦ କୁମାର ଗୋଚ୍ଛାୟତ, ରୀତା ରାୟ ମାନପତ୍ର ପାଠ କରିଥିଲେ।

ସମାରୋହରେ ଜଷ୍ଟିସ୍‌ ମଦନମୋହନ ଦାସ, ଜଷ୍ଟିସ୍‌ ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ, ଜଷ୍ଟିସ୍‌ ଅରୁଣ କୁମାର ରଥ, ପୂର୍ବତନ ଡିଜି ଗୋପାଳ ଚନ୍ଦ୍ର ନନ୍ଦ, ଅନାଦି ସାହୁ, ରବିନାରାୟଣ ସେନାପତି, ପ୍ରଫେସର ଦାସରଥୀ ଦାସ, ଡକ୍ଟର ସୁଲୋଚନା ଦାସ, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, ବିଜୟ ନାୟକ, ଡାକ୍ତର ଯଦୁନାଥ ପ୍ରସାଦ ଦାସ, ଡକ୍ଟର ସୁନାମଣି ରାଉତ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା, ‘ସମାଜ’ର ସଂପାଦକ ଦାମାପଦ ତ୍ରିପାଠୀ, ଡକ୍ଟର ଅଜୟ ମିଶ୍ର, ଡକ୍ଟର ଶକୁନ୍ତଳା ବଳିୟାରସିଂହ, ବିଜୟଲକ୍ଷ୍ମୀ ଦାସ, ଶେଖ୍‌ ମତ୍‌ଲୁବ ଅଲ୍ଲୀ, ଅଲେଖ ପଢ଼ିହାରୀ ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷାବିତ କୈଳାସ ଚନ୍ଦ୍ର ବରାଳ, ସଞ୍ଜିତ ପଟ୍ଟନାୟକ, ନିର୍ମଳ ଚନ୍ଦ୍ର ପହୀ, ବିଭୁପ୍ରସାଦ ରାଉତ, ସିଦ୍ଧେଶ୍ୱର ନାୟକ, ପବିତ୍ର ମହାନ୍ତି, ଭୁବନାନନ୍ଦ ମହାନ୍ତି ଉତ୍ସବ ପରିଚାଳନା କରିଥିଲେ। ଗାଳ୍ପିକା ରୁମ୍‌ଝୁମ୍‌ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁ ନୃସିଂହ ଚରଣ ସାହୁଙ୍କ ନିର୍ଦ୍ଦେଶନାରେ ନବକଳିକାର ଶିଳ୍ପୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର