ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ୩୮ କୋଟି ଟଙ୍କାର ଜରିମାନା ଆଦାୟ କରିଛି ପରିବହନ

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ବ୍ୟବସ୍ଥା କଡାକଡି ହୋଇଛି । ଖାସକରି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ହେଲମେଟ ଚେକିଂ ଠାରୁ ଆରମ୍ଭ କରି ରଙ୍ଗ ସାଇଡ ଡ୍ରାଇଭ ବା ଭୁଲ୍ ଦିଗରେ ଗାଡ଼ିଚାଳନା, ମୋବାଇଲରେ କଥା ହୋଇ ଗାଡି ଚଳାଇବା ଭଳି ଘଟଣାରେ ଗାଡି ଚାଳକଙ୍କ ଠାରୁ ନୂଆ ମୋଟର ଯାନ ଆଇନ ଆଧାରରେ ହଜାର ହଜାର ଟଙ୍କାର ଜରିମାନା ଆଦାୟ କରାଯାଉଛି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଗତ ୧ ସେପ୍ଟେମ୍ବର ୨୦୧୯ରୁ ୩୧ ଜାନୁଆରୀ ୨୦୨୦ ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୩୮ କୋଟି ୬୭ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ବାବଦରେ ପରିବହନ ବିଭାଗ ଆଦାୟ କରିଛି। ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଗତ ସେପ୍ଟେମ୍ବର ୧ରୁ ଚଳିତ ଜାନୁଆରୀ ୩୧ ମଧ୍ୟରେ ୩୮ କୋଟିରୁ ଅଧିକ ଟଙ୍କା ଜରିମାନା ବାବଦକୁ ପରିବହନ ବିଭାଗ ଆଦାୟ କରିଛି । ସେହିଭଳି ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରଠାରୁ ଗତ ଜାନୁଆରୀ ୩୧ ମଧ୍ୟରେ ୪ ଲକ୍ଷ ୧୩ ହଜାର ୯୯୪ ଜଣ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ୨ ଲକ୍ଷ ୮୭ ହଜାର ୯୩୨ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର