ନର୍ଦମା ପାଲଟୁଛି ଝାରସୁଗୁଡ଼ା ସହରର ୩୭ ପୋଖରୀ

ପୁନରୁଦ୍ଧାର ପାଇଁ ଅର୍ଥ ନାହିଁ: ମାଟିରେ ମିଶିବ ଜଳାଶୟ

94

ଝାରସୁଗୁଡ଼ା : ମହାନଦୀ ପାଣି ଛତିଶଗଡ଼ ଅଟକାଇ ଦେଉଥିବା ନେଇ ବିବାଦର ଆଢ଼ୁଆଳରେ ଝାରସୁଗୁଡ଼ା ଜିଲ୍ଲା ତଥା ପୌରାଂଚଳରେ ରହିଥିବା ଜଳ ସଂକଟ ଏବେ ଗ୍ରୀଷ୍ମ ପୂର୍ବରୁ ଉଗ୍ର ହେଉଛି। ସହରର ୩୭ଟି ଜଳାଶୟ ତଥା ପୋଖରୀ ଅର୍ଥ ଅଭାବରୁ ପୁନରୁଦ୍ଧାର ହୋଇପାରୁନାହିଁ। ଏନେଇ ସଚେତନ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଶିଳ୍ପ ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ ମଧ୍ୟ ପ୍ରଦୂଷିତ ହୋଇସାରିଛି। ପରିବେଶରେ ଦ୍ରୁତ ଅବନତି କାରଣରୁ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଛି ଜିଲ୍ଲାରେ। ଅନେକ ବର୍ଷ ଧରି ଅନିୟମିତ ବର୍ଷା ଫଳରେ ଜଳାଭାବ ଉଗ୍ର ହେଉଛି। ଏଥିପାଇଁ ଭୂତଳ ଜଳ ସ୍ତର ମଧ୍ୟ ୩/୪ ଶହ ଫୁଟ ତଳକୁ ଚାଲି ଗଲାଣି।

ପ୍ରଶାସନ ପକ୍ଷରୁ ସହରରେ ଥିବା ବିଭିନ୍ନ ଜଳାଶୟର ପୁନରୁଦ୍ଧାର ପାଇଁ ଆଦୌ ଧ୍ୟାନ ଦିଆଯାଉନାହିଁ। କେବଳ ପୌରାଞ୍ଚଳରେ ଅଛି ୩୭ ଗୋଟି ବନ୍ଧ ବା ପୋଖରୀ। ମାତ୍ର ଆଶ୍ଚଯ୍ୟର୍ର ବିଷୟ ଏହି ପୋଖରୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ଆଜି ପଯ୍ୟର୍ନ୍ତ ଟଙ୍କାଟିଏ ମଧ୍ୟ କେବେ ଖର୍ଚ୍ଚ କରାଯାଇ ନଥିବା ଜଣାଯାଇଛି। ପୂର୍ବେ ପୁରୁଣାବସ୍ତିରେ ଥିବା ପୋଖରୀରେ କିଛି ଅର୍ଥ ଖର୍ଚ୍ଚ କରାଯାଇଥିବା ପୌରସଂସ୍ଥା ଠାରୁ ପ୍ରକାଶ। ଏହାପରେ ଆଜି ପଯ୍ୟର୍ନ୍ତ କୌଣସି ବନ୍ଧରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନାହିଁ। ରକ୍ଷଣାବେକ୍ଷଣ ଅଭାବରେ ଏହି ବନ୍ଧଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ସହରର କୌଣସି ବନ୍ଧ ଏବେ ଆଉ ବ୍ୟବହାର ଉପଯୋଗୀ ହୋଇନାହିଁ। ତଥାପି ଲୋକେ ବାଧ୍ୟ ହୋଇ ଏହି ନର୍ଦ୍ଦମା ପାଣିରେ ଗାଧୁଆ ପାଧୁଆ କାମ କରୁଥିବା ଦେଖା ଯାଉଛି।

ସହରରେ ଥିବା ଗୁଡ଼ୁବନ୍ଧ, ଜୁନାବନ୍ଧ, ସାରସମାଲ ଭୋଇକଟା, ନୂଆମୁଡ଼ା, ବନ୍ଧାଲି, ଛତ୍ରିଆକଟା, ଗଗନ କଟା, ଠୁକୁମୁଣ୍ଡା, ଦାନିକଟା, ଚମାର ବନ୍ଧ, ଦେବାଡ଼ିହି ବନ୍ଧ, ରୁଗୁଡ଼ିଆମୁଡ଼ା, ମୁଡାଉପର, ନୂଆବନ୍ଧ, କଲାବନ୍ଧ, ବଇଦକଟା, ମୁଣ୍ଡା, ପୁରୁଣା ମୁଣ୍ଡା, ପୁରୁଣାମୁଣ୍ଡା ବନ୍ଧ, ଗୌରୀକଟା,ବଞ୍ଜାରୀ, ବଢ଼େଇମୁଣ୍ଡା କଟା, ଦେମୁଲବନ୍ଧ, ଭୁଲିଆବନ୍ଧ, ସୁଖା ମୁଣ୍ଡା, ଖଜୁରୀବନ୍ଧ, ସୁନାରୀମୁଣ୍ଡା, ତଲିମୁଣ୍ଡା, ଜାମୁକଟା, ଖଇଥବନ୍ଧ, ତଲିକଟା, ଗାଁ ବନ୍ଧ ଓ ଗାଁକଟା ପ୍ରଭୃତିରେ ପାଣି ନର୍ଦ୍ଦମା ହୋଇ ଗଲାଣି। ଆଗକୁ ଗ୍ରୀଷ୍ମ ଋତୁର ପ୍ରକୋପ ବୃଦ୍ଧି ହେବାକୁ ଥିବା ବେଳେ ସାଧାରଣ ଲୋକେ ଯେଉଁମାନେ ବନ୍ଧ, କଟା ଓ ପୋଖରୀ ପାଣି ଉପରେ ଭରସା କରନ୍ତିି ସେମାନେ ଡହଳବିକଳ ହେବେ ଏଥିରେ ସଂଦେହ ନାହିଁ।

ଏ ସଂପର୍କରେ ନଗରପାଳ ହରିଶ ଗଣତ୍ରାଙ୍କୁ ପଚାରିବାରୁ ସେ କହିଲେ ଯେ ଝାରସୁଗୁଡ଼ା ପୌରାଞ୍ଚଳରେ ଅନେକ ବନ୍ଧ, କଟା ଅଛି। ମାତ୍ର ଏଥିପାଇଁ ଅନୁଦାନର ବ୍ୟବସ୍ଥା ନାହିଁ। ଏହାର ପୁନରୁଦ୍ଧାର କରିବା ସମ୍ଭବ ହେଉନାହିଁ। ଯଦି ଡିଏମଏଫ ପାଣ୍ଠିରୁ ଏଥିପାଇଁ ଅନୁଦାନ ଯୋଗାଇ ଦିଆଯାଆନ୍ତା ତେବେ ଜଳାଶୟଗୁଡ଼ିକ ପୁନରୁଦ୍ଧାର ହୋଇ ପାରନ୍ତା। ଗତ ନଭେମ୍ବର ମାସରେ ଡିଏମଏଫରୁ ବେହେରାମାଲ କଟା ପାଇଁ ୨୦ ଲକ୍ଷ ଓ କପିମୁଡା ପାଇଁ ୨୦ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ଆଜି ପଯ୍ୟର୍ନ୍ତ ଏହାର ପୁନରୁଦ୍ଧାର ହୋଇ ପାରି ନାହିଁ। ନିର୍ବାହୀ ଅଧିକାର ରାମଚନ୍ଦ୍ର ପ୍ରଧାନ କହନ୍ତି ଯେ ପୌରାଞ୍ଚଳର ବିଭିନ୍ନ ଓ୍ଵାର୍ଡ଼ରେ ୩୭ ଗୋଟି ବନ୍ଧ ଥିଲେ ମଧ୍ୟ କୌଣସି ଗୋଟିଏ ହେଲେ ପୌରସଂସ୍ଥା କର୍ତ୍ତୃତ୍ୱାଧିନ ନୁହେଁ। ଏହାର ରକ୍ଷଣା ବେକ୍ଷଣ ପାଇଁ ଅର୍ଥର ବ୍ୟବସ୍ଥା ନାହିଁ। ଅନୁଦାନ ଆସିଲେ ଏହାର ରକ୍ଷଣାବେକ୍ଷଣ ହେବ।

ସମ୍ବନ୍ଧିତ ଖବର

Comments are closed.