୩ ବର୍ଷରେ ନିଶା ଛାଡ଼ିଛନ୍ତି ୩୯ ହଜାର

ଭୁବନେଶ୍ବର : ଗତ ୩ବର୍ଷରେ ରାଜ୍ୟରେ ୩୮ହଜାର ୯୯୦ଜଣଙ୍କର ନିଶା ଛଡ଼ା ଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୨ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ୩୪ଟି ଇଣ୍ଟ‌ିଗ୍ରେଟେଡ୍ ରିହାବିଲିଟେସନ୍ ସେଣ୍ଟର ଫର ଆଡିକ୍ଟିସ୍‌ ବା ଆଇଆରସିଏରେ ନିଶା ଛଡ଼ା ଯାଇଥିବା ସୂଚନା ମିଳିଛି। ଏହି କେନ୍ଦ୍ରଗୁଡ଼ିକ ଏନ୍‌ଜିଓ ଓ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରଣାଳୟ ସହାୟତାରେ କାର୍ଯ୍ୟ କରୁଛି। ନିଶା ସେବନକୁ କମାଇବା ଏସବୁ ଏନ୍‌ଜିଓରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସଚେତନତା କାର୍ଯ୍ୟକ୍ରମ ସହିତ ୧୩ଟି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଦ୍ବାରା ଅନୁଷ୍ଠିତ ହୋଇଛି। ଆସନ୍ତା ୨୦୨୩ ମସିହା ମଧ୍ୟରେ ରାଜ୍ୟରେ ନିଶା ସେବନକୁ କମାଇବା ପାଇଁ ଏକ ୫ବର୍ଷିଆ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି।

ତେବେ କେ‌ବଳ ନିଶା ନିବାରଣ କେନ୍ଦ୍ର ନିର୍ମାଣ କରିଦେଲେ ନିଶା ସେବନକାରୀଙ୍କୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଏଥିପାଇଁ ମାନସିକତାରେ ପରିବର୍ତନ ଅଣାଯିବା ଜରୁରୀ। ଅନେକ ନିଶା ସେବନକାରୀ ନିଶା ନିବାରଣ କେନ୍ଦ୍ରକୁ ଆସି ସୁସ୍ଥ ହୋଇଥିବା ବେଳେ ଘରକୁ ଯିବା ପରେ ପୁଣିଥରେ ନିଶା ସେବନ କରୁଥିବା ନଜରକୁ ଆସୁଛି। ତେଣୁ ନିଶା ସେବନକାରୀଙ୍କ କିଭଳି ମାନସିକତାରେ ପରିବର୍ତନ ହୋଇପାରିବ ସେଥିପାଇଁ ଗୁରୁତ୍ବ ଦେବାର ସମୟ ଆସିଛି ବୋଲି ମତ ପ୍ରକାଶ ପାଇଛି। ଆଜି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ହୋଟେଲ ଏଚ୍‌ଏଚ୍‌ଆଇରେ ରାଜ୍ୟରେ ନିଶା ବ୍ୟବହାର କମାଇବା ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭାଗର ପ୍ରମୁଖ ସଚିବ ନୀତେନ ଚନ୍ଦ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ନିର୍ଦେଶକ ସୁଶାନ୍ତ ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଚିବ ମଧୁମିତା ନାୟକ ଧନ୍ୟବାଦ ଦେଇଥିଲେ। ଏହି କର୍ମଶାଳାରେ ଶିକ୍ଷାବିତ୍‌ଙ୍କଠାରୁ ଆରମ୍ଭ କରି ଏନ୍‌ଜିଓର କର୍ମକର୍ତା, ଆଇଆରସିଏ ଓ ସ୍ବେଚ୍ଛାସେବୀମାନେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର